ରାଜ୍ୟର ଯୁବଶକ୍ତିକୁ ଅଧିକ ଦକ୍ଷ ଓ ପ୍ରଶିକ୍ଷିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ଉତ୍କର୍ଷ ଆଇଟିଆଇ ଯୋଜନା’ ଆରମ୍ଭ କରିଛନ୍ତି। ଏହି ନୂଆ ଯୋଜନାରେ ରାଜ୍ୟର ୫ଟି ସରକାରୀ ଆଇଟିଆଇ(ଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର)କୁ ଜୋନାଲ ଆଇଟିଆଇକୁ ଉନ୍ନୀତ କରି ଏହାର ସାମଗ୍ରିକ କାୟାକଳ୍ପ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରାୟ ୫୦୦କୋଟି ଟଙ୍କା ବ୍ୟୟବରାଦରେ ଆସନ୍ତା ୩ବର୍ଷ ମଧ୍ୟରେ ଏହି ଆଇଟିଆଇଗୁଡ଼ିକର ରୂପାନ୍ତରୀକରଣ ହେବ। ଏଥିପାଇଁ ଉତ୍କର୍ଷ ଆଇଟିଆଇ ଯୋଜନାର ବିସ୍ତୃତ ଗାଇଡଲାଇନ୍ ମଧ୍ୟ ଜାରି ହୋଇଛି।
୫୦୦ କୋଟି ଟଙ୍କାର ମାଷ୍ଟର ପ୍ଲାନ୍ ଓ ରୂପାନ୍ତରଣ ରୋଡମ୍ୟାପ୍
ଏହି ଯୋଜନା ପାଇଁ ରାଜ୍ୟ ସରକାର ମୋଟ ୫୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ କରିଛନ୍ତି, ଯାହା ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରୁ ୨୦୨୭-୨୮ ମସିହା ମଧ୍ୟରେ କାର୍ଯ୍ୟକାରୀ ହେବ। ଏଥିରୁ ସର୍ବାଧିକ ୩୭୦ କୋଟି ଟଙ୍କା କେବଳ କ୍ଲାସରୁମ୍ କୋଠା, ହଷ୍ଟେଲ, ଆବାସିକ ସୁବିଧା ଭଳି ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ କରାଯିବ। ଏହାବ୍ୟତୀତ ୧୨୦କୋଟି ଟଙ୍କା ବ୍ୟୟରେ ଆଧୁନିକ ଯନ୍ତ୍ରପାତି, ସ୍ମାର୍ଟ କ୍ଲାସରୁମ ଓ ଡିଜିଟାଲ ଲର୍ଣ୍ଣିଂ ସିଷ୍ଟମ ବିକଶିତ କରାଯିବ। ଯାହାଫଳରେ ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ପରିଚିତ ହୋଇପାରିବେ। ଶିଳ୍ପ ସହଭାଗିତା ଓ ନିଯୁକ୍ତି ସହାୟତା ପାଇଁ ୧୦ କୋଟି ଟଙ୍କା ବିନିଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ନେଇ ବିଧିବଦ୍ଧ ବିଜ୍ଞପ୍ତି ଓ ଗାଇଡଲାଇନ୍ ବୁଧବାର ଜାରି ହୋଇଛି ।
୫ଟି ଆଇଟିଆଇର ବଦଳିବ କାୟାକଳ୍ପ
ରାଜ୍ୟର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ୫ଟି ଆଇଟିଆଇକୁ ଏହି ଯୋଜନାରେ ସାମିଲ କରାଯାଇଛି । ୧୯୫୯ ମସିହାରେ ସ୍ଥାପିତ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଉରକେଲା ସରକାରୀ ଆଇଟିଆଇ ସମେତ ପୁରୀ ସରକାରୀ ଆଇଟିଆଇ(୧୯୬୬ ମସିହା), କୋରାପୁଟ ଜିଲ୍ଲାର ଆମ୍ବଗୁଡ଼ା ସରକାରୀ ଆଇଟିଆଇ(୧୯୬୯) , ବଲାଙ୍ଗୀରର ସରକାରୀ ଆଇଟିଆଇ(୧୯୮୧) ଓ କେନ୍ଦ୍ରାପଡ଼ାର ରାଜକନିକା ସରକାରୀ ଆଇଟିଆଇ(୨୦୦୭)କୁ ‘ଉତ୍କର୍ଷ ଆଇଟିଆଇ' ଭାବେ ରୂପାନ୍ତରିତ କରାଯିବ। ଏହି ଅନୁଷ୍ଠାନଗୁଡ଼ିକ କେବଳ ନିଜର ବିକାଶ କରିବେ ନାହିଁ ବରଂ ନିକଟସ୍ଥ ଅନ୍ୟ ଆଇଟିଆଇଗୁଡ଼ିକୁ ଜ୍ଞାନ ଆଦାନପ୍ରଦାନ ଓ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସହଯୋଗ କରିବେ। ଶିଳ୍ପଜଗତ ସହ ଯୋଡ଼ିବାରେ ମାଗଦର୍ଶକ ସାଜିବେ ।
ଆଧୁନିକ ଟ୍ରେଡ୍ ଓ ନିଯୁକ୍ତି ସୁଯୋଗ ଉପରେ ଗୁରୁତ୍ୱ
ଏହି ଯୋଜନାର ଅଧୀନରେ ପାରମ୍ପରିକ ବିଷୟ ପରିବର୍ତ୍ତେ ଆଧୁନିକ ଯୁଗର ଶିଳ୍ପ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଇଛି। ଏହି ଉତ୍କର୍ଷ ଆଇଟିଆଇଗୁଡ଼ିକରେ ଶିଳ୍ପ ୪.୦ , ଗ୍ରୀନ ଇକୋନୋମି ଓ ଡିଜିଟାଲ କର୍ମଜୀବୀ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯିବ। ଏଠାରେ ଆଡିଟିଭ୍ ମାନୁଫ୍ୟାକଚରିଂ (ଥ୍ରୀ-ଡି ପ୍ରଣ୍ଟିଂ), ରୋବୋଟିକ୍ସ, ସେମିକଣ୍ଡକ୍ଟର ଟେକ୍ନିସିଆନ ଏବଂ ଆଧୁନିକ ସିଏନସି ମେସିନିଂ ଭଳି ନୂଆ ଯୁଗର ଟ୍ରେଡ୍ ଆରମ୍ଭ କରାଯିବ । ଏହା ବ୍ୟତୀତ ଏହି ଅନୁଷ୍ଠାନଗୁଡ଼ିକରେ ଉଦ୍ୟୋଗୀକରଣ ଏବଂ ପ୍ଲେସମେଣ୍ଟ ସେଲ୍ ପ୍ରତିଷ୍ଠା କରାଯିବ। ଯାହା ଛାତ୍ରଛାତ୍ରୀଙ୍କୁ କେବଳ ଚାକିରି(Employment) ନୁହେଁ ବରଂ ସ୍ୱାବଲମ୍ବୀ ହେବାରେ ମଧ୍ୟ ସାହାଯ୍ୟ କରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us