କଟକ(ଓଡ଼ିଶା ରିପୋର୍ଟର): ଏଡିଏମ୍, ମୁଖ୍ୟ ଯନ୍ତ୍ରୀଙ୍କ ପରେ ଏବେ ଭିଜିଲାନ୍ସ ଟାର୍ଗେଟରେ ପୁଲିସ୍ ବାବୁ। । କଟକରେ ପୁଲିସ୍ କମ୍ୟୁନିକେସନ୍ର ଅତିରିକ୍ତ ଏସ୍ପି ଭାବେ କାର୍ଯ୍ୟରତ ଥିବା ତ୍ରିନାଥ ମିଶ୍ରଙ୍କ ଘରେ ଆଜି ସକାଳୁ ପଶିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମୁଦାୟ ୧୧ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ ।
ତ୍ରିନାଥ ମିଶ୍ରଙ୍କ କଟକ ତୁଲସୀପୁର ଅଫିସ୍, ସରକାରୀ ବାସଭବନ, ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଫ୍ଲାଟ୍, ନବରଙ୍ଗପୁର ଡାବୁଗାଁ ପୈତୃକ ଘରେ ଯାଞ୍ଚ ହେଉଛି । ଏହାସହ ଯାଜପୁର ବଡ଼ଚଣାରେ ଥିବା ସମ୍ପର୍କୀୟଙ୍କ ଘର, ବଡ଼ଚଣାରେ ଥିବା ଶାନ୍ତିଲତା ଫାର୍ମ ହାଉସ୍, ଚଣ୍ଡିଖୋଲ ବଜାରରେ ଥିବା ଶାନ୍ତିଲତା ନର୍ସିଂ ହୋମ୍, ଶାନ୍ତିଲତା ଟ୍ରାସପୋର୍ଟ ନାଁରେ ଥିବା ଦୁଇଟି ଅଫିସ୍ରେ ବି ଚଢ଼ାଉ ହୋଇଛି । ତା’ସହ ତ୍ରିନାଥ ମିଶ୍ରଙ୍କ ଡ୍ରାଇଭରଙ୍କ ଜଗତସିଂହପୁର ବିରିଡ଼ିରେ ଥିବା ଘରେ ବି ଚାଲିଛି ଯାଞ୍ଚ ।
ଆଉ ଦୁଇ ମାସ ପରେ ଅବସର ନେଇଥାନ୍ତେ ତ୍ରିନାଥ ମିଶ୍ର । ହେଲେ ତା’ ପୂର୍ବରୁ ମାଡ଼ି ବସିଛି ଭିଜିଲାନ୍ସ ଟିମ୍ । ଏବେ ସକାଳୁ ସକାଳୁ ରେଡ ଆରମ୍ଭ ହୋଇଥିବାରୁ ସମୁଦାୟ ସମ୍ପତ୍ତିର ଆକଳନ କରାଯାଇପାରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।