/odisha-reporter/media/post_attachments/uploads/2021/10/cec.jpg)
CEO
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ ତାରିଖରେ ଭୋଟ୍ ଗ୍ରହଣ ହୋଇଥିବା ବେଳେ ଆସନ୍ତାକାଲି ଗଣତି ହେବ। ସକାଳ ୮ଟାରୁ ଭୋଟ୍ ଗଣତି କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ଆଜି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି କରାଯିବ। ଏହା ପରେ ୮ଟା ୩୦ରୁ ଇଭିଏମ୍ରେ ପଡ଼ିଥିବା ଭୋଟ୍ ଗଣତି କରାଯିବ। ୨ଟି ହଲ୍ ଇଭିଏମ୍ ଓ ଗୋଟିଏ ହଲ୍ ପୋଷ୍ଟାଲ୍ ବାଲାଟ୍ ଗଣତି କରାଯିବ।
ଇଭିଏମ୍ ପାଇଁ ଗୋଟିଏ ହଲ୍ରେ ୭ଟି ଲେଖାଏଁ ଟେବୁଲ୍ ପଡ଼ିବ। ସେହି ହିସାବରେ ଦୁଇଟି ହଲ୍ରେ ୧୪ଟି ଟେବୁଲ ପଡ଼ିବ। ଗଣତି କରିବାକୁ ମୋଟ ୬୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଗଣତି ଟେବୁଲ୍ ନିକଟରେ ପ୍ରାର୍ଥୀମାନେ ସେମାନଙ୍କ ଏଜେଣ୍ଟ ରଖିପାରିବେ। ସେହିପରି ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ଲୋହାନୀ କହିଛନ୍ତି।
ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୭୮.୨୫ % ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ୧୯୯୫ ମସିହା ପରେ ପିପିଲି ନିର୍ବାଚନ ମଣ୍ଡଳୀରେ ଏହା ସର୍ବାଧିକ ମତଦାନ। ୧୯୯୫ ମସିହାରେ ଏଠାରେ ୮୨.୩% ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ।
ଏଥର ଉପନିର୍ବାଚନ ପାଇଁ ୩୪୮ଟି ବୁଥ୍ କରାଯାଇଥିଲା। ସେଥିରୁ ୨୦୧ଟି ସମ୍ବେଦନଶୀଳ ବୁଥ୍ରେ କୌଣସି ପ୍ରକାର ଗଡ଼ବଡ଼କୁ ଏଡ଼ାଇବାକୁ ଅତିରିକ୍ତ ଦୃଢ଼ ବ୍ୟବସ୍ଥା ହୋଇଥିଲା।
ସୂଚନାଯୋଗ୍ୟ, ବିଜେଡି ପକ୍ଷରୁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍କଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
