/odisha-reporter/media/post_attachments/uploads/2022/09/two-death.jpg)
two-death
ବଡ଼ମ୍ବା(ଓଡ଼ିଶା ରିପୋର୍ଟର): ଆଜି ସକାଳ ୯ଟାରେ ଚାଲିଗଲା ଝିଅ। ପୂର୍ବାହ୍ନ ୧୧ଟାରେ ଚାଲି ଯାଇଛି ପୁଅ। କଟକ ଏସ୍ସିବି ରୋଗୀ ଶଯ୍ୟାରେ ଚିକିତ୍ସା ବେଳେ ଦୁହେଁ ଆଖି ବୁଜିଛନ୍ତି। ସେପଟେ ସେମାନଙ୍କ ମା’ ଘରୋଇ ମେଡ଼ିକାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏହି ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ବାପା। କଟକ ବଡମ୍ବା ମାଣିଆବନ୍ଧ ଅଧିନ ଅଭିମାନପୁର ବୀରବରପୁର ଗାଁ’ରୁ ଆସିଛି ଏହି ହୃଦୟବିଦାରକ ଖବର। ମୃତ ଭାଇ ଓ ଭଉଣୀ ହେଲେ ରୁଦ୍ର ପାତ୍ର(୧୦ବର୍ଷ) ଏବଂ ରୁଚିକା ପାତ୍ର(୭ବର୍ଷ)।
ମିଳିଥିବା ସୂଚନା ମୁତାବକ, ଗୁରୁବାର ରାତିରେ ମା’ ରୁପା ପାତ୍ର ନିଜ ହାତରେ ତିଆରି କରିଥିଲେ ଚାଟ, ଘୁଗୁନି ଓ ଭାତ। ସମସ୍ତେ ଆନନ୍ଦ ଉଲ୍ଲାସର ସହ ଖାଇଥିଲେ। ଏହା ପରଦିନ ପୂରା ପରିବାର ଝାଡ଼ାବାନ୍ତିରେ ପଡ଼ିଥିଲେ। ତେଣୁ ଶୁକ୍ରବାର ସକାଳ ପ୍ରାୟ ୯ଟା ବେଳେ ସମସ୍ତେ ଅଟୋ ଯୋଗେ ନିକଟସ୍ଥ ମାଣିଆବନ୍ଧ ମେଡିକାଲ ଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସମସ୍ତଙ୍କୁ କଟକ ସ୍ଥାନାନ୍ତର କରିଦେଇଥିଲେ। ଚିକିତ୍ସା ଚାଲିଥିବା ବେଳେ ଏସ୍ସିବି ମେଡିକାଲରେ ପୁଅ, ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା ଓ ବାପା ଏବେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଖାଇଥିବା ଖାଦ୍ୟ ବିଷକ୍ରିୟା ହେବା ଯୋଗୁ ଏଭଳି ଅଘଟଣ ଘଟିଥିବା ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ଦୁଇ ଶିଶୁଙ୍କ ଶବ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
