/odisha-reporter/media/post_attachments/uploads/2021/08/Vigilance-2.jpg)
Vigilance
ଜଗତସିଂହପୁର(ଶଶାଙ୍କ ପଣ୍ଡା): ରାଜ୍ୟ ସରକାରଙ୍କ ‘ବସୁନ୍ଧରା’ ଜମି ଜାଲିଆତି ମାମଲାରେ ଭିଜିଲାନ୍ସ ୬ ଅଧିକାରୀଙ୍କ ୯ଟି ଘରେ ଚଢ଼ଉ କରିଛି କଟକ ଭିଜିଲାନ୍ସ ଟିମ୍। ଏହି ଚଢ଼ଉ ଏକସଙ୍ଗେ ଭୁବନେଶ୍ୱର, କଟକ, ଭଦ୍ରକ, ଜଗତସିଂହପୁରରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ଏହି ଚଢ଼ଉ ଚାଲିଛି। ତେବେ କେତେ କଣ ସମ୍ପତ୍ତି ମିଳିଲାଣି, ତାହା ଜଣାପଡ଼ି ନାହିଁ।
ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ବସୁନ୍ଧରା ଯୋଜନାରେ ଜମି ଜାଲିଆତି ହୋଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ଆକ୍ସନ୍କୁ ଆସିଥିଲା କଟକ ଭିଜିଲାନ୍ସ ସେଲ୍। ଆଜି ଅଚାନକ ଭିଜିଲାନ୍ସ ଟିମ୍ ୯ ଟି ସ୍ଥାନରେ ଚଢ଼ଉ କରିଛି। କୁଜଙ୍ଗର ପୂର୍ବତନ ତହସିଲଦାର ତଥା ବର୍ତ୍ତମାନ ଭଦ୍ରକ ଜିଲ୍ଲା ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ଘର ଓ ଅଫିସ ରେଡ୍ ହୋଇଛି। ଏହାଛଡ଼ା ଜଗତସିଂହପୁରର ଅବସରପ୍ରାପ୍ତ ଉପ ଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, କୁଜଙ୍ଗ ତହସିଲ ଅଧୀନସ୍ଥ ଝିମାଣି ସର୍କଲର ପୂର୍ବତନ ଆରଆଇ ସନ୍ତୋଷ ମଲ୍ଲିକ, ପାରାଦୀପ ଗଡ଼ର ତତ୍କାଳୀନ ଆରଆଇ ନରେନ୍ଦ୍ର ଲେଙ୍କା, କୁଜଙ୍ଗ ଆରଆଇ ସୁବାସ ଚନ୍ଦ୍ର ଦାସ ଓ ପାଣ୍ଡୁଆ ସର୍କଲର ତତ୍କାଳୀନ ଆରଆଇ ଜ୍ୟୋତିଭୂଷଣ ବାରିକଙ୍କ ଘର ସମେତ ୯ ଟି ସ୍ଥାନରେ ଏକ କାଳିନ ଚଢ଼ଉ ଚାଲିଛି। ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ମିଳିଲାଣି, ତାହା ଜଣାପଡ଼ି ନାହିଁ। ତେବେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡ଼ିଛି।
ଉପରୋକ୍ତ ଅଧିକାରୀମାନେ ରାଜ୍ୟ ସରକାରଙ୍କ ‘ବସୁନ୍ଧରା’ ଯୋଜନାରେ ଜାଲିଆତି କରି ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରିଥିବା ଅଭିଯୋଗ ହୋଇଥିଲା। ଏହି ଚଢ଼ଉରେ ଜଣେ ଏଏସପି, ୧୧ ଜଣ ଡ଼ିଏସପି ଏବଂ ୬ ଜଣ ଇନ୍ସପେକ୍ଟର ସାମିଲ ଥିବା କଟକ ଭିଜିଲାନ୍ସ ସେଲ ତରଫରୁ ସୂଚନା ଦିଆଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
