Advertisment

Union Minister’s Statement: ଦେଢ଼ବର୍ଷରେ ୪ଜିଲ୍ଲାରେ ୧୦୯ଖଣି ପ୍ରକଳ୍ପକୁ ମିଳିଛି ପରିବେଶ ମଞ୍ଜୁରୀ, ପ୍ରଦୂଷିତ ହେଉଛି ଓଡ଼ିଶା ଆକାଶ

ଆଦିବାସୀବହୁଳ ରାୟଗଡ଼ା, କୋରାପୁଟ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଏହି ଖଣି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ମିଳିଥିବାବେଳେ ରାଜ୍ୟର ୭ଟି ସହରକୁ ବିପଦଜନକ ପ୍ରଦୂଷିତ ସହର ଭାବେ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି।

Mining-RS
Advertisment

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଦ୍ରୁତ ଶିଳ୍ପାୟନ ଓ ଖଣି ଖନନ ପ୍ରକ୍ରିୟା ଏକ ନୂଆ ମୋଡ଼ ନେଇଛି। ମାତ୍ର ଦେଢ଼ବର୍ଷ ମଧ୍ୟରେ ରାଜ୍ୟର ୪ଟି ଜିଲ୍ଲାରେ ୧୦୯ଟି ଖଣି ପ୍ରକଳ୍ପ ଓ ୬ଟି ଶିଳ୍ପ ପ୍ରକଳ୍ପକୁ ସରକାର ପରିବେଶ ମଞ୍ଜୁରୀ ପାଇବାରେ ସକ୍ଷମ ହୋଇଛନ୍ତି । ବିଶେଷକରି ଆଦିବାସୀବହୁଳ ରାୟଗଡ଼ା, କୋରାପୁଟ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଏହି ଖଣି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ମିଳିଥିବାବେଳେ ରାଜ୍ୟର ୭ଟି ସହରକୁ ବିପଦଜନକ ପ୍ରଦୂଷିତ ସହର ଭାବେ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି । ଆଜି ରାଜ୍ୟସଭାରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ କୀର୍ତ୍ତିବଦ୍ଧନ ସିଂହ ଦେଇଥିବା ଲିଖିତ ଉତ୍ତରରୁ ଏହି ସୂଚନା ମିଳିଛି ।

Advertisment


ଦେଢ଼ବର୍ଷରେ ୧୦୯ ଖଣି ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟର ୪ଟି ଆଦିବାସୀବହୁଳ ଜିଲ୍ଲା ଯଥା କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା ଏବଂ ସୁନ୍ଦରଗଡ଼ରେ ପରିବେଶ ଓ ଜଙ୍ଗଲ ମଞ୍ଜୁରୀ ପ୍ରଦାନ ପରିମାଣ ବୃଦ୍ଧି ପାଇଛି । କେନ୍ଦ୍ରମନ୍ତ୍ରୀଙ୍କ  ସୂଚନା ଅନୁସାରେ, ୨୦୨୪ ଏପ୍ରିଲ ୧ରୁ ୨୦୨୫ ଡିସେମ୍ବର ୩୧ସୁଦ୍ଧା ଅର୍ଥାତ୍ ଦେଢ଼ବର୍ଷ ମଧ୍ୟରେ ଏହି ୪ଟି ଜିଲ୍ଲାରେ ୧୦୯ଟି ଖଣି ପ୍ରକଳ୍ପ ଓ ୬ଟି ଶିଳ୍ପ ପ୍ରକଳ୍ପକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଓ ରାଜ୍ୟସ୍ତରୀୟ ପରିବେଶ ପ୍ରଭାବ ଆକଳନ ପ୍ରାଧିକରଣ(ଏସଇଆଇଏଏଏ)ଙ୍କ ଦ୍ୱାରା ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି ।  

କେବଳ ସେତିକି ନୁହେଁ, ଏହି ଅବଧି ମଧ୍ୟରେ ସମ୍ପୃକ୍ତ ୪ଟି ଜିଲ୍ଲାର ୩୩ଟି ଖଣି ଓ ଶିଳ୍ପ ପ୍ରକଳ୍ପ ନିମନ୍ତେ ଷ୍ଟେଜ୍‌-୨ ଜଙ୍ଗଲ ଜମି ଅନୁମତି ଦିଆଯାଇଛି । ଯେଉଁଥିରେ ୪ଟି ଜିଲ୍ଲାର ପ୍ରାୟ ୬୯୬.୭୨ ହେକ୍ଟର ମୂଲ୍ୟବାନ ଜଙ୍ଗଲ ଜମିକୁ ଶିଳ୍ପ ଓ ଖଣି ଖନନ ପାଇଁ ଉପଯୋଗର ଅନୁମତି ମିଳିଛି ।

Advertisment

ମୟୂରଭଞ୍ଜରେ ସର୍ବାଧିକ ୩୨ ଓ ରାୟଗଡ଼ାରେ ୨୯ ଖଣି ପ୍ରକଳ୍ପ

କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ, ବିଗତ ଦେଢ଼ବର୍ଷ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୩୨ଟି ଖଣି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଥିବାବେଳେ ରାୟଗଡ଼ା ଜିଲ୍ଲାର ୩୧ଟି ପ୍ରକଳ୍ପ (୨୯ଟି ଖଣି ଓ ୨ଟି ଶିଳ୍ପ) ଅନୁମତି ପାଇଛି । ସେହିପରି କୋରାପୁଟ ଜିଲ୍ଲାରେ ୨୬ଟି ଖଣି ପ୍ରକଳ୍ପ ଓ ସୁନ୍ଦରଗଡ଼ରେ ମୋଟ ୨୬ଟି ଖଣି ପ୍ରକଳ୍ପ(୪ଟି ଶିଳ୍ପ ପ୍ରକଳ୍ପ ସମେତ)କୁ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୪୮୩.୨୬ ହେକ୍ଟର ଜଙ୍ଗଲ ଜମିକୁ ଶିଳ୍ପ ନିମନ୍ତେ ଉପଯୋଗର ଅନୁମତି ଦିଆଯାଇଛି ।

ସେହିପରି କୋରାପୁଟରେ ୧୧୫.୬୫ ହେକ୍ଟର ଓ ରାୟଗଡ଼ା ଓ ମୟୂରଭଞ୍ଜରେ ମଧ୍ୟ ବ୍ୟାପକ ଜଙ୍ଗଲ ଜମିକୁ ହସ୍ତାନ୍ତର କରାଯାଇଛି । ଆଦିବାସୀ ବହୁଳ ଏହି ଅଂଚଳଗୁଡ଼ିକରେ ଲୋକଙ୍କ ଜୀବନରେଖା କୁହାଯାଉଥିବା ଜଙ୍ଗଲ ଜମିରେ ଖଣି ଓ ଶିଳ୍ପ ପାଇଁ ଅନୁମତି ଦେବାବେଳେ କ୍ଷତିପୂରଣମୂଳକ ବନୀକରଣ ପାଇଁ ୫୮୯.୨୫ ହେକ୍ଟର ଅଣଜଙ୍ଗଲ ଜମିରେ ବନୀକରଣ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ଜଣାପଡ଼ିଛି ।


ବିଷାକ୍ତ ହେଉଛି ଓଡ଼ିଶାର ଆକାଶ; ୭ଟି ସହର ସର୍ବାଧିକ ପ୍ରଦୂଷିତ ଚିହ୍ନଟ

ରାଜ୍ୟସଭାରେ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଯେ, ଓଡ଼ିଶାର ୭ଟି ସହର ଯଥା- ଅନୁଗୁଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, ରାଉରକେଲା, ତାଳଚେର ଓ କଳିଙ୍ଗ ନଗରକୁ ‘ନନ୍‌-ଆଟେନମେଂଟ’ ବା ବିପଦଜନକ ପ୍ରଦୂଷିତ ସହର ଭାବେ ଚିହ୍ନଟ କରାଯାଇଛି । ଏସବୁ ସହରରେ ବାୟୁର ଗୁଣବତ୍ତା ନିର୍ଦ୍ଧାରିତ ମାନଦଣ୍ଡ ମଧ୍ୟରେ ନାହିଁ ।

ଅନୁଗୁଳ ସହରରେ ୨୦୨୪ ମସିହାରେ ବାୟୁର ମାନ ୨୦ଦିନ ପର୍ଯ୍ୟନ୍ତ ‘ଅତି ଖରାପ’ ଶ୍ରେଣୀରେ ରହିଥିବାବେଳେ ବାଲେଶ୍ୱରରେ ୧୯ ଦିନ ଓ ତାଳଚେରରେ ୧୩ ଦିନ ସ୍ଥିତି ଅତ୍ୟନ୍ତ ଉଦବେଗଜନକ ରହିଥିଲା । ବାଲେଶ୍ୱରରେ ଏହି ସମୟ ମଧ୍ୟରେ ଗୋଟିଏ ଦିନ ବାୟୁର ମାନ ‘ସିଭିୟର’ ବା ଅତି ଗମ୍ଭୀର ଶ୍ରେଣୀକୁ ମଧ୍ୟ ଛୁଇଁଥିଲା ବୋଲି କହିଛନ୍ତି । ତେବେ ଓଡ଼ିଶାରେ ୮୧ଟି ବାୟୁ ମାନ ନର୍ଦ୍ଧାରଣ କେନ୍ଦ୍ର ଥାଇ ମଧ୍ୟ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ସରକାର ସକ୍ଷମ ହୋଇନଥିବା ଜଣାପଡ଼ିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe