/odisha-reporter/media/media_files/2025/11/02/car-2025-11-02-16-01-43.jpg)
ଦୁର୍ଘଟଣାଗ୍ରସ୍ତ କାର
ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଭୈରବୀ କଲେଜ ଛକ ନିକଟରେ ଏକ ଟ୍ରକ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।
କାର୍ଟି ଭୁବନେଶ୍ୱରରୁ ବରଗଡ଼ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। କାରର ସମ୍ମୁଖ ଭାଗ ସାଂଘାତିକ ଭାବେ ନଷ୍ଟ ହୋଇଯାଇଛି।
ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ କାର ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଆହତମାନେ ବରଗଡ଼ ଜିଲ୍ଲା ଭେଡ଼େନ ଅଞ୍ଚଳର ବୋଲି ଜଣାପଡ଼ିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ଘଟଣାର ତଦନ୍ତ କରୁଛି।
ସେହିପରି ବୌଦ୍ଧ ଜିଲ୍ଲାରେ ଆଜି ଆଉ ଏକ ଦୁର୍ଘଟଣା ଘଟିଛି। ଘରୁ ଫେରାର ହୋଇଯାଉଥିବା ବେଳେ ସଡ଼କ ଦୁର୍ଘଟଣାରେ ପ୍ରେମିକଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରେମିକାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହରଭଙ୍ଗା ଥାନା ଶୀତଳପାଣି ରାସ୍ତାର ବଡ଼ଜୋର ନାଳ ବୁଲାଣି ନିକଟରେ ଏହି ଦୁର୍ଘଟଣା ଘଟିଛି।
ମୃତ ଯୁବକଙ୍କ ନାଁ ଅମୂଲ୍ୟ ବେହେରା। ତାଙ୍କ ଘର ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଛତ୍ରଙ୍ଗ ଗାଁରେ। ସେହିପରି ଗୁରୁତର ଆହତ ଯୁବତୀଙ୍କ ଘର ହରଭଙ୍ଗା ଥାନା ଭାବପୁର ଅଞ୍ଚଳରେ।
ସୂଚନା ଅନୁଯାୟୀ, ସେମାନେ ଆଜି ଭୋରରେ ବାଇକ୍ ଯୋଗେ ଘରୁ ଫେରାର ହୋଇଯାଉଥିବା ବେଳେ ଶୀତଳପାଣି ରାସ୍ତାର ବଡ଼ଜୋର ନାଳ ବୁଲାଣି ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
ଦ୍ରୁତଗତିରେ ଯାଉଥିବାରୁ ବାଇକ୍ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି କୁହାଯାଉଛି। ଘଟଣାସ୍ଥଳରେ ପ୍ରେମିକଙ୍କ ମୃତ୍ୟୁ ଘଟିଥିଲା।
ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଘଟଣା ସଂପର୍କରେ ହରଭଙ୍ଗା ଥାନା ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ସହିତ ଦୁର୍ଘଟଣାଗ୍ରସ୍ତ ବାଇକ୍ଟିକୁ ଜବତ କରିଥିଲା। ଏହା ସହିତ ଗୁରୁତର ଆହତ ଯୁବତୀଙ୍କୁ ହରଭଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲା।
ଖବର ପାଇ ଉଭୟ ଯୁବକ ଓ ଯୁବତୀଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
