Advertisment

ବିଜେଡିର ମନେପଡ଼ିଲା ‘ମହାନଦୀ’: କଂଗ୍ରେସ ଓ ବିଜେପି ସହ ବିଜେଡି ମୁହାଁମୁହିଁ

ମହାନଦୀ ଜଳବିବାଦ ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସକୁ କଡ଼ା ସମାଲୋଚନା କରିବା ସହ ଏହି ଦୁଇ ଦଳର ରାଜ୍ୟ ନେତାମାନେ ନିଜ ନିଜର ରାଷ୍ଟ୍ରୀୟ ହାଇକମାଣ୍ଡଙ୍କ ଉପରେ ଚାପ ପକାଇ ମହାନଦୀ ଜଳବିବାଦର ସମାଧାନ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ବିଜେଡି ଦାବି କରିଛି।

BJD

BJD

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ପୁଣିଥରେ ‘ମହାନଦୀ’ ପ୍ରସଙ୍ଗକୁ ଫେରିଛି । ମହାନଦୀ ଜଳବିବାଦ ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସକୁ କଡ଼ା ସମାଲୋଚନା କରିବା ସହ ଏହି ଦୁଇ ଦଳର ରାଜ୍ୟ ନେତାମାନେ ନିଜ ନିଜର ରାଷ୍ଟ୍ରୀୟ ହାଇକମାଣ୍ଡଙ୍କ ଉପରେ ଚାପ ପକାଇ ମହାନଦୀ ଜଳବିବାଦର ସମାଧାନ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ବିଜେଡି ଦାବି କରିଛି। ଏପଟେ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ମହାନଦୀ ପ୍ରସଙ୍ଗରେ ରାଜ୍ୟର ବିଜେଡ଼ି ସରକାରଙ୍କ ବିଫଳତା ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି।

Advertisment

ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା ଓ ଅଧାରୁ ଅଧିକ ଜିଲ୍ଲାର ପ୍ରାୟ ଅଢ଼େଇ କୋଟି ଲୋକ ଏହା ଉପରେ ନିର୍ଭରଶୀଳ । ମହାନଦୀ ଜଳବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନକୁ ୫ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରି ପାରୁନି । ରାଜ୍ୟର ବିଜେଡି ସରକାର କ୍ରମାଗତ ଭାବେ ଏହି ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ପ୍ରୟାସ କରୁଥିଲେ ମଧ୍ୟ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗରେ କେବଳ ଶସ୍ତା ରାଜନୀତି ଓ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି।

ବିଜେଡି ନେତୃତ୍ୱାଧିନ ଓଡ଼ଶା ସରକାର ଛତିଶଗଡ଼ର ଏହି ବେଆଇନ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଦାବି କରୁଥିଲେ ମଧ୍ୟ ଛତିଶଗଡ଼ ଏପର୍ଯ୍ୟନ୍ତ ତାହା କରୁ ନାହିଁ । ବିଜେପି ଓ କଂଗ୍ରେସର ରାଜ୍ୟ ନେତୃତ୍ୱ ‘ଆଗ ପାର୍ଟି ଓ ପରେ ମାଟି’ ନୀତି ଅବଲମ୍ବନ କରୁଥିବାରୁ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କେନ୍ଦ୍ର ସରକାର କିମ୍ବା ଛତିଶଗଡ଼ ସରକାରଙ୍କ ଉପରେ ଅନୁରୂପ ଚାପ ସୃଷ୍ଟି ହୋଇପାରୁନି । ପୂର୍ବରୁ ଛତିଶଗଡ଼ରେ ବିଜେପି ସରକାର ଥିବାବେଳେ ରାଜ୍ୟ ବିଜେପିର ନେତାମାନେ ବିଶେଷକରି ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ନିରବ ରହି ପରୋକ୍ଷରେ ଛତିଶଗଡ଼କୁ ପ୍ରୋତ୍ସାହିତ କରୁଥିଲେ। 

Advertisment

ଏବେ ଅନୁରୂପ ନୀତି କଂଗ୍ରେସ ଆପଣାଇଛି । ଛତିଶଗଡ଼ରେ କଂଗ୍ରେସର ସରକାର ଥିବାରୁ ରାଜ୍ୟ କଂଗ୍ରେସର ନେତାମାନେ ମଧ୍ୟ ଓଡ଼ିଶାରେ ଚୁପ୍ ବସିଛନ୍ତି । ତେଣୁ ମହାନଦୀ ଜଳବିବାଦ ପ୍ରସଙ୍ଗରେ ରାଜ୍ୟ ସ୍ୱାର୍ଥହାନି ହେଉଥିବାବେଳେ ଦୁଇ ଦଳ ବିଜେପି ଓ କଂଗ୍ରେସର ଅସଲ ମୁଖା ଓ ଦୋମୁହାଁ ଚରିତ୍ର ପଦାରେ ପଡ଼ିଛି। ଓଡ଼ିଶା ବିରୋଧୀ, ଓଡ଼ିଆ ବିରୋଧୀ ଓ ଓଡ଼ିଆ ସ୍ୱାଭିମାନ ବିରୋଧୀ ରାଜ୍ୟ ବିଜେପି ଓ ରାଜ୍ୟ କଂଗ୍ରେସର ମନୋଭାବକୁ ବିଜେଡି ଦୃଢ଼ ନିନ୍ଦା କରୁଛି ଓ ଏହି ଘଟଣାରେ ତୁରନ୍ତ ଉଭୟ ଦଳର ରାଜ୍ୟ ନେତୃତ୍ୱ ନିଜ ନିଜର ଜାତୀୟ ନେତୃତ୍ୱଙ୍କ ମାଧ୍ୟମରେ ସମାଧାନ ପାଇଁ ଚାପ ପକାନ୍ତୁ ବୋଲି ବିଜେଡି ଦାବି କରିଛି।

ଅନ୍ୟପକ୍ଷରେ ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ଦାୟିତ୍ୱ ନିର୍ବାହ ନକରି ନିଜ ଦଳ ମାଧ୍ୟମରେ ମିଛ ବିବୃତ୍ତି ରଖୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ମହାନଦୀ ପ୍ରସଙ୍ଗରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି ତାହା ରାଜ୍ୟବାସୀଙ୍କୁ ଜଣାଇବାକୁ ସେ ଦାବି କରିବା ସହ ମହାନଦୀ ସମସ୍ୟା ପାଇଁ କେବଳ ବିଜେଡି ସରକାର ଦାୟୀ ବୋଲି ସେ କହିଛନ୍ତି । ବିଜୁ ଜନତା ଦଳ ୨୩ବର୍ଷ ଧରି ସରକାରରେ ରହି ଶାସନ କରୁଛନ୍ତି ନା ମଇଦାନରେ ଫୁଟବଲ ଖେଳୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାର ଯେତେବେଳେ ଡ୍ୟାମ ନିର୍ମାଣ କରୁଥିଲେ ଆରମ୍ଭରୁ ଓଡ଼ିଶା ସରକାର ଶୋଇଥିଲେ କାହିଁକି?

ମହାନଦୀ ଟ୍ରିବ୍ୟୁନାଲରେ ଓଡ଼ିଶା ସପକ୍ଷରେ ତଥ୍ୟ ପ୍ରମାଣ ସହ ଯୁକ୍ତି ଉପସ୍ଥାପନ କରିବାରେ ରାଜ୍ୟ ସରକାରଙ୍କ ଅକ୍ଷମତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପ୍ରଥମରୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ଜଳସେଚନ ବିଭାଗ ରହିଆସିଛି । ମହାନଦୀ ଶୁଖିଲା ପଡ଼ିବା ଏବଂ ରାଜ୍ୟରେ ଜଳସେଚନର ଅଗ୍ରଗତି ନହେବା ପାଇଁ ରାଜ୍ୟ ସରକାରଙ୍କ ଅପାରଗତା ହିଁ ଦାୟୀ । ଏବେ ମହାନଦୀ କଥା ଉଠିଲେ ବିଜେଡି ନିଜର ଦୋଷ ଘୋଡ଼ାଇବା ପାଇଁ କେବଳ ଅନ୍ୟ ଉପରେ ଦୋଷ ଲଦି ମିଛ ବିବୃତି ରଖୁଛି । ମହାନଦୀକୁ ନେଇ ରାଜନୀତି ବିଜେଡି ନାରାବାଜି କରୁଛି ଓ ବିଜେଡିର ଏପରି ମାନସିକତାକୁ ଓଡ଼ିଶାବାସୀ ଆଦୌ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ଝାରସୁଗୁଡ଼ା ଉପନିର୍ବାଚନ ଥିବାରୁ ମହାନଦୀ ପ୍ରସଙ୍ଗ ଉଠାଇ ବିଜେଡି ଚାଲାକି କରୁଛି। ପ୍ରଥମେ ମହାନଦୀ ଉପରେ ଛତିଶଗଡ଼ ବନ୍ଧ ବାନ୍ଧିବା ପ୍ରସଙ୍ଗରେ କଂଗ୍ରେସ ହିଁ ପ୍ରଶ୍ନ ଉଠାଇଥିଲା । ସର୍ବଦଳୀୟ ବୈଠକ ଡାକିଥିଲା । କିନ୍ତୁ ଶାସକ ଦଳର କେହି ଯୋଗ ଦେଲେନି।

ସେତେବେଳେ ଜଳସମ୍ପଦ ସଚିବ ମଧ୍ୟ ଗଣମାଧ୍ୟମରେ ବୟାନ ଦେଇଥିଲେ ଯେ, ଛତିଶଗଡ଼ ଶହେ ବନ୍ଧ ବାନ୍ଧିଲେ ବି ଓଡ଼ିଶାକୁ ପ୍ରଭାବ ପଡ଼ିବ ନାହିଁ । ଆଉ ଏବେ ସ୍ଥିତି କ’ଣ? ତେଣୁ ବିଜେଡି ନିଜ ଅବହେଳାରୁ ମହାନଦୀ ଶୁଖିଲା ପଡ଼ିଛି ଓ ନିଜ ଦାୟିତ୍ୱ ବିଜେଡି ସରକାର ନିଜେ ଭୁଲି ଯାଇ ଅନ୍ୟ ଉପରେ ଦୋଷ ଲଦୁଛନ୍ତି ବୋଲି ଶ୍ରୀ ବାହିନୀପତି କହିଛନ୍ତି।

Odisha BjD Bjp Congress Mahanadi River
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe