ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କରୋନା ଟିକାର ଅଭାବ। ନା ହୋଇପାରୁଛି ଅନଲାଇନ୍ ସ୍ଲଟ ବୁକିଂ ନା ପୂର୍ବ ଭଳି ୱାର୍ଡ ଅଫିସରମାନେ ବାଣ୍ଟୁଛନ୍ତି ଟୋକନ୍। ବିଶେଷ କରି୧୮ବର୍ଷରୁ ୪୪ ବର୍ଷ ବୟସ ବର୍ଗଙ୍କ କ୍ଷେତ୍ରରେ ଦେଖାଦେଇଛି ଟିକାର ଅଭାବ। ତେବେ ବିଏମସି ସିଧାସଳଖ ରାଜଧାନୀରେ ଟିକାର ଅଭାବକୁ ସ୍ୱୀକାର କରିନଥିଲେ ମଧ୍ୟ ପରୋକ୍ଷରେ ଅଭାବ ଥିବା କହିଛି । କୋଭାକ୍ସିନ୍ ଟିକାର ଅଭାବ ଯୋଗୁ ବନ୍ଦ ରହିଛି ୧୮ ରୁ ୪୪ ବୟସ୍କ ବ୍ୟକ୍ତିଙ୍କର ଟିକାକାକରଣ । ଟିକା ଅଭାବ ଯୋଗୁଁ ସାମୟିକ ଭାବେ ସ୍ଲଟ ବୁକିଂ ମଧ୍ୟ ସ୍ଥଗିତ ରଖିଛି ବିଏମସି। ଉଭୟ ଅନଲାଇନ୍ ଏବଂ ଟୋକନ୍ ମାଧ୍ୟମରେ ଟିକାକରଣକୁ ବନ୍ଦ ରଖାଯାଇଛି।
ବିଏମସିର ସୂଚନା ଅନୁସାରେ ସହରରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କର ପ୍ରଥମ ଡୋଜ୍ ଟିକା ୧୦୦ ପ୍ରିତିଶତ ଲୋକ ନେଇସାରିଥିବା ବେଳେ ସେମାନଙ୍କର ଦ୍ୱିତୀୟ ଡୋଜ ଟିକାକରଣ ଜାରି ରହିଛି। ମାତ୍ର ୧୮ ରୁ ୪୪ ବର୍ଷ ପାଇଁ ସାମୟିକ ଭାବରେ ଟିକାର ଅଭାବ ଥିବାରୁ ଏବେ ସେମାନଙ୍କ ଟିକାକରଣକୁ ସମ୍ପୁର୍ଣ୍ଣ ବନ୍ଦ ରଖାଯାଇଛି । ତେବେ ଖୁବ୍ ଶୀଘ୍ର କୋଭାକ୍ସିନ୍ ଆସିବା ପରେ ପୁଣିଥରେ ଏହି ବର୍ଗଙ୍କର ଆରମ୍ଭ ହେବ ଟିକାକରଣ।
ଗୋଟିଏ ପଟେ ଯୁବ ବର୍ଗଙ୍କ ପାଇଁ କୋଭାକ୍ସିନ ଟିକାର ଅଭାବ ରହିଥିବା ବେଳେ ମଧ୍ୟ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ଟିକାକରଣ ଜୋରସୋରରେ ଚାଲିଛି । ସେଥିପାଇଁ ଆଜିଠାରୁ ବିଏମସି ଏରିଆରେ ଆରମ୍ଭ ହୋଇଛି ଭ୍ୟାକ୍ସିନ ଆଟ ଡୋର ଷ୍ଟେପ ଅଭିଯାନ । ବିଏମସିର ୩ ଟି ଜୋନ୍ ରେ ମୋଟ୍ ୬ ଟି ଆପାର୍ଟମେଣ୍ଟରେ ଆଜିଠାରୁ ଏହାର ଆରମ୍ଭ ହୋଇଛି। ପ୍ରତି ଆପାର୍ଟମେଣ୍ଟରେ ୨ ଶହ ଲୋକଙ୍କୁ ଟୀକା ଦେବାକୁ ଟାର୍ଗେଟ ରଖିଛି ବିଏମସି । . ତେବେ ଏହାଦ୍ୱାରା ଅଧିକରୁ ଅଧିକ ଲୋକ ସହଜରେ ଭ୍ୟାକ୍ସିନେଟ୍ ହୋଇପାରିବେ ବୋଲି ମତ ଦେଇଛନ୍ତି ରାଜଧାନୀ ବାସିନ୍ଦା। ମାତ୍ର ତାହାରି ଭିତରେ ବିଏମସି ଆଜି ମୋଟ ୪୮ ଟି ଟିକା ଦାନ କେନ୍ଦ୍ର ମଧ୍ୟରୁ ୯ ଟି ମୋବିଲାଇଜେସନ୍ ସେଣ୍ଟରକୁ ବନ୍ଦ କରିଦେଇଛି।
ତଥ୍ୟ କହୁଚି ମେ ୩ ତାରିଖରୁ ୨୮ ତାରିଖର ମଧ୍ୟରେ ୧୮-୪୪ ବର୍ଗର ୧ ଲକ୍ଷ ୫୧ ହଜାର ୪୨୬ ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ତେବେ ଏମାନେ ଜୁନ ମାସରେ ପୁଣି ଦ୍ଵିତୀୟ ଡୋଜ୍ ନେବେ । ମାତ୍ର ଏବେ ବିଏମସିରେ କୋଭାକ୍ସିନ ଟିକାର ଅଭାବ ଦେଖାଦେଇଥିବାରୁ ନିଜ ନିଜର ଦ୍ୱିତୀୟ ଡୋଜ୍ ଟିକାକରଣକୁ ନେଇ ଦ୍ୱନ୍ଦରେ ରାଜଧାନୀର ଯୁବବର୍ଗ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।