/odisha-reporter/media/media_files/2026/02/26/uschaba-2026-02-26-11-31-48.jpg)
ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଘୋଡ଼ାନାଚ କଳାକାର ଡ. ଉତ୍ସବ ଚରଣ ଦାସଙ୍କର ଗୁରୁବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା।
ଗତକାଲି ରାତିରେ ଉତ୍ସବ ଚରଣ ଦାସଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତେଣୁ ତାଙ୍କୁ ଚୌଦ୍ଵାରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ବେଳେ ଆଜି ଭୋର୍ ୫ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ପୌରାଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ଅଧିକାରୀ ଓ ତହସିଲଦାରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି। ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳବାସୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ଘୋଡ଼ା ନାଚ କରି ରାଜ୍ୟ, ଦେଶ ତଥା ଦେଶ ବାହାରେ ସୁନାମ ଅର୍ଜନ କରିଥିଲେ ଡ. ଉତ୍ସବ ଚରଣ ଦାସ । ସପ୍ତମ ଶ୍ରେଣୀରେ ପଢ଼ିବା ବେଳୁ ସେ ଘୋଡ଼ା ନାଚ ପ୍ରତି ଆକର୍ଷିତ ହୋଇଥିଲେ। ତାଙ୍କ ଦାଦା ଭଞ୍ଜକିଶୋର ଦାସଙ୍କଠାରୁ ସେ ପ୍ରଥମେ ଘୋଡ଼ା ନାଚ ଶିଖିଥିଲେ। ୧୯୬୪ ମସିହାରେ ଦଶମ ଶ୍ରେଣୀରେ ପଢ଼ିବା ବେଳେ ସେ ସଂଗୀତ କଳା ସଂସଦ ନାମକ ସାଂସ୍କୃତିକ ଅନୁଷ୍ଠାନଟିଏ ଗଠନ କରିଥିଲେ । ୧୯୬୫ ମସିହାରେ ସେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାର ମାନ୍ୟତା ପାଇଥିଲେ । ପ୍ରଥମେ ସେ ନିଜ ଦାଦାଙ୍କ ରଚନାକୁ ନେଇ ଘୋଡ଼ା ନାଚ ପରିବେଷଣ କରୁଥିଲେ । ୧୯୮୦ ମସିହାଠାରୁ ସେ ନିଜ ରଚନାକୁ ନେଇ ନୃତ୍ୟ ପରିବେଶଣ କରିବା ଆରମ୍ଭ କରିଥିଲେ ।
ଘୋଡ଼ାନାଚ ପାଇଁ ଅନେକ ସମ୍ମାନ ଓ ପୁରସ୍କାର ପାଇଥିଲେ ଡ. ଉତ୍ସବ ଚରଣ ଦାସ। ୧୯୯୭–୯୮ ବର୍ଷ ପାଇଁ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୧୫ରେ ଉତ୍କଳ ସଂସ୍କୃତ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରିଥିଲା ୨୦୨୧ ମସିହାରେ ଜୀବନବ୍ୟାପୀ ଘୋଡ଼ା ନାଚର ପ୍ରଚାର ପ୍ରସାର ପାଇଁ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
