ନିର୍ବାଚନ ଜିତିବା ପରଠୁ ୱାର୍ଡମେମ୍ବର ବାସନ୍ଦ

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ୱାର୍ଡରେ ୱାର୍ଡମେମ୍ବରଙ୍କୁ କରାଯାଇଛି ବାସନ୍ଦ। ଗୋଟିଏ ଗ୍ରାମର କିଛି ଲୋକ କଙ୍ଗାରୁକୋର୍ଟ କରି ୱାର୍ଡମେମ୍ବରଙ୍କୁ ଏଭଳି ଦଣ୍ଡ ଦେଇଛନ୍ତି। ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ଓ ଜିତିବା ଯୋଗୁ ଏହି ଦଣ୍ଡ ତାଙ୍କୁ ମିଳିଛି। ଏନେଇ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପୀଡ଼ିତ ୱାର୍ଡମେମ୍ୱର ଲିଖିତ ଅଭିଯୋଗ କରିଛନ୍ତି। ହେଲେ ତାଙ୍କ ଅଭିଯୋଗର ସମାଧାନ କରିବାକୁ ପ୍ରଶାସନ ଗୁରୁତ୍ୱ ଦେଉନି। ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ବରୁଣଗଡିଆ ପଂଚାୟତ […]

ward-member

  • Published: Friday, 03 June 2022
  • , Updated: 03 June 2022, 08:40 PM IST

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ୱାର୍ଡରେ ୱାର୍ଡମେମ୍ବରଙ୍କୁ କରାଯାଇଛି ବାସନ୍ଦ। ଗୋଟିଏ ଗ୍ରାମର କିଛି ଲୋକ କଙ୍ଗାରୁକୋର୍ଟ କରି ୱାର୍ଡମେମ୍ବରଙ୍କୁ ଏଭଳି ଦଣ୍ଡ ଦେଇଛନ୍ତି। ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ଓ ଜିତିବା ଯୋଗୁ ଏହି ଦଣ୍ଡ ତାଙ୍କୁ ମିଳିଛି। ଏନେଇ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପୀଡ଼ିତ ୱାର୍ଡମେମ୍ୱର ଲିଖିତ ଅଭିଯୋଗ କରିଛନ୍ତି। ହେଲେ ତାଙ୍କ ଅଭିଯୋଗର ସମାଧାନ କରିବାକୁ ପ୍ରଶାସନ ଗୁରୁତ୍ୱ ଦେଉନି। ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ବରୁଣଗଡିଆ ପଂଚାୟତ ୨୦ ନମ୍ୱର୍ ୱାର୍ଡରେ ଘଟିଛି ଏହି ଘଟଣା। ୱାର୍ଡ ସଭ୍ୟା ଜଣକ ଗିରିଥ ସୋରେନ।

ଅଭିଯୋଗ ମୁତାବକ, ଏହି ୱାର୍ଡରେ ରହିଛି ଗୋହିରାଗଡିଆ ଗାଁ। ଗତ ପଞ୍ଚାୟତ ନିର୍ବାଚନରେ ଏହି ୱାର୍ଡଟି ଜଣେ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ପ୍ରଶାସନର ଏହି ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଗ୍ରାମରେ ବସିଥିଲା କଙ୍ଗାରୁକୋର୍ଟ। ଏଠାରେ ଗାଁ ମୁଖିଆଙ୍କ ନିଷ୍ପତ୍ତି କ୍ରମେ ଏହି ଆଦିବାସୀ ପରିବାରକୁ ଡକାଯାଇ ନିର୍ବାଚନରେ ପ୍ରାର୍ଥୀ ହେବାକୁ ମନା କରାଯାଇଥିଲା। ନିର୍ବାଚନରେ ଭାଗ ନେଲେ ଗ୍ରାମରୁ ବାହାର କରିଦିଆଯିବ ବୋଲି ଧମକ ଦିଆଯାଇଥିଲା। ଏଥିସହ କୌଣସି ଗ୍ରାମବାସୀ ଯଦି ତାଙ୍କୁ ନିର୍ବାଚନରେ ସହଯୋଗ କରନ୍ତି କିମ୍ବା ଭୋଟ ଦିଅନ୍ତି ତାଙ୍କୁ ମଧ୍ୟ ବାସନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏହି ବେଆଇନ ସଭାକୁ ଖାତିର ନ କରି ଏହି ୱାର୍ଡରେ ରହୁଥିବା ଏକମାତ୍ର ଆଦିବାସୀ ପରିବାରର ଗିରିଥ ସୋରେନ ୱାର୍ଡ ସଭ୍ୟା ଭାବେ ନାମାଙ୍କନ ଦାଖଲ କରିଥିଲେ।

ଏହି ୱାର୍ଡର ୫ ପରିବାର ଉକ୍ତ ଆଦିବାସୀ ପରିବାରକୁ ସମର୍ଥନ କରିଥିଲେ ଏବଂ ତାଙ୍କୁ ନିର୍ବାଚନରେ ଭୋଟ ଦେଇ ଜିତାଇଥିଲେ। ଫଳରେ ଗିରିଥ ନିର୍ଦ୍ଵନ୍ଦରେ ୱାର୍ଡସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ଯାହା ପରେ ଗ୍ରାମରେ ପୁଣି କଙ୍ଗାରୁ କୋର୍ଟ ବସିଥିଲା। ଏହି ବେଆଇନ କୋର୍ଟ ନିଷ୍ପତି ଅନୁଯାୟୀ ୱାର୍ଡ ସଭ୍ୟାଙ୍କ ସମେତ ତାଙ୍କୁ ସମର୍ଥନ କରିଥିବା ପରିବାରକୁ ଗ୍ରାମରୁ ସାମାଜିକ ବାସନ୍ଦ କରାଯାଇଛି।

ଗ୍ରାମରେ ଥିବା ଶିବ ମନ୍ଦିରରେ ପୂଜା କରିବା, ଗ୍ରାମରେ ଥିବା ଦୋକାନରୁ ଜିନିଷ କିଣିବା, ଗାଁରେ କୌଣସି କାମ ଧନ୍ଦା ନ କରାଇଦେବା ପ୍ରଭୃତି ନିଆଁପାଣି ବାସନ୍ଦ କରାଯାଇଛି। ନିଜ ୱାର୍ଡସଭ୍ୟାଙ୍କୁ ବାଦ ଦେଇ ୧୨ ନମ୍ୱର  ୱାର୍ଡ ସଭ୍ୟାଙ୍କ ଦସ୍ତଖତରେ ଅଙ୍ଗନୱାଡ଼ି ଖାଦ୍ୟ ଉଠାଇବାକୁ ନିଷ୍ପତ୍ତି ହୋଇଛି। ଏମାନଙ୍କ ସହିତ ଗ୍ରାମର ଯିଏ ମିଶିବ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଗିରିଥ ସରପଞ୍ଚ, ବିଡ଼ିଓ, ଜିଲ୍ଲାପାଳ, ଏସପି ଏବଂ ପଞ୍ଚାୟତରାଜ ବିଭାଗ ନିର୍ଦ୍ଦେଶକଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି।

ଏନେଇ ଉକ୍ତ ଗ୍ରାମର ମୁଖିଆ ବିଜୟାନନ୍ଦ ବେହେରାଙ୍କୁ ପଚାରିବାରୁ ଏହା ଏକ ମିଥ୍ୟା ଅଭିଯୋଗ ଓ ରାଜନୈତିକ ଆକ୍ରୋଶ ରଖି କରାଯାଉଥିବା କହିଛନ୍ତି। ତେବେ ସମ୍ପୃକ୍ତ ୱାର୍ଡମେମ୍ବର ସଭ୍ୟାଙ୍କ ଜନ୍ମିତ ଶିଶୁ ସଂଖ୍ୟା ଓ ନିର୍ବାଚନ ନିୟମ ସମ୍ପର୍କରେ ସେ ଜିଲ୍ଲାପାଳ ଏବଂ ବିଡିଓଙ୍କୁ ଅଭିଯୋଗ କରିଥିବା କହିଛନ୍ତି। ତେଣେ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀଙ୍କ ସହିତ ଆଲୋଚନା କରାଯିବ କହିଛନ୍ତି ବରୁଣଗଡିଆ ସରପଞ୍ଚ କରୁଣାକର ମଲ୍ଲିକ।

Related story