Advertisment

Justice for Adivasi student: 'ଡାଲି’ ପାଇଁ କିସ୍ ହଷ୍ଟେଲରେ ଆଦିବାସୀ ଛାତ୍ରଙ୍କୁ ହତ୍ୟା, ୩ ସହପାଠୀ ଓ ୫ କର୍ମଚାରୀ ଅଟକ, ତଦନ୍ତ ଆରମ୍ଭ, କେବେ ଚେତିବେ ସରକାର

ଏହି ଘଟଣାରେ କିସ୍ କର୍ତ୍ତୃପକ୍ଷଙ୍କ ଭୂମିକାକୁ ମଧ୍ୟ ପୁଲିସ ନିଜର ତଦନ୍ତ ପରିସରକୁ ନେଇଥିବା ଜଣାପଡ଼ିଛି । ଶିବଙ୍କ ମୃତ୍ୟୁ ପରେ କାହିଁକି ତା’ର ଶବ ବ୍ୟବଚ୍ଛେଦ କରାଗଲାନି ଓ ପରିବାର ଲୋକଙ୍କୁ ମିଛ କହି କାହିଁକି ଶବ ହସ୍ତାନ୍ତର କରାଗଲା ତା’ର ଖୋଳତାଡ଼ ପୁଲିସ ଆରମ୍ଭ କରିଥିବା ସୂଚନା ମିଳିଛି।

KISS
Advertisment

ସାମାନ୍ୟ ‘ଡାଲି’ ପଡ଼ିଯିବା ପାଇଁ ଭୁବନେଶ୍ୱରର କିସ୍ ଶିକ୍ଷାନୁଷ୍ଠାନ ପରିସରରେ ଜଣେ ନବମ ଶ୍ରେଣୀ ଆଦିବାସୀ ଛାତ୍ରକୁ ତଣ୍ଟି ଚିପି ହତ୍ୟା ଘଟଣା ଏବେ ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଛି । ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଆଦିବାସୀ ଛାତ୍ରଙ୍କର ୩ଜଣ ସହପାଠୀଙ୍କୁ ଅଟକ ରଖିବା ସହ କିସ୍ ଓ କିମସ୍ ହସ୍ପିଟାଲ ପରିସରରେ ତଦନ୍ତ ଆରମ୍ଭ କରିବା ପରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ପଦାକୁ ଆସିଛି । ଏପଟେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ନିଜ ଟିମ୍ ସହ କିମସ୍ ପରିସରକୁ ଗସ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଙ୍କେତ ଦେଇଛନ୍ତି ।
 ତେବେ ଏସବୁ ଭିତରେ ବିଶ୍ୱର ସର୍ବବୃହତ୍ ମାଗଣା ଶିକ୍ଷାନୁଷ୍ଠାନ ବୋଲି ପ୍ରଚାର କରୁଥିବା ‘କିସ୍‌’ ଶିକ୍ଷାନୁଷ୍ଠାନରେ ପିଲାଙ୍କ ମାନସିକତା କେଉଁସ୍ତରରେ ପହଂଚିଲାଣି ଓ ସେଠାରେ ଶହଶହ କର୍ମଚାରୀ ଓ ୱାଡେନଙ୍କ ଉପସ୍ଥିତିରେ ହଷ୍ଟେଲ ଭିତରେ ଏଭଳି ହତ୍ୟାକାଣ୍ଡ କିଭଳି ସମ୍ଭବପର ହେଲା ଏବଂ କିସ୍ କର୍ତ୍ତୃପକ୍ଷ ଏହାକୁ ଲୁଚାଇବା ପାଇଁ ଯାଇ ଯେଉଁଭଳି ଘୃଣ୍ୟ ଅପରାଧ କରିଛନ୍ତି ତାହା ଏବେ ଉଭୟ ‘କିଟ୍ ଓ କିସ’ରେ ପଢ଼ୁଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisment


୩ ସହପାଠୀ ଓ ୫ କର୍ମଚାରୀ ଅଟକ ଓ ସତ ଲୁଚାଇବାକୁ ‘କିସ୍‌’ର ହୀନ ଷଡ଼ଯନ୍ତ୍ର


‘କିସ’ରେ ପଢ଼ୁଥିବା କେନ୍ଦୁଝର ଜିଲ୍ଲାର ନବମ ଶ୍ରେଣୀର ଆଦିବାସୀ ଛାତ୍ର ଶିବ ମୁଣ୍ଡାଙ୍କର ୧୨ତାରିଖରେ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ ଦାବି ଓ କେନ୍ଦୁଝର ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଭୁବନେଶ୍ୱରର ଇନଫୋସିଟି ଥାନା ପୁଲିସ ‘ଜିରୋ ଏଫଆଇଆର’ ଆଧାରରେ ତଦନ୍ତକୁ ତ୍ୱରାନ୍ୱିତ କରିଛି । ଶିବଙ୍କ ୩ଜଣ ସହପାଠୀଙ୍କୁ ପୁଲିସ ଅଟକ ରଖିବା ପରେ ଏହି ସାଂଘାତିକ ତଥ୍ୟ ପଦାକୁ ଆସିଛି ଆଉ ଶିବଙ୍କ ମୃତ୍ୟୁ ନୂଆମୋଡ଼ ନେଇଛି । ଯାହା ଉଭୟ କିସ୍ କର୍ତ୍ତୃପକ୍ଷଙ୍କ ଅମାବନୀୟ କାର୍ଯ୍ୟକୁ ପଦାରେ ପକାଇ ଦେଇଛି ।


ପୁଲିସ ସୂଚନା ଅନୁସାରେ, ଡାଲି ପଡ଼ିଯିବାକୁ ନେଇ ଯୁକ୍ତିତର୍କ ହେବାପରେ ଶିବକୁ ତା’ର ୩ଜଣ ସହପାଠୀ ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା କରିଥିବାର ସନ୍ଦେହ କରାଯାଉଛି । ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଏହି ତଦନ୍ତକୁ ତ୍ୱରାନ୍ୱିତ କରିଛି । ପୁଲିସ ଏହି ହତ୍ୟା ଘଟଣାରେ ୩ଜଣ ସହପାଠୀ(କିସ୍ ଛାତ୍ର)ଙ୍କୁ ଅଟକ ରଖିଥିବାବେଳେ ନନ୍ଦନକାନନ ଓ ଇନଫୋସିଟି ଥାନାରେ ‘କିସ’ର ୫ଜଣ କର୍ମଚାରୀଙ୍କୁ ମଧ୍ୟ ଜେରା କରୁଥିବା ଜଣାପଡ଼ିଛି ।

Advertisment


ଏହି ଘଟଣାରେ କିସ୍ କର୍ତ୍ତୃପକ୍ଷଙ୍କ ଭୂମିକାକୁ ମଧ୍ୟ ପୁଲିସ ନିଜର ତଦନ୍ତ ପରିସରକୁ ନେଇଥିବା ଜଣାପଡ଼ିଛି । ଶିବଙ୍କ ମୃତ୍ୟୁ ପରେ କାହିଁକି ତା’ର ଶବ ବ୍ୟବଚ୍ଛେଦ କରାଗଲାନି ଓ ପରିବାର ଲୋକଙ୍କୁ ମିଛ କହି କାହିଁକି ଶବ ହସ୍ତାନ୍ତର କରାଗଲା ତା’ର ଖୋଳତାଡ଼ ପୁଲିସ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ସାମାନ୍ୟ ଡାଲି ପଡ଼ିଯିବା ଘଟଣାକୁ ନେଇ ନିଜର ସହପାଠୀଙ୍କୁ ତଂଟି ଚିପି ହତ୍ୟା କରାଯିବା ପରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମାନସିକତା ଓ ଆଭ୍ୟନ୍ତରୀଣ ସୁରକ୍ଷା-ଶୃଙ୍ଖଳାକୁ ନେଇ ମଧ୍ୟ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 


ପୂର୍ବରୁ ଚଳିତବର୍ଷ ଅଗଷ୍ଟ ୨୫ତାରିଖରେ ୪ର୍ଥ ଶ୍ରେଣୀ ଆଦିବାସୀ ଛାତ୍ର ମିଲନ ଓରାମଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ମିଲନଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବାର ୨୪ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା । କେନ୍ଦୁଝର ସଦର ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ ସେ ଦିଗରେ କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି । ନିରୀହ ଆଦିବାସୀ ପରିବାରର ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ ନାଁରେ ଆଣି ସେମାନଙ୍କୁ ଏଭଳି ଅମାନବୀୟ ଅବସ୍ଥାରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବାରେ କିସ୍ କର୍ତ୍ତୃପକ୍ଷ ପଛାଉନଥିବା ଜଣାପଡ଼ିଛି।


କିସ୍ ପରିସରରେ ଶିଶୁ ଅଧିକାର ଆୟୋଗଙ୍କ ତଦନ୍ତ ଆରମ୍ଭ 


କିସ୍ ଛାତ୍ର ଶିବ ମୁଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ଏବେ ହତ୍ୟାର ରୂପ ନେବା ପରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ସକ୍ରିୟ ହୋଇପଡ଼ିଛନ୍ତି । ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ତାଙ୍କ ଟିମ୍ ସହ କିସ୍ ପରିଦର୍ଶନ କରି ପ୍ରାରମ୍ଭିକ ତଦନ୍ତ କରିଛନ୍ତି । ପିଲାମାନଙ୍କ ସହ କୌଣସି ପ୍ରକାରର ନିର୍ଯାତନାକୁ ବରଦାସ୍ତ କରାଯିବ ନାହିଁ ବୋଲି ଦୁଇଦିନ ପୂର୍ବରୁ ‘ଓଡ଼ିଶା ରିପୋର୍ଟର’କୁ ଶ୍ରୀମତୀ ପାତ୍ର ସୂଚନା ଦେଇଥିଲେ । ପୂର୍ବରୁ ମଧ୍ୟ ମିଲନ ଓରାମଙ୍କ ମୃତ୍ୟୁକୁ ନେଇ ଆୟୋଗ ନିଜ ଆଡ଼ୁ ମାମଲା ରୁଜୁ କରିବା ସହ କିସ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ । ଏହାସହିତ ଜିଲ୍ଲା ପ୍ରଶାସନ ଓ ପୁଲିସକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମିଲନ ପରେ ଶିବଙ୍କ ମୃତ୍ୟୁ ହେବାପରେ ଆୟୋଗ ନିଜର ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ କାହିଁକି ଏଭଳି ବାରମ୍ବାର ଘଟୁଛି ତା’ର ପୂର୍ଣ୍ଣଚ୍ଛେଦ ପଡ଼ିବା ଉପରେ ଗୁରୁତ୍ୱ ଦେଇଛନ୍ତି ।


ସନ୍ଦେହଘେରରେ କିମସ ହସ୍ପିଟାଲ ଡାକ୍ତର ଓ କିସ୍ ପ୍ରତିଷ୍ଠାତା


ସୂଚନା ଅନୁସାରେ, ଶିବଙ୍କୁ ପ୍ରଥମେ କିମସ୍ ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ନକରି ପରିବାର ଲୋକଙ୍କୁ ମିଛ କହି ହସ୍ତାନ୍ତର କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଡାକ୍ତର ଓ କିସ୍ ପ୍ରଶାସନ ତାଙ୍କଠୁ କାଗଜପତ୍ରରେ ଦସ୍ତଖତ କରାଇ ନେଇ ପୁଅର ଶବ ଘରକୁ ନେଇଯିବା ପାଇଁ କହିଥିଲେ । କିସ୍ କର୍ତ୍ତୃପକ୍ଷଙ୍କ ଏଭଳି ଅମାନବୀୟ ଆଚରଣକୁ ବୁଝି ପାରିନଥିବା ବୁଝିପାରିନଥିବା ନିରୀହ ଆଦିବାସୀ ପରିବାର ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ମୃତ ଛାତ୍ର ଶିବଙ୍କ ପରିବାର କିସ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏସବୁ ଭିତରେ କିମସ୍ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରମାନେ କାହା ଚାପରେ ଏଭଳି କରିଥିଲେ ତାକୁ ପୁଲିସ ମଧ୍ୟ ତଦନ୍ତ ପରିସରକୁ ନେଇଥିବା ଜଣାପଡ଼ିଛି ।


 ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ବିଧାୟକ


କେନ୍ଦୁଝର ଜିଲ୍ଲାର ପାଟଣା ବିଧାୟକ ଅଖିଳ କୁମାର ନାଏକ ଆଦିବାସୀ ଛାତ୍ର ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏଭଳି ମାନସିକତା କାହିଁକି ବଢ଼ୁଛି ଓ ହତ୍ୟା ପର୍ଯ୍ୟନ୍ତ କଥା କିଭଳି ଗଲା ବୋଲି ସେ ପ୍ରଶ୍ନ କରିବା ସହ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ସଚେତନ ହେବା ଜରୁରୀ । ଉଚ୍ଚସ୍ତରୀୟ ତଦନ୍ତ ହେଲେ ସବୁକଥା ସାମ୍ନାକୁ ଆସିପାରିବ । ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନହେଉ ବୋଲି ସେ କହିଛନ୍ତି । 


ଅନ୍ୟପକ୍ଷରେ କିସରେ ଅସ୍ୱାସ୍ଥ୍ୟକର ପରିବେଶ ଓ ପିଲାଙ୍କ ମାନସିକ ଅବସ୍ଥାକୁ ନେଇ ଜିଲ୍ଲା ଶିଶୁ କଲ୍ୟାଣ କମିଟି ଚେତାବନୀ ଦେଇଥିଲେ । ଏପରିକି ଜାତୀୟ ମାନବାଧିକାର ଆୟୋଗ ମଧ୍ୟ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଳେ । କିନ୍ତୁ ଏସବୁ ସତ୍ତ୍ୱେ ସରକାର କେବଳ ନିରବଦ୍ରଷ୍ଟା ସାଜିଛନ୍ତି । କିସ୍ ଓ କିଟରେ ନିରୀହ ଛାତ୍ରଛାତ୍ରୀଙ୍କ ଜୀବନ ଯାଉଥିବାବେଳେ ସରକାରଙ୍କ ଏହି ନୀରବତା ‘କିଟ ଓ କିସ୍‌’ ଭଳି କର୍ପୋରେଟ୍ ଶକ୍ତି ଆଗରେ ମୁଣ୍ଡ ନୁଆଁଇବା ସଦୃଶ ହୋଇଛି । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ବଢ଼ିବାରେ ଲାଗିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe