Advertisment

Elephant Attack: ହାତୀ ଆକ୍ରମଣରେ ୨ ମୃତ

ରଣପୁର ରେଞ୍ଜ ମୟୁରଝାଳିଆ ଗ୍ରାମର କାଳିଆ ମହାରଣା ସକାଳୁ ସକାଳୁ କାଜୁ ବଗିଚାରେ ସଫେଇ କାର୍ଯ୍ୟ କରିବା ପାଇଁ ସାଇକେଲ ଯୋଗେ ବାହାରି ଯାଇଥିଲେ। ସେଠାରେ ସେ କାମ କରୁଥିବା ବେଳେ ଗୋଠ ଛଡ଼ା ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ।

author-image
Jitendra Garnayak
Elephant attack

ନୟାଗଡ଼ ଜିଲ୍ଲାରେ ଭିନ୍ନ ଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧ ଓ ଜଣେ ଯୁବକ ଅଛନ୍ତି।

Advertisment

ଜିଲ୍ଲାର ରଣପୁର ରେଞ୍ଜରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ଦନ୍ତା ହାତୀ ଆକ୍ରମଣରେ ଏଠାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କାଳିଆ ମହାରଣା। 

ରଣପୁର ରେଞ୍ଜ ମୟୁରଝାଳିଆ ଗ୍ରାମର କାଳିଆ ମହାରଣା ସକାଳୁ ସକାଳୁ କାଜୁ ବଗିଚାରେ ସଫେଇ କାର୍ଯ୍ୟ କରିବା ପାଇଁ ସାଇକେଲ ଯୋଗେ ବାହାରି ଯାଇଥିଲେ। ସେଠାରେ ସେ କାମ କରୁଥିବା ବେଳେ ଗୋଠ ଛଡ଼ା ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। 

Advertisment

ସେହିଭଳି ପଟିଆ ସେକ୍ସନ ରଣ୍ଡାରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ରଣପୁର ବନ ବିଭାଗ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛି।  ବାରମ୍ବାର ରଣପୁର ରେଞ୍ଜରେ ହାତୀ ଆକ୍ରମଣ କରୁଥିବା ବେଳେ ଏଥିପାଇଁ ଲୋକେ ବନ ବିଭାଗକୁ ଦାୟୀ କରିଛନ୍ତି। ବନ ବିଭାଗର ଦାୟିତ୍ୱହୀନତା ପାଇଁ ଏଭଳି ଘଟଣା ଘଟୁଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ତିନି ଦିନ ତଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଜଲମେରିପଲ୍ଲୀ ଗାଁରେ ଏକ ଗୋଠଛଡ଼ା ଦନ୍ତା ହାତୀର ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ସେମାନେ ହେଉଛନ୍ତି ଗାଁର ଉର୍ମିଳା ରାଉତ ଓ ଗୋପୀନାଥ ପ୍ରଧାନ। ଦୁଇ ମୃତକଙ୍କ ମଧ୍ୟରୁ ଉର୍ମିଳାଙ୍କ ଚକ୍ଷୁ ଦୁଇଟିକୁ ପରିବାର ଲୋକେ ଦାନ କରି ଦେଇଥିଲେ। ସବୁ ଦିନ ଭଳି ସେଦିନ ସକାଳେ ଜଲମେରିପଲ୍ଲୀ ଗାଁର କିଛି ପରିବା ଚାଷୀ ନିଜ ନିଜ ପରିବାରର ସଦସ୍ୟଙ୍କ ସହିତ ବଗିଚାକୁ କାମ କରିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରେ ଉର୍ମିଳା ଓ ଗୋପୀନାଥ ମଧ୍ୟ ଥିଲେ। ଉର୍ମିଳାଙ୍କୁ ତାଙ୍କ ସ୍ୱାମୀଙ୍କ କାନ୍ଧରୁ ଟାଣି ନେଇ କଚାଡ଼ି ମାରି ଦେଇଥିଲା ଦନ୍ତା ହାତୀ। 

ପଶୁ-ମଣିଷ ଲଢ଼େଇରେ ଗଡୁଛି ମୁଣ୍ଡ

ବିଗତ ପାଞ୍ଚ ବର୍ଷରେ ରାଜ୍ୟରେ ମଣିଷ ଓ ପଶୁ ସଂଘର୍ଷରେ ୮୦୮ ଜଣ ମଣିଷଙ୍କ ମୃତ୍ୟୁ ଘଟିଛି।  ସେହିପରି ୨୦୬୦ ଜଣ ମଣିଷ ଆହତ ହୋଇଛନ୍ତି। ୧୬୧୯ ଗୋଟି ଗୃହ ପାଳିତ ପଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ହଜାର ୩୮୨ଟି ଘର ନଷ୍ଟ ହୋଇଛି। ତା’ ସହିତ ୯୩ ହଜାର ୯୯୩.୫୯ ଏକର ଫସଲ ନଷ୍ଟ ହୋଇଛି। ଗତକାଲି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ବିଧାନସଭାରେ ଏହି ଲିଖିତ ଉତ୍ତର ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ।

ବର୍ଷକରେ ମରିଛନ୍ତି ୧୧୪ ହାତୀ 

ରାଜ୍ୟରେ ହାତୀ ଓ ମଣିଷ ଲଢ଼େଇ ଜାରି ରହିଥିବା ବେଳେ ଗତ ବର୍ଷକ ମଧ୍ୟରେ ମରିଛନ୍ତି ୧୧୪ଟି ହାତୀ। ଗତକାଲି ବିଧାନସଭାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ତଥ୍ୟ ଦେଇଛନ୍ତି। ସର୍ବାଧିକ ୪୨ଟି ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ବେଳେ ବିଭିନ୍ନ ରୋଗରେ ୨୯ଟି ହାତୀ ମରିଛନ୍ତି। ସେହିପରି ଶିକାରୀଙ୍କ ଦ୍ଵାରା ୬ଟି ହାତୀକୁ ହତ୍ୟା କରାଯାଇଥିବା ବେଳେ ଲୋକଙ୍କ ପ୍ରତିଶୋଧ ପରାୟଣ ପାଇଁ ୩ଟି ହାତୀ ଓ ରେଳ ଦୁର୍ଘଟଣାରେ ୪ଟି  ହାତୀ ପ୍ରାଣ ହରାଇଛନ୍ତି। ସେହିପରି ପ୍ରାକୃତିକ କାରଣ ଯୋଗୁ ୧୭ଟି ମୃତ୍ୟୁ ଘଟିଛି। ପାହାଡ଼ରୁ ପଡ଼ି, ନଦୀ ନାଳରେ ପଡ଼ି ଓ ନିଜ ଭିତରେ କଳହ ହୋଇ ୧୩ଟି ହାତୀଙ୍କ ମୃତ୍ୟୁ ଘଟିଛି। ଅପ୍ରାକୃତିକ ହାତୀ ମୃତ୍ୟୁ ପାଇଁ ୯୩ ଜଣ ଲୋକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।