Advertisment

Murder: ବିକ୍ରମଙ୍କ ସପକ୍ଷରେ ୪୪ ଓକିଲ ବାହାରିବା ପରେ ପୀତବାସଙ୍କୁ ନ୍ୟାୟ ଦେବାକୁ ଏକାଠି ହେଲେ ୨୦୯ ଓକିଲ

ପୀତବାସଙ୍କୁ ନ୍ୟାୟ ଦେବାକୁ ୨୦୯ ଓକିଲ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ତାଙ୍କ ଭାଇ କୃଷ୍ଣଚନ୍ଦ୍ର ପଣ୍ଡା। ଆଗକୁ ଏହି ମାମଲାର ପରିଚାଳନା ସରକାରୀ ଓକିଲ କରିବାକୁ ଥିବା ବେଳେ ଏହି ୨୦୯ ଜଣ ଓକିଲ ସେମାନଙ୍କୁ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି।

author-image
Jitendra Garnayak
lawyer

ପୀତବାସ ପଣ୍ଡା ହତ୍ୟା ମାମଲାରେ ରୋଚକ ମୋଡ଼। ଏହି ମାମଲାର ଅନ୍ୟତମ ପ୍ରମୁଖ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଗିରଫକୁ ବିରୋଧ କରି ତଥା ତାଙ୍କ ସପକ୍ଷରେ ଲଢ଼ିବାକୁ ୪୪ ଜଣ ଓକିଲ ୱକାଲତନାମା ଦାଖଲ କରିଥିବା ବେଳେ ତାଙ୍କ ବିରୋଧରେ ଲଢ଼ିବାକୁ ବାହାରିଛନ୍ତି ୨୦୯ ଜଣ ଓକିଲ।

Advertisment

ବିକ୍ରମ ପାଇଁ ମାମଲା ଲଢ଼ିବାକୁ ୪୪ ଜଣ ଓକିଲ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ୱକାଲତନାମା ଦାଖଲ କରିସାରିଛନ୍ତି। ତେବେ ବିକ୍ରମଙ୍କୁ ଏହି ମାମଲାରୁ ମୁକ୍ତ କରିବା ପାଇଁ ଗତକାଲି ଏସ୍‌ଡିଜେମ୍‌ କୋର୍ଟରେ ଏକ ପିଟିସନ ଦାଖଲ ହେବା ପରେ ଏକଜୁଟ ହୋଇଛନ୍ତି ପୀତବାସଙ୍କୁ ସମର୍ଥନ କରୁଥିବା ଓକିଲ। ବିକ୍ରମଙ୍କ ସପକ୍ଷରେ ବାହାରିଥିବା ୪୪ ଜଣ ଓକିଲଙ୍କ ମଧ୍ୟରୁ ଜଣେ ଏହି ପିଟିସନ ଦାଖଲ କରିଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ମୃତ ପୀତବାସଙ୍କୁ ନ୍ୟାୟ ଦେବା ପାଇଁ ସେମାନେ ଏକାଠି ହୋଇଛନ୍ତି ୨୦୯ ଜଣ ଓକିଲ। ଆଉ ଆଜି ସେମାନେ ୱକାଲତନାମା ଦାଖଲ କରିଛନ୍ତି।

ପୀତବାସଙ୍କୁ ନ୍ୟାୟ ଦେବାକୁ ୨୦୯ ଓକିଲ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ତାଙ୍କ ଭାଇ କୃଷ୍ଣଚନ୍ଦ୍ର ପଣ୍ଡା। ଆଗକୁ ଏହି ମାମଲାର ପରିଚାଳନା ସରକାରୀ ଓକିଲ କରିବାକୁ ଥିବା ବେଳେ ଏହି ୨୦୯ ଜଣ ଓକିଲ ସେମାନଙ୍କୁ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି। ଆଗକୁ ତାଙ୍କ ଭାଇଙ୍କ ସମର୍ଥନରେ ଆହୁରି କିଛି ଓକିଲ ମଧ୍ୟ ୱକାଲତନାମା ଦାଖଲ କରିବେ ବୋଲି ସେ କହିଛନ୍ତି।

Advertisment

ଏହି ମାମଲାରେ ଏଯାଏ ୧୬ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗୁଳି କରିଥିବା ବ୍ୟକ୍ତି ମଧ୍ୟ ଅଛନ୍ତି। ପୁଲିସ୍ ସିନ୍‌ ରିକ୍ରିଏସନ କରି ସାରିଛି। ତେବେ ୟା ମଧ୍ୟରେ ହାଇକୋର୍ଟର ଦୁଇ ଜଣ ବରିଷ୍ଠ ଆଡ୍‌ଭୋକେଟ୍‌ଙ୍କୁ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ନିଯୁକ୍ତି ଦେବାକୁ ବ୍ରହ୍ମୁପର ଏସ୍‌ପି କ୍ରାଇମବ୍ରାଞ୍ଚ ଡିଜିଙ୍କ ମାଧ୍ୟମରେ ସରକାରଙ୍କୁ ଚିଠି ଲେଖିଛନ୍ତି। ମାମଲାଟି ସମ୍ବେଦନଶୀଳ ହୋଇଥିବା ଦୃଷ୍ଟିରୁ ଏସ୍‌ପି ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତି ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ସେ ଆଡ୍ଭୋକେଟ୍ କାଳିଚରଣ ମିଶ୍ର ଓ ଆଡ୍ଭୋକେଟ୍ ଅବିନାଶ ପାଢ଼ୀଙ୍କ ନାମ ସୁପାରିସ କରିଛନ୍ତି।  ଏସ୍ପି ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ ଯେ ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ଏହାକୁ ଜଣେ ଅଭିଜ୍ଞ ସ୍ୱତନ୍ତ୍ର ସରକାରୀ ଓକିଲ ଲଢ଼ିବାର ଆବଶ୍ୟକତା ରହିଛି। ଓଡ଼ିଶା ହାଇକୋର୍ଟର ଆଡ୍ଭୋକେଟ୍ କାଳିଚରଣ ମିଶ୍ର ସିବିଆଇରେ ବିଭିନ୍ନ ପଦପଦବୀ- ସରକାରୀ ଓକିଲ, ବରିଷ୍ଠ ସରକାରୀ ଓକିଲ, ଉପ ଆଇନ ପରାମର୍ଶଦାତା ଓ ଅତିରିକ୍ତ ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରି ସାରା ଦେଶରେ ଅନେକ ସମ୍ବେଦନଶୀଳ ମାମଲା ଲଢ଼ିଛନ୍ତି। ବ୍ରହ୍ମପୁର କୋର୍ଟରେ ସେ ଏହି ମାମଲା ଲଢ଼ିବା ପାଇଁ ତାଙ୍କର ସମ୍ମତି ପ୍ରଦାନ କରିଛନ୍ତି। ସେହିପରି ଏହି ମାମଲାରେ କାଳିଚରଣ ମିଶ୍ରଙ୍କ ସହାୟତା କରିବା ପାଇଁ ସହକାରୀ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ କାର୍ଯ୍ୟ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟର ଆଡ୍ଭୋକେଟ୍ ଅବିନାଶ ପାଢ଼ୀ।