Advertisment

Budget ମୋହନଙ୍କ ବଜେଟରେ କ’ଣ ରହିଛି ଖାସ୍, ନବୀନ କଲେ କଟାକ୍ଷ

ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବାକୁ ବିଶେଷଜ୍ଞମାନଙ୍କୁ ନେଇ ‘ମୁଖ୍ୟମନ୍ତ୍ରୀଙ୍କ ଅର୍ଥନୀତିକ ଉପଦେଷ୍ଟା ପରିଷଦ’ ଗଠନ ଓ ନୀତି ଆୟୋଗ ଢାଂଚାରେ ରାଜ୍ୟର ବିକାଶ ପାଇଁ ଗଠନ ହେବ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ ଟ୍ରାନ୍ସଫରମିଙ୍ଗ ଓଡ଼ିଶା (ଏସଆଇଟିଆଇ-ଓଡ଼ିଶା)।

author-image
Prakaash Sethi
Odisha-Budget-10

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ୩.୧୦ଲକ୍ଷ କୋଟି ଟଙ୍କାର ବିଶାଳ ବଜେଟ୍ ପ୍ରସ୍ତୁତ କରିଛନ୍ତି  ସାଧାରଣ ଲୋକଙ୍କୁ ପ୍ରାଥମିକତା ସହ ଗ୍ରାମାଂଚଳ ସଶକ୍ତିକରଣ, ସମସ୍ତଙ୍କ ପ୍ରଗତି ଓ ସ୍ୱାଭିମାନ ଭଳି ୬ଟି ସ୍ତମ୍ଭକୁ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି । 

Advertisment

ବଜେଟକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡ଼ା ଭାଷାରେ କଟାକ୍ଷ କରିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଓଡ଼ିଶା ଇତିହାସର ଏକ ମାଇଲଖୁଂଟ ବୋଲି କହିଛନ୍ତି। କଂଗ୍ରେସ ବଜେଟକୁ ଦିଶାହୀନ କହି ସମାଲୋଚନା କରିଥିବାବେଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ବଜେଟକୁ ଓଡ଼ିଶାର ଭାଗ୍ୟ ବଦଳାଇବାର ଏକ ବ୍ଲୁ-ପ୍ରିଣ୍ଟ ବୋଲି ଦର୍ଶାଇଛନ୍ତି ।


ବଜେଟରେ କ’ଣ ରହିଛି ଖାସ୍ 

୨୦୨୫-୨୬ ତୁଳନାରେ ବଜେଟର ଆକାର ୬.୯ ପ୍ରତିଶତ ବୃଦ୍ଧି ପାଇଛି । ବଜେଟରେ ଗ୍ରାମୀଣ ବିକାଶ, କୃଷି, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ‘ବିକଶିତ ଓଡ଼ିଶା' ଗଠନ ପାଇଁ ଜନକୈନ୍ଦ୍ରିକ ପ୍ରଶାସନ ଓ ଗ୍ରାମୀଣ ସଶକ୍ତିକରଣକୁ ଏକ ନୂତନ ଦିଗ ଦେବାକୁ ପ୍ରୟାସ ହୋଇଛି। ୭.୯% ହାରରେ ବଢ଼ୁଥିବା ରାଜ୍ୟର  ଜିଡିପିକୁ ଦୃଷ୍ଟିରେ ରଖି ବିକଶିତ ଓଡ଼ିଶା ଗଠନର ମୂଳଦୁଆ ପକାଯାଇଛି, ଯେଉଁଥିରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ପରମ୍ପରାର ସମନ୍ୱୟ ରଖାଯାଇଥିବା ଜଣାପଡ଼ିଛି।

Advertisment

କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ବଜେଟ୍ ବ୍ୟୟବରାଦକୁ ଆଖିଦୃଶିଆ ବୃଦ୍ଧି ହୋଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ କୃଷି କ୍ଷେତ୍ର ପାଇଁ ୩୭୮୩୮ କୋଟି ଟଙ୍କାର ବ୍ୟୟବରାଦ ଥିବାବେଳେ ୨୦୨୬-୨୭ରେ ଏହା ୧୨.୩ ପ୍ରତିଶତ ବୃଦ୍ଧି ପାଇ ୪୨ ହଜାର ୪୯୨ କୋଟି ଟଙ୍କାରେ ପହଂଚିଛି। ଚାଷୀଙ୍କ ସମୃଦ୍ଧି ପାଇଁ ‘ସମୃଦ୍ଧ କୃଷକ ଯୋଜନା'ରେ ୬୦୮୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି। 

ସେହିପରି ଗ୍ରାମାଂଚଳର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଗ୍ରାମୀଣ ବିକାଶ କ୍ଷେତ୍ରରେ ବ୍ୟୟବରାଦକୁ ୧୩ ପ୍ରତିଶତ ବୃଦ୍ଧି କରାଯାଇ ୪୪୩୦୯ କୋଟି ଟଙ୍କା କରାଯାଇଛି, ଯାହା ଗତବର୍ଷ ୩୯ ହଜାର ୨୨୧ କୋଟି ଟଙ୍କା ଥିଲା। ଗ୍ରାମାଂଚଳରେ ସଂଯୋଗୀକରଣ ବଢ଼ାଇବା ପାଇଁ ‘ସଂଯୋଗହୀନ ବାସସ୍ଥାନ ସହିତ ସଂଯୋଗୀକରଣ' ଭଳି ନୂଆ ଯୋଜନାରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ଏକ ଉଲ୍ଲେଖନୀୟ ପଦକ୍ଷେପ।

ରାଜ୍ୟର ଶିକ୍ଷା ବଜେଟ୍ ଗତବର୍ଷର ୪୧୨୭୩ କୋଟିରୁ ବୃଦ୍ଧି ପାଇ ଏବେ ୪୨୫୬୫ କୋଟି ଟଙ୍କାରେ ପହଂଚିଛି । ଗୁଣାତ୍ମକ ପ୍ରାଥମିକ ଶିକ୍ଷା ପାଇଁ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ' ଯୋଜନାକୁ ଅଧିକ କ୍ରିୟାଶୀଳ କରାଯାଇଛି। 

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବଜେଟକୁ ୨୩୧୮୨ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ବିଶେଷକରି ଗରିବ ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା'ରେ ସର୍ବାଧିକ ୬୩୦୯ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। 

ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ବ୍ୟୟବରାଦରେ ୯.୭ ପ୍ରତିଶତ ବୃଦ୍ଧି କରାଯାଇ ଏହାକୁ ୧୭୮୫୫ କୋଟି ଟଙ୍କା ,ସହରାଂଚଳ ବିକାଶ ପାଇଁ ନଗର ଉନ୍ନୟନ ବଜେଟକୁ ୭.୫ ପ୍ରତିଶତ ବଢ଼ାଇ ୧୦୭୩୮ କୋଟି ଟଙ୍କା କରାଯାଇଛି।
ମହିଳାମାନଙ୍କ ସଶକ୍ତିକରଣ ପାଇଁ ‘ସୁଭଦ୍ରା ଯୋଜନା'ରେ ୧୦୧୪୫ କୋଟି ଟଙ୍କା ରଖାଯାଇଛି, ଯାହା ରାଜ୍ୟର ମହିଳା ଶକ୍ତିକୁ ଆର୍ଥିକ ସ୍ୱାଧୀନତା ଦେବାରେ ସହାୟକ ହେବ ।

ବଜେଟରେ କ’ଣ ରହିଛି ନୂଆ

- ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ରେ ଆର୍ଥିକ ଅନଗ୍ରସର ପରିବାରରେ କନ୍ୟାସନ୍ତାନ ଜନ୍ମ ହେଲେ ୨୦ହଜାର ଟଙ୍କାର ସଂଚୟ ଓ ସେମାନେ ସ୍ନାତକ ପାସ୍ କଲେ ୧ ଲକ୍ଷ ୧ ଟଙ୍କା ପ୍ରଦାନର ବ୍ୟବସ୍ଥା ।

-ପୁରୀରେ ୧୦୦୦ କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ବାଖ୍ୟାନ କେନ୍ଦ୍ର ଓ  ବିଶ୍ୱ ପର୍ଯ୍ୟଟନ କେନ୍ଦ୍ରର ପ୍ରତିଷ୍ଠା, ଯାହା ଶ୍ରୀମନ୍ଦିର ପାଇଁ ଆରମ୍ଭ ହେବାକୁ ଥିବା "ଡିଜିଟାଲ୍ ହୁଣ୍ଡି- ‘ସମର୍ପଣ’ ଅନଲାଇନ୍ ଦାନ ପ୍ଲାଟଫର୍ମକୁ ଯୋଡ଼ିବ।

-ବାଦ୍ ପଡ଼ିଥିବା ୬ଲକ୍ଷ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ
-ଚାଷୀଙ୍କୁ ଉଚିତ୍ ମୂଲ୍ୟ ଦେବା ପାଇଁ ୧୦୦ କୋଟି ଟଙ୍କା ବ୍ୟୟରେ ୧୦୦ଟି ସ୍ମାର୍ଟ ବା ମଡେଲ୍ ମଣ୍ଡି ପ୍ରତିଷ୍ଠା 
-ରେଅର ଆର୍ଥ କରିଡର ନିମନ୍ତେ ୧୦ କୋଟି ଟଙ୍କା ବ୍ୟୟବରାଦ
-ସବୁ ଗାଁକୁ ପକ୍କା ରାସ୍ତାରେ ଯୋଡ଼ିବା ପାଇଁ ହଜାରେ କୋଟି ଟଙ୍କା ବ୍ୟୟବରାଦ
-ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତାର ପ୍ରସାର ପାଇଁ ରାଜ୍ୟ ଏଆଇ ମିଶନରେ ୨୩ କୋଟି ଟଙ୍କା ବରାଦ
-ପର୍ଯ୍ୟଟନ ଭୂମି ବ୍ୟାଙ୍କ ଯୋଜନା: ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଜମି ଯୋଗାଇବାକୁ ପର୍ଯ୍ୟଟନ ଲ୍ୟାଣ୍ଡବ୍ୟାଙ୍କ ଯୋଜନା ପାଇଁ ୧୫୦ କୋଟି ଟଙ୍କା ବରାଦ
-ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଓ ପ୍ରସାର ପାଇଁ ‘ଡାଲଖାଇ’ ଯୋଜନାରେ ୨୨୦ କୋଟି ଟଙ୍କା ବ୍ୟୟବରାଦ
-ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବାକୁ ବିଶେଷଜ୍ଞମାନଙ୍କୁ ନେଇ ‘ମୁଖ୍ୟମନ୍ତ୍ରୀଙ୍କ ଅର୍ଥନୀତିକ ଉପଦେଷ୍ଟା ପରିଷଦ’ ଗଠନ
-ନୀତି ଆୟୋଗ ଢାଂଚାରେ ରାଜ୍ୟର ବିକାଶ ପାଇଁ ଗଠନ ହେବ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ ଟ୍ରାନ୍ସଫରମିଙ୍ଗ ଓଡ଼ିଶା (ଏସଆଇଟିଆଇ-ଓଡ଼ିଶା) 
-କ୍ରୀଡ଼ା ଏବଂ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଇଁ ଫିଟ୍ ଓଡ଼ିଶା ମିଶନରେ ୧୦ କୋଟି ଟଙ୍କା ବ୍ୟୟବରାଦ
- ୩ଟି ନୂଆ ଏକ୍ସପ୍ରେସୱେ ନିର୍ମାଣ । ୨୮୭ କିମି ବ୍ରହ୍ମପୁର-ଜୟପୁର, ନମୋ ଏକ୍ସପ୍ରେସୱେ(ପାରଳାଖେମୁଣ୍ଡିରୁ ଆମ୍ବାଭୋନା) ଓ ଅଟଳ ଏକ୍ସପ୍ରେସୱେ (ମାଲକାନଗିରିର ମୋଟୁ-ମୟୂରଭଞ୍ଜର ତିରିଙ୍ଗ) ଘୋଷଣା
- ଭୁବନେଶ୍ୱରରେ ସାଇନ୍ସ ସିଟି ପ୍ରତିଷ୍ଠା, ଜନ ଆଶ୍ରୟ ଭବନ, ନୂଆ ରାଜ୍ୟ ବିଧାନସଭା, ନୂତନ ସଚିବାଳୟ ଓ ଓଡ଼ିଶା ମଣ୍ଡପ ସମ୍ମିଳନୀ କେନ୍ଦ୍ର ନିର୍ମାଣ
-ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ "ଓଡ଼ିଶା ଚିଙ୍ଗୁଡ଼ି ମିଶନ’
- ସମ୍ବଲପୁର ଓ ବ୍ରହ୍ମପୁରରେ ବିଶ୍ୱ ଦକ୍ଷତା କେନ୍ଦ୍ରର  ଦୁଇଟି ନୂଆ କ୍ୟାମ୍ପସ ପାଇଁ ୨୭୮ କୋଟି ଟଙ୍କା

-ରାଜ୍ୟରେ ଆଉ ୩ଟି ନୂଆ ଅର୍ଥନୀତିକ କରିଡ଼ର ସ୍ଥାପନ ହେବ । ବରଗଡ଼-ଝାରସୁଗୁଡ଼ା-ସମ୍ବଲପୁର, ବ୍ରହ୍ମପୁର-ଛତ୍ରପୁର-ଗୋପାଳପୁର, ଜୟପୁର-କୋରାପୁଟ-ସୁନାବେଡ଼ାକୁ ନେଇ ଏହି ଆର୍ଥିକ କରିଡ଼ର ଗଠନ ହେବ । 


ଭିନ୍ନ ଢଙ୍ଗରେ ନବୀନଙ୍କ କଟାକ୍ଷ, ମୋହନ କହିଲେ ଲୋକାଭିମୁଖୀ

୨୦୨୬-୨୭ ଆର୍ଥିକ ବର୍ଷର ବଜେଟ(Odisha Budget)କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବଜେଟକୁ ‘Full menu in Empty Kitchen’ ବା ଖାଲି ରୋଷେଇ ଘରେ ପୁରା ମେନ୍ୟୁ ବୋଲି ନବୀନ ଅଭିହିତ କରିଛନ୍ତି। ସରକାର ଅନେକ ବଡ଼ ଯୋଜନା କରିଛନ୍ତି କିନ୍ତୁ କାର୍ଯ୍ୟକାରୀ ପାଇଁ ପାଣ୍ଠି ନାହିଁ । ଓଡ଼ିଶାକୁ ଋଣବୋଝ ଭିତରକୁ ଠେଲି ଦିଆଯାଉଛି ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏହି ବଜେଟକୁ ଦିଶାହୀନ ବୋଲି କହିଛନ୍ତି। ଆଦିବାସୀ ଅଂଚଳର ବିକାଶ ଓ ବେକାର ସମସ୍ୟା ଦୂର କରିବା ପାଇଁ ବଜେଟରେ କୌଣସି ଠୋସ୍ ପଦକ୍ଷେପ ନାହିଁ ।

ସେପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ବଜେଟକୁ ଓଡ଼ିଶାର ଭାଗ୍ୟ ବଦଳାଇବା ଏକ ବ୍ଲୁପ୍ରିଣ୍ଟ ବୋଲି କହିଛନ୍ତି। ଏହା କେବଳ ଏକ ପରିସଂଖ୍ୟାନ ନୁହେଁ ବରଂ ‘ବିକଶିତ ଓଡ଼ିଶା’ ଗଠନ ଦିଗରେ ଦୃଢ଼ ସଂକଳ୍ପ। ବିରୋଧୀଙ୍କ ସମାଲୋଚନା ସେ ‘ରାଜନୀତିକ ହତାଶା’ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ର ମୋହନ ମାଝୀ ଏହି ବଜେଟକୁ ଲୋକାଭିମୁଖୀ ବୋଲି କହିବା ସହ ଏହା କେବଳ ଏକ ଆର୍ଥିକ ହିସାବ ନୁହେଁ ବରଂ ସାଢ଼େ ୪କୋଟି ଓଡ଼ିଆଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ଏକ ଦୃଢ଼ ସଂକଳ୍ପ । ଆଗାମୀ ଦିନରେ ଏହି ବଜେଟ୍ ପ୍ରତିଟି ଓଡ଼ିଆଙ୍କ ଜୀବନରେ ଉନ୍ନତି ଓ ସମୃଦ୍ଧି ଆଣିବ ବୋଲି ସେ କହିଛନ୍ତି ।

Odisha Budget