Advertisment

Bikram Panda: ଜେଲରେ ବିକ୍ରମ ପଣ୍ଡା ଅସୁସ୍ଥ

ବ୍ରହ୍ମପୁର ଜେଲ୍‌ରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ସ୍ଥିତ MKCG ମେଡିକାଲ୍‌ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

Vikram
Advertisment

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ଜେଲ୍‌ରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ରବିବାର ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବ୍ରହ୍ମପୁର ସ୍ଥିତ MKCG ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ ଅଣାଯାଇଥିଲା। ଡାକ୍ତର ତାଙ୍କୁ ଦେଖିବା ପରେ ଓ ବିଭିନ୍ନ ପରୀକ୍ଷା କରାଯିବା ପରେ ତାଙ୍କୁ ପୁଣି ଜେଲ୍‌କୁ ନିଆଯାଇଥିଲା।

Advertisment

ଛାତି ଓ ତଳି ପେଟରେ ଯନ୍ତ୍ରଣା ଯୋଗୁ ତାଙ୍କୁ ଏମ୍‌କେସିଜିକୁ ନେଇଥିଲେ ଜେଲ୍ କର୍ତ୍ତୃପକ୍ଷ।  ତାଙ୍କୁ ପ୍ରଥମେ ମେଡିସିନ ବିଭାଗର ଡାକ୍ତର ଦେଖିଥିଲେ। ତା’ପରେ ସର୍ଜରୀ ବିଭାଗର ଡାକ୍ତର ଦେଖିଥିଲେ। ତାଙ୍କ ଉଚ୍ଚ ରକ୍ତ ଚାପ ସମସ୍ୟା ରହିଛି। ତା’ ସହିତ ତାଙ୍କର ଅର୍ଶ ଓ ଗଲ୍‌ ବ୍ଲାଡରରେ ସମସ୍ୟା ଥିବା ଜଣାପଡ଼ିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର ଅଲଟ୍ରାସାଉଣ୍ଡ କରାଯାଉଛି। ସବୁ ରିପୋର୍ଟ ଆସିଲା ପରେ, ସେହି ଅନୁସାରେ ତାଙ୍କର ଚିକିତ୍ସା ଆରମ୍ଭ କରାଯିବ। 

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମଙ୍କୁ ମିଶାଇ ୧୬ ଜଣ ଅଭିଯୁକ୍ତ ଥିବା ବେଳେ କିଛି ଦିନ ତଳେ ମଳୟ ବିଷୋୟୀ ଅସୁସ୍ଥ ହୋଇପଡ଼ିଥିଲେ। ଏମ୍‌କେସିଜିରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଡାଇବେଟିସ୍ ବଢ଼ି ଯାଇଥିବାରୁ ଓ ଗୋଡ଼ରେ ଏକ ଘା’ ହୋଇଯାଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ଜଣେ ଅଭିଯୁକ୍ତ ମଦନ ଦଳେଇଙ୍କର ଗୋଡ଼ ଭାଙ୍ଗି ଯାଇଥିବାରୁ ତାଙ୍କୁ ଏମ୍‌କେସିଜିର ଅସ୍ଥିଶଲ୍ୟ (Orthopedic) ୱାର୍ଡରେ ଭର୍ତ୍ତି କରାଯାଇଥିଲା।   

Advertisment

ମେଡିକାଲକୁ ଆସିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିକ୍ରମ ପଣ୍ଡା କହିଥିଲେ ଯେ ସେ ନିର୍ଦ୍ଦୋଷ। ରାଜନୀତିକ କାରଣ ଯୋଗୁ ମିଥ୍ୟା ମାମଲାରେ ଭର୍ତ୍ତି କରାଯାଇଛି। ତାଙ୍କୁ ଫସାଇ ଦିଆଯାଇଛି। ବିଜେଡି ଓ ତାଙ୍କୁ ବଦନାମ କରିବାକୁ ଉଦ୍ଦେଶ୍ୟମୂଳକ ଭାବେ ଫସା ଯାଇଛି। ନ୍ୟାୟପାଳିକା ଉପରେ ତାଙ୍କର ସଂପୂର୍ଣ୍ଣ ବିଶ୍ୱାସ ଅଛି ବୋଲି ସେ କହିଛନ୍ତି।

ଏହା ସହିତ ୪ ମାସ ହେଲା ଜେଲ୍‌ ଭିତରେ ଅସୁବିଧା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ବିକ୍ରମଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବ୍ରହ୍ମପୁର 
ଜେଲ୍‌ ଅଧୀକ୍ଷକ। ସେ କହିଛନ୍ତି ଯେ ବିକ୍ରମ ପଣ୍ଡା କେବେ ବି ଜେଲ୍‌ ଭିତରେ ଅସୁବିଧା ନେଇ ତାଙ୍କୁ ଜଣାଇ ନାହାନ୍ତି। ସବୁ ଜେଲ୍‌ ଅନ୍ତେବାସୀଙ୍କୁ ଦିଆଯାଉଥିବା ଖାଦ୍ୟ ତାଙ୍କୁ ଦିଆଯାଉଛି।  

ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗତ ମାସରେ ପୁଲିସ ୩୦ ହଜାର ପୃଷ୍ଠାର ଚାର୍ଜଶିଟ୍ ବ୍ରହ୍ମପୁର କୋର୍ଟରେ ଦାଖଲ କରିଛି। ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଏହି ଘଟଣାରେ ମାମଲା ରୁଜୁ ହୋଇଥିବା ବେଳେ ସେହିମାସ ୨୧ ତାରିଖରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe