
Vedant Chief Anil Agarwal meets Chief minister Mohan Charan majhi
ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ ଆଉ ୧ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ପରେ ରାଜ୍ୟରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନର ଆଶା ପୁଣିଥରେ ଉଜ୍ଜୀବିତ ହୋଇଛି । ରାଜ୍ୟ ପ୍ରଶାସନର ଶୀର୍ଷସ୍ତରୀୟ ଅଧିକାରୀ ଓ ବେଦାନ୍ତ ଗ୍ରୁପର ଶୀର୍ଷ ଅଧିକାରୀମାନଙ୍କ ଉପସ୍ଥିତିରେ ହୋଇଥିବା ଏହି ଆଲୋଚନାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି ।
ବେଦାନ୍ତ କରିବ ୧ ଲକ୍ଷ କୋଟିର ପୁଞ୍ଜିନିବେଶ, ୧ ଲକ୍ଷ ନିଯୁକ୍ତି
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜରୁ ଜଣାପଡ଼ିଛି ଯେ, ବେଦାନ୍ତ ଗ୍ରୁପ୍ (Vedanta Limited) ଆଗାମୀ ଦିନରେ ଓଡ଼ିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଯୋଜନା କରିଛି । ଏହି ବିଶାଳ ନିବେଶ ଫଳରେ ରାଜ୍ୟରେ ୧ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ରାଜ୍ୟ ସରକାର ଏହି ନିବେଶ ପାଇଁ ଆବଶ୍ୟକ ଜମି ଏବଂ ଅନ୍ୟାନ୍ୟ ଭିତ୍ତିିଭୂମି ସୁବିଧା ଯୋଗାଇ ଦେବାକୁ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି ।
କେନ୍ଦୁଝରରେ ନୂଆ ଫେରୋ-ଆଲଏଜ୍ ପ୍ଲାଂଟ
ବିଶ୍ୱର ମେଟାଲ ଭାଲ୍ୟୁ ଚେନରେ ଓଡ଼ିଶାର ପ୍ରତିଷ୍ଠା ବୃଦ୍ଧି ପାଇଁ କେନ୍ଦୁଝରଠାରେ ଏକ ଅତ୍ୟାଧୁନିକ ଫେରୋ-ଆଲଏଜ୍ ପ୍ଲାଂଟ ସ୍ଥାପନ କରିବାକୁ ବେଦାନ୍ତ ପ୍ରସ୍ତାବ ଦେଇଛି । ଏହି ପ୍ରକଳ୍ପରେ କମ୍ପାନୀ ୨ହଜାର କୋଟି ଟଙ୍କା ବିନିଯୋଗ କରିବ ।
ଦୁଇଟି ନୂଆ ଆଲୁମିନିୟମ ପାର୍କ
ବେଦାନ୍ତ ଓଡ଼ିଶାରେ ଦୁଇଟି ନୂତନ ଆଲୁମିନିୟମ ପାର୍କ ପ୍ରତିଷ୍ଠା କରିବ । ପ୍ରଥମ ପାର୍କଟି ଝାରସୁଗୁଡ଼ାସ୍ଥିତ ବେଦାନ୍ତର ଆଲୁମିନିୟମ ପ୍ଲାଂଟ ନିକଟରେ ହେବ । ଦ୍ୱିତୀୟ ପାର୍କଟି ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଅନ୍ୟ ଏକ ସ୍ଥାନରେ ସ୍ଥାପିତ ହେବ । ଏହି ଅତ୍ୟାଧୁନିକ ପାର୍କଗୁଡ଼ିକରେ ଏରୋସ୍ପେସ୍, ଇଲେକ୍ଟ୍ରିକ୍ ଯାନ ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ ଉପଯୁକ୍ତ ଉଚ୍ଚ-ଗ୍ରେଡ୍ ଆଲୁମିନିୟମ ଆଲଏଜ୍ ଉତ୍ପାଦନ କରାଯିବ। ଏହାଦ୍ୱାରା ବହୁ ପରିମାଣରେ ଡାଉନଷ୍ଟ୍ରିମ୍ ନିବେଶ ଆକର୍ଷିତ ହେବା ସହ ଓଡ଼ିଶାର ଏମଏସଏମଇ କ୍ଷେତ୍ରକୁ ବହୁମାତ୍ରାରେ ପ୍ରୋତ୍ସାହନ ମିଳିବ। ଏହି ପାର୍କ ଯୋଜନାରେ ବାର୍ଷିକ ୩ ନିୟୁତ ମେଟ୍ରିକ ଟନ୍ ଉତ୍ପାଦନ ବିଶିଷ୍ଟ ଆଲୁମିନିୟମ ପ୍ଲାଂଟ ସ୍ଥାପନ କରିବାକୁ କମ୍ପାନୀ ଯୋଜନା କରିଛି ।
ମୁଖ୍ୟମନ୍ତ୍ରୀ କହିଲେ ଗେମଚେଞ୍ଜର ହେବ ଏହି ନିବେଶ
ମୁଖ୍ୟମନ୍ତ୍ରୀ(Chief Minister Odisha) ଶ୍ରୀ ମାଝୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ "ବିକଶିତ ଭାରତ’ ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । "ବେଦାନ୍ତ ଭଳି କଂପାନୀଗୁଡ଼ିକର ଭିତ୍ତିଭୂମି ବିକାଶ ଏବଂ ଶିଳ୍ପ ନିବେଶ ମାଧ୍ୟମରେ ଓଡ଼ିଶା ଏହି ଲକ୍ଷ୍ୟ ହାସଲ କରିବ । ଏହି ବିଶାଳ ନିବେଶ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ‘ଗେମ୍-ଚେଞ୍ଜର' ହେବ ।
ଏକ ମାସ ମଧ୍ୟରେ ଜମି ଦେବେ ସରକାର: ଅନୀଲ
ଏହି ସାକ୍ଷାତ ଆଲୋଚନା ପରେ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, "ଆମେ ଓଡ଼ିଶାରେ ୩ ନିୟୁତ ମେଟ୍ରିକ ଟନ୍ କ୍ଷମତାବିଶିଷ୍ଟ ଆଲୁମିନିୟମ ପ୍ଲାଂଟ ସ୍ଥାପନ କରିବାକୁ ଯୋଜନା କରିଛୁ । ଜମି ଆବଂଟନ ହେବାର ତିନିରୁ ଚାରି ମାସ ମଧ୍ୟରେ ଏହି ପ୍ରକଳ୍ପର କାମ ଆରମ୍ଭ କରିବାକୁ କମ୍ପାନୀ ପ୍ରସ୍ତୁତ ଅଛି । ଆଗାମୀ ଏକ ମାସ ମଧ୍ୟରେ ଜମି ଆବଂଟନ କରିବା ସହ ସମସ୍ତ ଆବଶ୍ୟକୀୟ ଅନୁମତି ଯୋଗାଇ ଦେବାକୁ କଂପାନୀକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏମିତିକା ଭଲ ମୁଖ୍ୟମନ୍ତ୍ରୀ ମୁଁ ପୂର୍ବରୁ ଦେଖିନଥିଲି ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି ।
ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ହିଁ ହେବ
ଏହି ସାକ୍ଷାତବେଳେ ବେଦାନ୍ତର ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି । ଶ୍ରୀ ଅଗ୍ରୱାଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବେଦାନ୍ତ ନିଜର ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଅନ୍ୟ ରାଜ୍ୟକୁ ଯିବାର ଆବଶ୍ୟକତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ତେବେ ଏହି ବିଶ୍ୱବିଦ୍ୟାଳୟ ପୁରୀରେ ହେବ କି ରାଜ୍ୟର ଅନ୍ୟ କୌଣସି ସ୍ଥାନରେ କରାଯିବ ସେନେଇ ଲୋକଙ୍କ ମତାମତ ନେବାପରେ ରାଜ୍ୟ ସରକାର ଜମି ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଆଶ୍ୱାସନା ପରେ ବେଦାନ୍ତର ଦୀର୍ଘ ଦେଢ଼ ଦଶନ୍ଧି ଧରି ପଡ଼ି ରହିଥିବା ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ପୁଣିଥରେ କାର୍ଯ୍ୟକ୍ଷମ ହେବାର ଆଶା ସଂଚାର ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
