sec
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ବିଭିନ୍ନ ବିଭାଗରେ ଅବସ୍ଥାପିତ କରିଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ବିଦା କରିବେ। ଏନେଇ ସବୁ ବିଭାଗକୁ ଚିଠି ହୋଇଛି। ତେବେ ଅବସର ପରେ ଏମାନଙ୍କୁ ପୁନଃ ଅବସ୍ଥାପିତ କରିବା ଓ ଏବେ ପୁଣି ବିଦା କରିବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।
ସରକାରଙ୍କ ଶୁଭଦୃଷ୍ଟିରେ ଥିବା ଲୋକଙ୍କୁ ଏଥିରେ ଥଇଥାନ କରାଯାଇଥିବା ଚର୍ଚ୍ଚା ହେଉଛି। ସେହିପରି ଆଗକୁ ନିର୍ବାଚନ ଆସୁଥିବାରୁ ରାଜ୍ୟ ସରକାର ଏମାନଙ୍କୁ ବିଦା କରି ତାଙ୍କ ସ୍ଥାନରେ ନୂଆ ନିଯୁକ୍ତି ଦେଇ ରାଜନୀତିକ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି।
ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ବିଭାଗୀୟ ଅଧିକାରୀଙ୍କୁ ଲେଖିଥିବା ଚିଠିରୁ ସରକାର ନେଇଥିବା ଏହି ନିଷ୍ପତ୍ତି ସଂପର୍କରେ ସୂଚନା ମିଳିଛି। ଅବସର ପରେ ପୁଣି ଚାକିରି ପାଇଥିବା ଲୋକଙ୍କୁ କାମରୁ ଅବ୍ୟାହତି ଦେବା ପାଇଁ ନିକଟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା।
ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ, ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି ଚାକିରିରୁ ଅବସର ନେବା ପରେ ଏମାନଙ୍କ କାର୍ଯ୍ୟକାଳ ବଢାଇଥିଲେ ରାଜ୍ୟ ସରକାର। ଯୋଗାଣ ବିଭାଗର ଓଏସ୍ଡି ସଞ୍ଜୀବ ମିଶ୍ରଙ୍କୁ ମଧ୍ୟ ଅବସର ପରେ ପୁଣି ନିଯୁକ୍ତି ମିଳିଥିଲା।
କେବଳ ଏହି ତିନି ବରିଷ୍ଠ ଅଧିକାରୀ ନୁହନ୍ତି, କିଛିବର୍ଷ ହେଲା ବିଭିନ୍ନ ବିଭାଗରେ ଅବସର ପରେ ବି ଅନେକ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। କୁହାଯାଉଛି, ପ୍ରଶାସନିକ ଆବଶ୍ୟକତା ଓ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଏହି ନିଯୁକ୍ତି ଦିଆଯାଇଥିଲା।
ହେଲେ ସରକାରଙ୍କ ଏପରି ଯୁକ୍ତିକୁ କିଛି ପୂର୍ବତନ ଅଧିକାରୀ ଗ୍ରହଣ କରିପାରୁ ନାହାନ୍ତି। ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଏହି ଯୁକ୍ତିକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଯେଉଁମାନେ ସରକାରଙ୍କ ଶୁଭଦୃଷ୍ଟିରେ ଥିଲେ ସେମାନଙ୍କ ଥଇଥାନ ଲାଗି ଏହି ବ୍ୟବସ୍ଥା କରାଯାଇଛି।”
ରାଜ୍ୟ ସରକାର ଅବସର ବୟସ ସୀମା ବଢ଼ାଇବା ସପକ୍ଷରେ ନଥିବା ବେଳେ କେମିତି ଏତେ ସଂଖ୍ୟକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆଉ ଥରେ ଚାକିରି ଦେଇଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।
ଅବସରପ୍ରାପ୍ତ କର୍ମଚାରୀ ଆଉ ଥରେ ନିଯୁକ୍ତି ପାଇବା ଦ୍ୱାରା ବହୁ ବେକାର ଯୁବକଯୁବତୀ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି। ଏମିତିକି ଅନେକ କର୍ମଚାରୀଙ୍କ ପଦୋନ୍ନତିରେ ବି ପୁନଃ ନିଯୁକ୍ତି ପାଇଥିବା ଅଧିକାରୀମାନେ ବାଧକ ସାଜିଥିବାରୁ ସେମାନେ ଉପରିସ୍ଥ ପଦକୁ ଯାଇପାରୁନାହାନ୍ତି।
ନିର୍ବାଚନ ପୂର୍ବରୁ ଏମାନଙ୍କୁ ବିଦା କରି କିଛି ନୂଆ ନିଯୁକ୍ତି ଦେଇ ସରକାର ବାହାବା ନେବା ଚକ୍କରରେ ଥିବା ଅଭିଯୋଗ ବି ହେଉଛି। ସେହିପରି ଏଭଳି ନିଯୁକ୍ତିର ଆବଶ୍ୟକତା ନାହିଁ ବୋଲି ଏତେ ଡେରିରେ କାହିଁକି ଓ କେମିତି ସରକାରଙ୍କ ଚୈତନ୍ୟ ଉଦୟ ହେଲା, ତା' ମଧ୍ୟ ଏକ ରହସ୍ୟ ହୋଇ ରହିଛି।
ପୁରୁଣା କର୍ମଚାରୀଙ୍କୁ ଅବ୍ୟାହତି ଦେବା ପାଇଁ ନିକଟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା। ୪ ବର୍ଷରେ ୫୦ ହଜାରରୁ ଅଧିକ ଏହିପରି ନିଯୁକ୍ତି ଦିଆଯାଇଛି। ତେବେ ଏହିସବୁ ପୁରୁଣା କର୍ମଚାରୀଙ୍କୁ ଅଧିକ ଦିନ ରଖିବାର ଆବଶ୍ୟକତା ନଥିବା ଦର୍ଶାଇ ବିଭିନ୍ନ ବିଭାଗକୁ ଚିଠି ଲେଖାଯାଇଛି।
ସୂଚନା ପ୍ରଯୁକ୍ତି ଓ ଇଂଜିନିୟରିଂ ଭଳି କିଛି କ୍ଷେତ୍ରରେ ଯେଉଁଠି ଅଭିଜ୍ଞ ବ୍ୟକ୍ତିବିଶେଷଙ୍କ ଆବଶ୍ୟକତା ରହିଛି, ସେ କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟ କ’ଣ ରହୁଛି, ତାହା ଦେଖିବାକୁ ବାକି ରହିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/09/Odisha_state_secretariat_hall_Bhubaneswar_India.jpg)