/odisha-reporter/media/post_attachments/uploads/2021/08/tree-plantation.jpg)
tree-plantation
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାସ୍ତା ଚଉଡା ହେବ, ରେଳ ଧାରଣା ଅଧିକ ବଢିବ... କିନ୍ତୁ, ଗଛ କଟା ହେବ ନାହିଁ। କଟାଯିବା ବଦଳରେ ଏବେ ଗଛକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛି ବନ ବିଭାଗ। ବିଶେଷ କରି ଜାତୀୟ ରାଜପଥ ନିର୍ମାତା ମାନଙ୍କୁ ଏଭଳି ପରାମର୍ଶ ଦିଆ ଯାଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ପିସିସିଏଫ୍ ଶିଶିର କୁମାର ରଥ।
ସାମ୍ପ୍ରତିକ ସମୟରେ ପରିବେଶ ସନ୍ତୁଳନ ରକ୍ଷା କରିବା ତଥା ଜଳବାୟୁ ପରିବର୍ତ୍ତନ ଯୋଗୁ ଉପୁଜୁଥିବା ସମସ୍ୟାର ସମାଧାନ ଦିଗରେ ଏହି ପଦକ୍ଷେପ ବେଶ୍ ସହାୟକ ହେବ ବୋଲି ଆଶା କରୁଛି ବନ ବିଭାଗ। ଓଡ଼ିଶାର ଜଳବାୟୁକୁ ଅନୁଶୀଳନ କଲେ ଏଠିକାର ବର, ଅଶ୍ୱତଥ, ଅର୍ଜୁନ ପ୍ରଭୃତି ଗଛକୁ ସ୍ଥାନାନ୍ତର କରାଯାଇପାରିବ ବୋଲି ପ୍ରାରମ୍ଭିକ ପର୍ଯ୍ୟାୟରେ ଆକଳନ କରାଯାଇଛି।
ନୂତନ ଭାବେ ଆରମ୍ଭ ହେଉଥିବା ଏହି ପଦକ୍ଷେପରୁ ସଫଳତା ମିଳିଲେ ଆଗାମୀ ଦିନରେ ସହର ତଥା ଅନ୍ୟ ବିକାଶ ମୂଳକ କାର୍ଯ୍ୟରେ ଗଛ ନ କାଟି ଏଭଳି ସ୍ଥାନାନ୍ତର କରାଯିବ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି। ବନ ବିଭାଗର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପରିବେଶବିତ୍। ସମୟୋପଯୋଗୀ ଏଭଳି ପଦକ୍ଷେପର ପରିବେଶ ସୁରକ୍ଷା ପାଇଁ ନିତାନ୍ତ ଜରୁରୀ ବୋଲି ସେ ମତ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଜାତୀୟ ରାଜପଥ ଗୁଡ଼ିକର ରାସ୍ତା ଚଉଡ଼ା କରିବା ପାଇଁ ସେଠାରେ ଗଛ ଗୁଡ଼ିକୁ କଟାଯାଉଥିବା ଦେଖିବାକୁ ମିଳେ। ଯାହା ଦ୍ୱାରା ଏହାର ପ୍ରଭାବ ସିଧାସଳଖ ପରିବେଶ ଉପରେ ପଡ଼ିଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
