ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନିକଟରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତା’ ସହିତ ସୁନ୍ଦରଗଡ଼ରେ ଏନ୍ଟିପିସି ଦ୍ୱାରା ନିର୍ମିତ ହୋଇଥିବା ୫୦୦ ଶଯ୍ୟା, ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଏବଂ ତାଳଚେରର ଏମ୍ସିଏଲ୍ ମେଡିକାଲ କଲେଜ ଓ ହସ୍ପିଟାଲକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ।
ଉଭୟଙ୍କ ମଧ୍ୟରେ ସାକ୍ଷାତ ବେଳେ କ୍ଲିନ ଏନର୍ଜି ସେସ୍ ନେଇ ଆଲୋଚନା ହୋଇଥିଲା। ଓଡ଼ିଶାରୁ ବର୍ଷକୁ ୫୦ ହଜାର କୋଟି ଟଙ୍କାର କ୍ଲିନ ଏନର୍ଜି ସେସ୍ ସଂଗ୍ରହ କରାଯାଉଥିବା ବେଳେ ଏହାର ୬୦ ପ୍ରତିଶତ ଅର୍ଥାତ ୩୦ ହଜାର କୋଟି ଟଙ୍କା ରାଜ୍ୟକୁ ପ୍ରଦାନ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଥିଲେ। କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସହ ଥିଲେ ରେଳ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ଦାନବେ। ଉଭୟ ସିଂହଦ୍ଵାରଠାରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଦର୍ଶନ ସମୟରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ସେବାୟତ ଓ ବିଜେପୀ କର୍ମୀମାନେ ଉପସ୍ଥିତ ରହିଥିଲେ। ମହାପ୍ରଭୁଙ୍କ ଦର୍ଶନ ସହ ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ ସହ ବେଢ଼ା ପରିକ୍ରମା କରିଥିଲେ। ପରେ ଉଭୟ ମନ୍ତ୍ରୀ ମହାପ୍ରଭୁଙ୍କ ମହାପ୍ରସାଦ ସେବନ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।