
ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୭ତାରିଖରେ ସମୂହ ‘ବନ୍ଦେ ମାତରମ’ ଗାନ ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ରାଜ୍ୟର ସବୁ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଏହି ରାଷ୍ଟ୍ରୀୟ ଗୀତକୁ ସମୂହ ଗାନ କରିବେ।
୧୫୦ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ ସମୂହ ଗାନ
ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କୁ ଚିଠି ଲେଖି ‘ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ର ୧୫୦ତମ ବର୍ଷ ପୂର୍ତ୍ତି ପାଳନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି ଯେ, ଚଳିତବର୍ଷ ବଙ୍କିମଚନ୍ଦ୍ର ଚଟୋପାଧ୍ୟାୟଙ୍କ ଲିଖିତ ଓ ଆମର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ର ୧୫୦ବର୍ଷ ପୂର୍ତ୍ତି ବର୍ଷବ୍ୟାପୀ ସାରା ରାଜ୍ୟରେ ଶ୍ରଦ୍ଧାର ସହିତ ପାଳନ କରିବା ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି । ୧୮୭୫ ନଭେମ୍ବର ୭ତାରିଖରେ ଏହି ଗୀତ ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ଲିଖିତ ଆନନ୍ଦ ମଠ ଉପନ୍ୟାସରେ ସ୍ଥାନିତ ହୋଇଥିଲା ।
ତେଣୁ ଏହି ପରିପ୍ରେକ୍ଷୀରେ ଚଳିତମାସ ୭ତାରିଖରେ ଆମର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ର ୧୫୦ବର୍ଷ ପୂର୍ତ୍ତି ପାଳନ କରାଯିବ । ଏହି ଅବସରରେ ରାଜ୍ୟର(Odisha) ସମସ୍ତ ବିଶ୍ୱବିଦ୍ୟାଳୟ,କଲେଜ ଓ ସ୍କୁଲଗୁଡ଼ିକରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ ଗାନ କରିବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଉଭୟ ବିଭାଗର ସଚିବଙ୍କୁ ଶ୍ରୀ ଉପାଧ୍ୟାୟ ଅନୁରୋଧ କରିଛନ୍ତି ।
ଏହି ଚିଠି ଆଧାରରେ ଉଭୟ (Education ) ବିଭାଗ ପକ୍ଷରୁ ମଧ୍ୟ ଏହି ରାଷ୍ଟ୍ରୀୟ ଗୀତକୁ ଆସନ୍ତା ୭ତାରିଖରେ ସମୂହ ଗାନ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବାକୁ ମଧ୍ୟ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
