ଗୋଟିଏ ପଟେ କରୋନା ଚିନ୍ତା ଖାଉଛି, ଅନ୍ୟପଟେ ପିଲାଙ୍କ ଭବିଷ୍ୟତ ଚିନ୍ତା ରଖେଇ ଦେଉନି। କରୋନା ତାଲା ବନ୍ଦ, ତାଲା ଖୋଲା ଭିତରେ ଅନ୍ଧାରକୁ ମାଡ଼ି ଗଲେଣି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ସରକାର କହୁଛନ୍ତି ସେମାନେ ପ୍ରସ୍ତୁତ ନୁହନ୍ତି, ହେଲେ ୟୁଜିସି କହୁଛି ପରୀକ୍ଷା କରାଯାଉ। ଏ ସବୁ ଭିତରେ ଅଣ୍ଡର ଗ୍ରାଜୁଏଟ୍(ୟୁଜି) ଏବଂ ପୋଷ୍ଟ ଗ୍ରାଜୁଏଟ୍(ପିଜି) ପିଲାଙ୍କ ପରୀକ୍ଷାକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ। କରୋନା ପରିସ୍ଥିତି ସମସ୍ତଙ୍କ ଭଳି ଛାତ୍ରଛାତ୍ରୀଙ୍କର ମଧ୍ୟ ମାନସିକ ଚାପ ବଢ଼ାଇଥିବା ବେଳେ ଏବେ ପରୀକ୍ଷା ହେବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଆହୁରି ବଢ଼ିଯାଇଛି।
ବିଶ୍ୱବିଦ୍ୟାଳୟ ଅଧୀନ ୟୁଜି ଏବଂ ପିଜି ପରୀକ୍ଷାକୁ ନେଇ ବିବାଦ ଲାଗି ରହିଛି, ଯେଉଁଥିପାଇଁ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନେ ମଧ୍ୟ ମାନସିକ ଚାପରେ ରହିଛନ୍ତି। କରୋନା କଟକଣା ଓ ସତର୍କତା ସହ ପରୀକ୍ଷା କରିବାକୁ ୟୁଜିସି ଗାଇଡଲାଇନ୍ ଜାରି କରିଛି। ସେପ୍ଟେମ୍ୱର ଶେଷ ସୁଦ୍ଧା ୟୁଜି, ପିଜିର ବାର୍ଷିକ ସେମିଷ୍ଟାର ପରୀକ୍ଷା କରାଯାଉ ବୋଲି ୟୁଜିସି ଗତ ୬ ତାରିଖରୁ ନିଷ୍ପତ୍ତି ଶୁଣାଇଛି। ହେଲେ ଓଡ଼ିଶା ବର୍ତ୍ତମାନ ସ୍ଥିତିରେ ପରୀକ୍ଷା କରିବାକୁ ପ୍ରସ୍ତୁତ ନାହିଁ ବୋଲି କେନ୍ଦ୍ରକୁ ଜଣାଇଛି। ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ମାନବସମ୍ୱଳ ମନ୍ତ୍ରାଳୟକୁ ଦୁଇ ଦୁଇଥର ଚିଠି ମଧ୍ୟ ଲେଖିଲେଣି।
ଗତ ୯ ତାରିଖରେ ପ୍ରଥମେ ମନ୍ତ୍ରୀ ସାହୁ ମାନବସମ୍ୱଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଚିଠି ଲେଖି ଓଡ଼ିଶାରେ ପରୀକ୍ଷା ବାତିଲ କରିବା ନିଷ୍ପତ୍ତିକୁ ପାଳନ କରିବାକୁ ଅନୁମତି ମାଗିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ଉତ୍ତର ନ ମିଳିବାରୁ ମନ୍ତ୍ରୀ ସାହୁ ଗୁରୁବାର ପୁଣି ଏକ ଚିଠି ଲେଖି ୟୁଜିସି ଦ୍ୱାରା ଜାରି ଗାଇଡଲାଇନକୁ ବାଧ୍ୟତାମୂଳକ ନ କରିବାକୁ ଅନୁରୋଧ କରିଛନ୍ତି।
ମନ୍ତ୍ରୀ ସାହୁ କେନ୍ଦ୍ରମନ୍ତ୍ରୀ ପୋଖରିୟାଲଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ କରୋନା ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି। ଆଗାମୀ ଦିନରେ ଏହା ଆହୁରି ବ୍ୟାପକ ହେବାର ଆଶଙ୍କା ମଧ୍ୟ ରହିଛି। ଏଭଳି ସ୍ଥିତିରେ ୟୁଜି ଓ ପିଜି ଶେଷବର୍ଷ ସେମିଷ୍ଟର ପରୀକ୍ଷା କରିବା ସମ୍ଭବ ନୁହେଁ। ଅନଲାଇନ୍ କିମ୍ୱା ଅଫଲାଇନ୍ ପରୀକ୍ଷା ହୋଇପାରିବ ନାହିଁ। ନିମ୍ନ, ମଧ୍ୟବିତ୍ତ ପରିବାରର ପିଲାମାନଙ୍କ ନିକଟରେ କମ୍ୟୁଟର, ଲ୍ୟାପଟପ୍ ବା ସ୍ମାର୍ଟଫୋନ ସୁବିଧା ନ ଥିବା ବେଳେ ଗ୍ରାମାଞ୍ଚଳରେ ରହୁଥିବା ପିଲାମାନଙ୍କ କ୍ଷେତ୍ରରେ ଇଣ୍ଟରନେଟ୍ ମଧ୍ୟ ଏକ ବାଧକ। ତେଣୁ ଅନଲାଇନ ପରୀକ୍ଷା ସମସ୍ତ ପାଇଁ ସମ୍ଭବ ନୁହେଁ। ସେହିପରି ଅଫଲାଇନ୍ ପରୀକ୍ଷା କରାଗଲେ କ୍ଲାସରୁମରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ଏହା ସମ୍ଭବ ନୁହେଁ। ଏହାସହ ସାମାଜିକ ଦୂରତ୍ୱ ରକ୍ଷା ନ କରିପାରିବା, ସାଧାରଣ ପରିବହନ ବ୍ୟବସ୍ଥା ସ୍ୱାଭାବିକ ନ ହେବା, ଭଡ଼ା ଘରେ ରହୁଥିବା ପିଲାମାନଙ୍କୁ ଘର ମାଲିକ ରହିବାକୁ ଅନୁମତି ନ ଦେବା, ଅଧିକାଂଶ କଲେଜକୁ କରୋନା ସ୍ଥିତି ମୁକାବିଲା ପାଇଁ ବ୍ୟବହାର କରାଯାଇଥିବାରୁ ସେପ୍ଟେମ୍ୱର ଶେଷ ସୁଦ୍ଧା ପରୀକ୍ଷା କରାଇବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ଜଣାଇଛନ୍ତି।
ଅପରପକ୍ଷେ ସାରା ଦେଶରେ ୟୁଜିସି ଅଧୀନସ୍ଥ ୯୧୮ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୬୦୩ଟି ବିଶ୍ୱବିଦ୍ୟାଳୟ ପରୀକ୍ଷା କରିବା ସପକ୍ଷରେ ଅଛନ୍ତି। ତେବେ ୨୦୯ଟି ବିଶ୍ୱବିଦ୍ୟାଳୟ ପରୀକ୍ଷା କରିସାରିଥିବା ବେଳେ ୩୯୪ଚି ବିଶ୍ୱବିଦ୍ୟାଳୟ ୟୁଜିସି ଗାଇଡଲାଇନ ଅନୁଯାୟୀ ଅଗଷ୍ଟ ଓ ସେପ୍ଟେମ୍ୱରରେ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏଭଳି ସ୍ଥିତିରେ ଆବଶ୍ୟକ ପଦକ୍ଷେପ ନେଇ ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ ମଧ୍ୟ ପରୀକ୍ଷା ଆୟୋଜିତ କରାଇ ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରିବା ଆବଶ୍ୟକ ରହିଛି।
ସୂଚନାଯୋଗ୍ୟ, ପରୀକ୍ଷା ଦେଲାବେଳେ କପି ରୋକିବା ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ ଦୂରତା ରହିବା ଏକ ବହୁ ପ୍ରଚଳିତ ବ୍ୟବସ୍ଥା। କରୋନା ସମୟରେ ସେହି ପରମ୍ପରା ଅନୁସୃତ ହେବାରେ କୌଣସି ପ୍ରତିବନ୍ଧକ ନାହିଁ। ଛାତ୍ରଛାତ୍ରୀମାନେ ୬ ଫୁଟ ଦୂରରେ ବସି ମୁହଁରେ ପଟି ବାନ୍ଧି ପରୀକ୍ଷା ଦେବାରେ କୌଣସି ଅସୁବିଧା ନଥିବାବେଳେ ରାଜ୍ୟ ସରକାର କାହିଁକି ପରୀକ୍ଷା ପାଇଁ ରାଜି ହେଉ ନାହାନ୍ତି ତାହା ରହସ୍ୟଜନକ। ଠିକ ସେହିଭଳି ପିଲାମାନେ ବି କାହିଁକି ବିନା ପରୀକ୍ଷାରେ ପାସ୍ କରିବାକୁ ଏତେ ଆଗ୍ରହୀ ତାହା ବି ବୁଝାପଡ଼ୁ ନାହିଁ। କରୋନା କଟକଣା ଯୋଗୁଁ ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ମାର୍ଚ୍ଚ ଅଧାରୁ ଘରେ ଅଛନ୍ତି। ଏହି ସମୟରେ ପଢ଼ାପଢ଼ି ଉପରେ ଗୁରୁତ୍ୱ ଦେଇଥିଲେ ପରୀକ୍ଷାରେ ଭଲ ଫଳ କରିବାର ସମ୍ଭାବନା ରହିଛି।
ତେବେ ରାଜ୍ୟ-କେନ୍ଦ୍ର ମଧ୍ୟରେ ଥିବା ଏହି ଦ୍ୱନ୍ଦ୍ୱ ଏବେ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ାଇଦେଇଛି। ପିଲାମାନେ କରୋନା ଲକଡାଉନ, ଶଟଡାଉନ ଭିତରେ ମାନସିକ ଚାପରେ ଥିବା ବେଳେ ଭବିଷ୍ୟତ କଥା ଚିନ୍ତା କରି ଆହୁରି ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ହେଲେ ଯେହେତୁ ରାଜ୍ୟ ସରକାର ପୂର୍ବରୁ ଅର୍ଥାତ୍ ଜୁନ ୧୧ରୁ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି। ଏଣୁ ୟୁଜିସି ଗାଇଡଲାଇନକୁ ପ୍ରତିବାଦ କରି କେବଳ ନିଜ ପକ୍ଷ ମଜବୁଦ କରିବାକୁ ରାଜ୍ୟ ସରକାର ଜିଦ୍ ଧରିଛନ୍ତି ବୋଲି କୁହାଯାଉଛି। ହେଲେ ଏସବୁ ଭିତରେ ପିଲାଙ୍କ ଭବିଷ୍ୟତ କୁଆଡ଼େ?
- ୟୁଜିସି ପରୀକ୍ଷା ହେଉ ବୋଲି ଅଡ଼ି ବସିଲେ ଆଗକୁ ସରକାର କଣ କରିବେ?
- ରାଜ୍ୟ ସରକାର ଯଦି ଶେଷ ମୁହୂର୍ତ୍ତରେ ପରୀକ୍ଷା କରିବାର ନିଷ୍ପତ୍ତି ନିଅନ୍ତି, ପିଲାମାନେ ନିଜକୁ ପ୍ରସ୍ତୁତ କରିପାରିବେ ତ?
- ରାଜ୍ୟ ସରକାରଙ୍କ ପୂର୍ବ ନିଷ୍ପତ୍ତିକୁ ବଳବତ୍ତର କରିବାର ଜିଦ୍ ଯୋଗୁ ଛାତ୍ରଛାତ୍ରୀମାନେ ହନ୍ତସନ୍ତ ହେବେନି ତ?
- କରୋନା ସ୍ଥିତି ପୂର୍ବରୁ ମଧ୍ୟ ପରୀକ୍ଷା କେନ୍ଦ୍ରରେ ପିଲାମାନେ ଶାରୀରିକ ଦୂରତ୍ୱ ପାଳନ କରି ପରୀକ୍ଷା ଦେଉଥିଲେ। ଏବେ ପରିସ୍ଥିତିକୁ ଗ୍ରହଣ କରି ସଚେତନ ପୂର୍ବକ ଅଧିକ ଯତ୍ନବାନ ହୋଇ ପରୀକ୍ଷା ଦିଆଯାଇପାରିବ ନାହିଁ କି?
- କରୋନା ସ୍ଥିତି ମୁକାବିଲା ଭିତରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିଷୟ ସରକାରଙ୍କ ମନେଅଛି ତ?