ବାତ୍ୟା ହେବ କି ନାହିଁ ଜଣାପଡ଼ିନି, ବାତ୍ୟା ହେଲେ ଆମେ ପ୍ରସ୍ତୁତ: ଏସଆରସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବାତ୍ୟା ହେବ କି ନାହିଁ ତାହା ଜଣାପଡ଼ିନି । ସମ୍ଭାବ୍ୟ ଲଘୁଚାପ ମଧ୍ୟ ଅବପାତରେ ରୂପାନ୍ତରିତ ହୋଇ ବାତ୍ୟାର ରୂପ ନେବ କି ନାହିଁ ତାହା ବି ଜଣାନାହିଁ । ଆସନ୍ତାକାଲି ସୁଦ୍ଧା ବାତ୍ୟାର ସ୍ପଷ୍ଟ ଚିତ୍ର ଆମକୁ ଭାରତୀୟ ପାଣିପାଗ ବିଭାଗ ଦେବ ବୋଲି ଅନୁମାନ କରାଯାଉଛି। ତଥାପି ଯଦି ବାତ୍ୟା ହୁଏ, ତା’ହେଲେ ତା’ର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଲୋକମାନେ ଭୟଭୀତ ହେବାର […]

SRC

SRC

Ordigital Desk
  • Published: Thursday, 05 May 2022
  • Updated: 05 May 2022, 07:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବାତ୍ୟା ହେବ କି ନାହିଁ ତାହା ଜଣାପଡ଼ିନି । ସମ୍ଭାବ୍ୟ ଲଘୁଚାପ ମଧ୍ୟ ଅବପାତରେ ରୂପାନ୍ତରିତ ହୋଇ ବାତ୍ୟାର ରୂପ ନେବ କି ନାହିଁ ତାହା ବି ଜଣାନାହିଁ । ଆସନ୍ତାକାଲି ସୁଦ୍ଧା ବାତ୍ୟାର ସ୍ପଷ୍ଟ ଚିତ୍ର ଆମକୁ ଭାରତୀୟ ପାଣିପାଗ ବିଭାଗ ଦେବ ବୋଲି ଅନୁମାନ କରାଯାଉଛି। ତଥାପି ଯଦି ବାତ୍ୟା ହୁଏ, ତା’ହେଲେ ତା’ର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ । ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏଭଳି ମତ ରଖିଛନ୍ତି । ଏହାସହିତ ସମ୍ଭାବ୍ୟ ବାତ୍ୟାକୁ ନେଇ ଅଯଥା ଗୁଜବ ସୃଷ୍ଟି ନକରିବାକୁ ଗଣମାଧ୍ୟମକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ନେଇ ଯେଉଁ ଚର୍ଚ୍ଚା ଗଣମାଧ୍ୟମରେ ଚାଲିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ବାତ୍ୟାକୁ ନେଇ ଯିଏବି ଚର୍ଚ୍ଚା କରୁଛନ୍ତି ସେଥିରୁ ନିବୃତ୍ତ ରହିବା ଉଚିତ୍ । ବାତ୍ୟା ହେବ କି ନାହିଁ ସେ ସମ୍ପର୍କରେ ଆସନ୍ତାକାଲି ସୁଦ୍ଧା ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରାଇବାର ସମ୍ଭାବନା ରହିଛି । ଲଘୁଚାପ ଅବପାତର ରୂପ ନେଇ ବାତ୍ୟାରେ ରୂପାନ୍ତର ହେବ କି ନାହିଁ, ଯଦି ହୁଏ ଏହାର ଗତି କ’ଣ ରହିବ, କେଉଁଠି ଲ୍ୟାଣ୍ଡଫଲ କରିବ ସେ ନେଇ କୌଣସି ତଥ୍ୟ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ । ତଥାପି ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ରାଜ୍ୟ ସରକାର ନିଜର ପ୍ରସ୍ତୁତି କରିଛନ୍ତି ।

ରାଜ୍ୟ ସରକାର ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଜିଲ୍ଲାପାଳମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ନିର୍ଦ୍ଦିଷ୍ଟ ତଥ୍ୟ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଦେବାକୁ କୁହାଯାଇଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି ଯେ, ଆଜି ସେ ନିଜେ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ସେବା ବାହିନୀର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ଏବେ ୧୭ଟି ଏନଡିଆରଏଫ ଟିମ୍ , ୨୦ଟି ଓଡ୍ରାଫ ଟିମ୍ (୬୦ଟି ସବ୍ ଟିମ ହୋଇପାରିବ) ଓ ୧୭୫ଟି ଅଗ୍ନିଶମ ଟିମ୍ ଅଛନ୍ତି । ସେମାନଙ୍କୁ ଯେକୌଣସି ମୁହୂର୍ତ୍ତରେ ସେବା ଯୋଗାଇ ଦେବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହାସହିତ ଏନଡିଆରଏଫକୁ ମଧ୍ୟ ଆବଶ୍ୟକ ସ୍ଥଳେ ଅଧିକ ସହାୟତା ଦେବାକୁ ଅନୁରୋଧ କରାଯାଇଛି ।

ଶ୍ରୀ ଜେନା ଆଜି ଶକ୍ତି ବିଭାଗ, ନଗର ଉନ୍ନୟନ ବିଭାଗ ଓ ପଂଚାୟତିରାଜ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ପାନୀୟ ଜଳ ଓ ବିଦ୍ୟୁତ ସରବରାହ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସମ୍ଭାବ୍ୟ ବାତ୍ୟା ହେଲେ ବିଦ୍ୟୁତ ସେବାକୁ ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଇ ଦେବାକୁ ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଟାଟା ପାୱାରର ୩ଟି କମ୍ପାନୀକୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଶକ୍ତି ବିଭାଗକୁ କୁହାଯାଇଛି । ଲୋକଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି । ସେହିପରି ସମ୍ଭାବ୍ୟ ବାତ୍ୟାକୁ ଦେଖି କେତେକ ଅଂଚଳରେ ଅସାଧୁ ବ୍ୟବସାୟୀ ମାନେ ଖାଦ୍ୟସାମଗ୍ରୀର ଦରବୃଦ୍ଧି କରିଥିବାର ଖବର ସରକାରଙ୍କ ପାଖରେ ଅଛି ।  ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ମଧ୍ୟ ଏଭଳି ଅସାଧୁ ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏସବୁ ବ୍ୟବସାୟୀଙ୍କ ଉପରେ ନଜର ରଖିବାକୁ ଏନଫୋର୍ସମେଣ୍ଟ ଗତିବିଧି ବଢ଼ାଇବାକୁ କୁହାଯାଇଛି ।

ତେଣୁ ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟାକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଆସନ୍ତାକାଲି କିମ୍ବା ହୁଏତ ତା’ ପରଦିନ ବାତ୍ୟାର ସ୍ପଷ୍ଟ ଚିତ୍ର ଆମକୁ ଦେବ । ତାହା ଆସିବା ପରେ ହିଁ ଯାହାକିଛି କୁହାଯାଇପାରେ । ତା’ଛଡ଼ା ଏହି ବାତ୍ୟା ଗ୍ରୀଷ୍ମ ଋତୁରେ ଆସୁଥିବାରୁ ବନ୍ୟାର ଆଶଙ୍କା ମଧ୍ୟ ନାହିଁ । ତେଣୁ ସମ୍ଭାବ୍ୟ ବାତ୍ୟାକୁ ନେଇ କୌଣସି ପ୍ରକାରର ଆତଙ୍କ ଓ ଗୁଜବ ସୃଷ୍ଟି ନକରିବାକୁ ଶ୍ରୀ ଜେନା ଗଣମାଧ୍ୟମକୁ ପରାମର୍ଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos