ପୁଲିସ୍ ଗୁଳିରେ ୨ ନକ୍ସଲ ନିହତ

ବଲାଙ୍ଗିର/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ଠାରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼ରେ ଗୁରୁବାର ମୁହାଁମୁହିଁ ହୋଇଛନ୍ତି ପୁଲିସ୍ ଓ ନକ୍ସଲ। ଏଥିରେ ପୁଲିସ୍ ଗୁଳିରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ଦୁଇ ନିହତ ନକ୍ସଲ ମହିଳା।

ଆଜି ସକାଳେ ପୁଲିସ୍ ପକ୍ଷରୁ ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନ କରାଯାଇଥିଲା। ଏହି ସମୟରେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଗୁଳିମାଡ଼ରେ ୨ ଜଣ ମହିଳା ନକ୍ସଲ ନିହତ ହୋଇଥିବା ବେଳେ ପୁଲିସ୍ ମୃତଦେହ ଗୁଡ଼ିକୁ ଜବତ କରିଛି। ଉକ୍ତ ଅଞ୍ଚଳରେ ପୁଲିସ୍‌ ପକ୍ଷରୁ କମ୍ବିଂ ଅପରେସନ୍ ଜାରି ରହିଛି।

ଡିଜିପି ସୁନୀଲ କୁମାର ବଂଶଲ କହିଛନ୍ତି, ମୋଟ ୫ ଜଣ ନକ୍ସଲ ଥିଲେ। ୨ ଜଣ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଛି। ସେମାନଙ୍କୁ ଚିହ୍ନଟ କରାଯାଇଛି। ଉଭୟଙ୍କ ଘର ଛତିଶଗଡ଼ରେ। ସେମାନଙ୍କ ମୁଣ୍ଡ ଉପରେ ୪ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଥିଲା। ଏବେ ବି କମ୍ବିଂ ଚାଲିଛି। ଖସି ଯାଇଥିବା ନକ୍ସଲଙ୍କୁ ଧରିବାକୁ ଚେଷ୍ଟା କରାଯାଉଛି।

ପଦ୍ମପୁର ଉପ-ନିର୍ବାଚନ ପୂର୍ବରୁ ବରଗଡ଼-ବଲାଙ୍ଗିର ଜିଲ୍ଲାର ସୀମାବର୍ତ୍ତୀ ଗନ୍ଧମାର୍ଦ୍ଦନ ପାହାଡ଼ରେ ପୁଲିସ ଓ ନକ୍ସଲ ମୁହାଁମୁହିଁ ହେବା ଘଟଣା ଦୁଇ ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।