Advertisment

WhatsApp Number Launched: ହ୍ୱାଟସଅପରେ ମିଳିବ ୧୧ଟି ପ୍ରମୁଖ ରାଜସ୍ୱ ସେବା, ଭାଗଚାଷୀଙ୍କ ପାଇଁ ଆସିବ ଆଇନ

ଜମି ମ୍ୟୁଟେସନ କେସ୍‌, କୃଷି ଜମି କିସମ ପରିବର୍ତ୍ତନ, ବାସିନ୍ଦା ପ୍ରମାଣ ପତ୍ର, ଜାତି, ଆୟ, ଜନଜାତି, ଓବିସି, ଏସଇବିସି, ଲିଗାଲ ହେୟାର, ଇନକମ୍ ଆଣ୍ଡ ଆସେଟ୍ ପ୍ରମାଣପତ୍ର ଭଳି ସେବାଗୁଡ଼ିକୁ ସାମିଲ କରାଯାଇଛି। ଆବେଦନ କରିବା ପରେ ପ୍ରମାଣପତ୍ର ମଧ୍ୟ ସେହି ହ୍ୱାଟସଆପ୍ ନମ୍ବରରେ ହିଁ ଉପଲବ୍ଧ ହେବ।

Land-whatsapp
Advertisment


 
ରାଜ୍ୟବାସୀଙ୍କୁ ହାତପାଆନ୍ତାରେ ସହଜ ଓ ପାରଦର୍ଶୀ ରାଜସ୍ୱ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୧୭ଟି ଜିଲ୍ଲାର ୫୬ଟି ତହସିଲରେ ନୂଆ ସବରେଜିଷ୍ଟ୍ରେସନ୍ ଅଫିସ ଉଦଘାଟନ କରିଛନ୍ତି । ଏହାସହିତ ହ୍ୱାଟସଅପ୍ ମାଧ୍ୟମରେ ୧୧ଟି ପ୍ରମୁଖ ରାଜସ୍ୱ ସେବା ଯୋଗାଇ ଦେବା ନିମନ୍ତେ ହ୍ୱାଟସଅପ୍ ବୋଟ୍ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ରାଜ୍ୟରେ ଭାଗଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ତାଙ୍କ ସରକାର ଏକ ନୂଆ ଆଇନ ଆଣିବେ ବୋଲି ମଧ୍ୟ ସଙ୍କେତ ଦେଇଛନ୍ତି ।

Advertisment

ଲୋକଙ୍କ ପାଖକୁ ଯିବ ସରକାର : ମୁଖ୍ୟମନ୍ତ୍ରୀ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଅଭିଭାଷଣରେ କହିଛନ୍ତି ଯେ, ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କ ସେବାକୁ ସରଳ ଓ ସହଜ କରିବା । ଲୋକେ ସରକାରଙ୍କ ପାଖକୁ ଆସିବା ପରିବର୍ତ୍ତେ ସରକାର ନିଜେ ଲୋକଙ୍କ ଦ୍ୱାର ପାଖରେ ପହଂଚିବା ଉଚିତ । ସମସ୍ତ ତହସିଲରେ ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବା ଦ୍ୱାରା ତହସିଲ ଓ ପଞ୍ଜିକରଣ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରହିବ । ଏହାଦ୍ୱାରା ଜମି ରେଜିଷ୍ଟ୍ରେସନ୍ ପରେ ମ୍ୟୁଟେସନ ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏହି ବ୍ୟବସ୍ଥା ଦ୍ୱାରା ରେଜିଷ୍ଟ୍ରେସନ ପ୍ରକ୍ରିୟାରେ ପାରଦର୍ଶିତା ଆସିବ ଓ ମଧ୍ୟସ୍ଥ ବା ଦଲାଲମାନଙ୍କ ହସ୍ତକ୍ଷେପରେ ପୂର୍ଣ୍ଣଚ୍ଛେଦ ପଡ଼ିବ ।

ହ୍ୱାଟସଆପରେ ମିଳିବ ୧୧ଟି ପ୍ରମୁଖ ରାଜସ୍ୱ ସେବା

ରାଜସ୍ୱ ସେବାକୁ ଅଧିକ  ଲୋକାଭିମୁଖୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଏକ ସ୍ୱତନ୍ତ୍ର ‘ହ୍ୱାଟସଆପ୍ ବଟ’ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି । ଏଣିକି ଲୋକମାନେ ୯୪୩୭୨୯୨୦୦୦ Whatsapp ନମ୍ବର ବ୍ୟବହାର କରି ଘରେ ବସି ବିଭିନ୍ନ ପ୍ରମାଣପତ୍ର ପାଇଁ ଆବେଦନ ଓ ହାସଲ କରିପାରିବେ । ଏହି ବ୍ୟବସ୍ଥା ମାଧ୍ୟମରେ ଲୋକମାନେ ଆଉ ତହସିଲ କାର୍ଯ୍ୟାଳୟକୁ ନଯାଇ ନିଜ ମୋବାଇଲରୁ ହିଁ ୧୧ଟି ଗୁରୁତ୍ୱର୍ପୂର୍ଣ୍ଣ ସେବା ପାଇଁ ଆବେଦନ କରିପାରିବେ । ଏଥିରେ ଜମି ମ୍ୟୁଟେସନ କେସ୍‌, କୃଷି ଜମି କିସମ ପରିବର୍ତ୍ତନ, ବାସିନ୍ଦା ପ୍ରମାଣ ପତ୍ର, ଜାତି, ଆୟ, ଜନଜାତି, ଓବିସି, ଏସଇବିସି, ଲିଗାଲ ହେୟାର, ଇନକମ୍ ଆଣ୍ଡ ଆସେଟ୍ ଓ ଗାଡିଆନସିପ୍ ପ୍ରମାଣପତ୍ର ଭଳି ସେବାଗୁଡ଼ିକୁ ସାମିଲ କରାଯାଇଛି । ଆବେଦନ କରିବା ପରେ ପ୍ରମାଣପତ୍ର ମଧ୍ୟ ସେହି ହ୍ୱାଟସଆପ୍ ନମ୍ବରରେ ହିଁ ଉପଲବ୍ଧ ହେବ ।

Advertisment

ଭାଗଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆସିବ ନୂଆ ଆଇନ

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭାଗଚାଷୀଙ୍କ ସମସ୍ୟା ଉପରେ ଗୁରୁତ୍ୱାରୋପ କରିଛନ୍ତି । ବର୍ତ୍ତମାନର ବ୍ୟବସ୍ଥାରେ ଭାଗଚାଷୀଙ୍କର କୌଣସି ଆଇନଗତ ଅଧିକାର ନଥିବାରୁ ସେମାନେ ଅନେକ ସରକାରୀ ସୁବିଧାରୁ ବଞ୍ôଚତ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଉଭୟ ଜମି ମାଲିକ ଓ ଭାଗଚାଷୀଙ୍କ ସ୍ୱାର୍ଥରକ୍ଷା ହେଲା ଭଳି ଏକ ସନ୍ତୁଳିତ ଆଇନ ଆଣିବାକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି ।

ରାଜସ୍ୱ ମନ୍ତ୍ରୀ ଶ୍ରୀପୂଜାରୀ କହିଛନ୍ତି ଯେ, ଜମି ଓ ଏସମ୍ପତ୍ତି ସମ୍ପର୍କିତ ସମସ୍ତ ଦସ୍ତାବିଜ୍ ଶୀଘ୍ର ଓ ସମୟୋପଯୁକ୍ତ ଭାବେ ରେଜିଷ୍ଟ୍ରେସନ ହେବ । ରେଜିଷ୍ଟ୍ରେସନ ପ୍ରକ୍ରିୟାରେ ମଧ୍ୟସ୍ଥଙ୍କ ହସ୍ତକ୍ଷେପ ହ୍ରାସ ପାଇବ । ଆଗାମୀ ଦିନରେ ସେବା ପାଇବାରେ ବିଳମ୍ବ ଘଟିଲେ, ଅଭିଯୋଗଗୁଡିକୁ ସିଧାସଳଖ ହ୍ୱାଟସଆପ୍ ମାଧ୍ୟମରେ ପଠାଯିବାର ବ୍ୟବସ୍ଥା କରାଯାଉଛି । ସରକାରଙ୍କ ଏହି ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇବା ସହ ଆଗାମୀ ଦିନରେ ଅଭିଯୋଗ ସମାଧାନ ପ୍ରକ୍ରିୟାକୁ ମଧ୍ୟ ହ୍ୱାଟସଆପ୍ ସହ ଯୋଡ଼ାଯିବ ବୋଲି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଆଜି ରାଜ୍ୟର ୧୭ଟି ଜିଲ୍ଲାର ୫୬ଟି ତହସିଲରେ ୫୭ଟି ନୂଆ ସବ୍ ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ଉଦଘାଟିତ ହୋଇଛି । ଗତବର୍ଷ ନଭେମ୍ବର ମାସରେ ରାଜ୍ୟର ୧୩ଟି ଜିଲ୍ଲାର ୪୪ଟି ତହସିଲରେ ଏହି କାର୍ଯ୍ୟାଳୟ ଖୋଲାଯାଇଥିଲା । 

Whatsapp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe