ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ଦୀର୍ଘ ୨୦ ବର୍ଷ ଅର୍ଥାତ ୪ ପାଳି ହେଲା ଲଗାତର ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି) ନିର୍ବାଚନ ବାଜି ଜିତି ନିଜର ପତିଆରା ବଢ଼ାଇଛି। ଏହି ଲମ୍ବା ସମୟ ଭିତରେ ବିଜେଡ଼ି ସରକାର ରାଜ୍ୟରେ ନିଜର ସ୍ଥିତି ସୁଦୃଢ଼ କରିବା ପରି ମନେହେଉଥିଲେ ବି କଥାଟି କିନ୍ତୁ ପୂରା ସତ ନୁହେଁ। ନିଜ ନାମକୁ ବିଜ୍ଞପିତ କରି ଲୋକଙ୍କୁ କିମିଆ କରିବାର କୌଣସି ସୁଯୋଗ ଏହି ସରକାର ହାତଛଡ଼ା କରିନାହିଁ। ଏହାପରେ ବି, ଆସନ୍ତା ନିର୍ବାଚନରେ ବିଜେଡିର ସ୍ଥିତି ଭଲ ରହିବ ନାହିଁ। ଏହାର ଭୋଟ୍ ପ୍ରତିଶତ କମିବ ବୋଲି ସୋଶାଲ୍ ମିଡିଆ ବ୍ୟବହାରକାରୀମାନେ ମତ ଦେଇଛନ୍ତି।
ଲୋକମାନଙ୍କ ପ୍ରତିକ୍ରିୟାରୁ ଜଣାପଡ଼ୁଛି, ବିଜେଡ଼ି ସରକାରର ଶାସନରେ ସେମାନେ ଅତିଷ୍ଠ ହୋଇ ସାରିଲେଣି। ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ପରିବେଶ ପରିମଳଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ଶିଶୁ ସୁରକ୍ଷା ଆଦି ସବୁ ପ୍ରସଙ୍ଗରେ ଏ ସରକାର ବିଫଳ ହୋଇଛି। କେବଳ ନିଜ ଦଳକୁ ସମୃଦ୍ଧ କରି ଲୋକଙ୍କୁ ନିଷ୍ପେସିତ ଓ ଅବହେଳିତ କରି ସେମାନଙ୍କୁ ଦୁଃଖ ଭିତରକୁ ଠେଲିଦେଇଛି ବୋଲି ଜନମତରୁ ସ୍ପଷ୍ଟ ବାରି ହେଉଛି।
ଚନ୍ଦନ ପଣ୍ଡା ନାମକ ଜଣେ ଓଡ଼ିଶା ରିପୋର୍ଟରର ଫେସ୍ବୁକ୍ ଫଲୋଅର କମେଣ୍ଟ୍ କରିଛନ୍ତି ଯେ- ‘ ବିଜେଡ଼ିର ଭୋଟ୍ ପରିମାଣ ନିଶ୍ଚିତ କମିବ, ୨୦ ବର୍ଷର ଆଧିପତ୍ୟରେ ନବୀନ ସରକାର ଅହଂକାରୀ ହୋଇଯାଇଛି। ପରିବର୍ତ୍ତନ ହେଲେ ଯାଇ ଉନ୍ନୟନ ମୂଳକ କାର୍ଯ୍ୟ ଆଶା କରାଯାଇ ପାରେ।’
ସେହିପରି ସମୀର ସାହୁ ନାମକ ଆଉଜଣେ ମତଦାତା କହିଛନ୍ତି- ଭୋଟ୍ ହାର ନିଶ୍ଚିତ ଭାବରେ କମିବ। ୨୦ ବର୍ଷ ହେଲା ଶାସନ ଗାଦିରେ ରହି ବିଜେଡ଼ି ମନମୁଖୀ ଶାସନ କରୁଛି। ଇତିମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଏ ସରକାର କିଛି କରିନାହିଁ। ଏଥର ପରିବର୍ତ୍ତନ ଦରକାର।
ବିପ୍ଳବ ଶତପଥୀ କହିଛନ୍ତି- କିଛି ମାତ୍ରାରେ ନୁହେଁ ବରଂ ବହୁ ମାତ୍ରାରେ ଜନସାଧାରଣ ବିଜେଡ଼ିକୁ ପ୍ରତ୍ୟାଖାନ କରିବେ। ପଞ୍ଚାୟତ ନିର୍ବାଚନରେ ଯେଭଳି ପରିଣତି ହୋଇଥିଲା ଏହି ବିଧାନସଭା ନିର୍ବାଚନରେ ମଧ୍ୟ ସେହିଭଳି ହେବ।
ବିନାୟକ ଦଳାଇ କହିଛନ୍ତି- ବିଜେଡି ଚାରି ପାଞ୍ଜିରୁ ଯିବ ଏଥର। ସୌମ୍ୟକାନ୍ତ ବେହୁରା କହିଛନ୍ତି, ଏ ବିଜେଡି ସରକାର ଦୁଷ୍କର୍ମ କରୁଛି। ବିଜେଡିର ଦୁଷ୍କର୍ମକାରୀ ନେତାମାନଙ୍କୁ ଜେଲ୍ରେ ଭରିବା ଦରକାର ।
ସୋଶାଲ୍ ମିଡିଆରେ କରାଯାଇଥିବା ଏହି ପ୍ରଶ୍ନୋତ୍ତରୀ ପ୍ରକ୍ରିୟାରୁ ଜଣାପଡୁଛି, ଲୋକେ ଅଧିକ ନବୀନ ସରକାର ଉପରେ ଅସନ୍ତୁଷ୍ଟ ଅଛନ୍ତି। ତେବେ ନିର୍ବାଚନ ପରେ ହିଁ ଜଣାପଡ଼ିବ ଲୋକଙ୍କର ଏହି ଅସନ୍ତୋଷ କେତେଟା ପ୍ରତିଫଳିତ ହେଉଛି।