Advertisment

ଗୋଲାପୀ ଚିତ୍ର ଦେଖାଉଥିବା ସରକାରଙ୍କ ଆଖି କେବେ ପଡ଼ିବ?

ଶ୍ରେଣୀ ଗୃହ ନଥିବାରୁ ପିଲାମାନେ ଅତି ଦୟନୀୟ ଅବସ୍ଥାରେ ଗଛ ମୂଳେ ବସି ପାଠ ପଢ଼ିବା ପାଇଁ ବାଧ୍ୟ ହେଉଛନ୍ତି। କୁନି କୁନି ଛାତ୍ରଛାତ୍ରୀମାନେ ଦୀର୍ଘ ୩ରୁ ଊର୍ଦ୍ଧ୍ୱ ବର୍ଷ ହେଲା ଖରା ଓ ଶୀତ କାକରରେ ଏଭଳି ଦୟନୀୟ ଅବସ୍ଥାରେ ପାଠ ପଢ଼ୁଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
School

School

୫ଟି ଶ୍ରେଣୀ ପାଇଁ ରହିଛି ଗୋଟିଏ ଶ୍ରେଣୀଗୃହ। ତେଣୁ ପିଲାମାନଙ୍କୁ ଖୋଲା ଆକାଶ ତଳେ ବସି ପାଠ ପଢ଼ିବାକୁ ପଡୁଛି। ଦୀର୍ଘ ୩ ବର୍ଷ ଧରି ଏମିତି ଦୟନୀୟ ଅବସ୍ଥାରେ ପିଲାମାନେ ପଢ଼ୁଛନ୍ତି। ଏଥିପ୍ରତି ଶିକ୍ଷାର ଗୋଲାପୀ ଚିତ୍ର ଦେଖାଉଥିବା ସରକାରୀ ବାବୁଙ୍କ ନଜର ପଡ଼ିନି। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏପରି ଚିତ୍ର। 

Advertisment

ଝରିଗାଁ ବ୍ଲକ୍‌ ପାଲିଆ ପଞ୍ଚାୟତରେ ରହିଛି ବେଲଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଦୁଇ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଏଠାରେ ୮୯ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଗୋଟିଏ ମାତ୍ର ଶ୍ରେଣୀ ଗୃହ ରହିଛି। ଶ୍ରେଣୀ ଗୃହରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ବସି ପାଠ ପଢ଼ୁଥିବା ବେଳେ ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାମାନେ ବାହାରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି।

ଶ୍ରେଣୀ ଗୃହ ନଥିବାରୁ ପିଲାମାନେ ଅତି ଦୟନୀୟ ଅବସ୍ଥାରେ ଗଛ ମୂଳେ ବସି ପାଠ ପଢ଼ିବା ପାଇଁ ବାଧ୍ୟ ହେଉଛନ୍ତି। କୁନି କୁନି ଛାତ୍ରଛାତ୍ରୀମାନେ ଦୀର୍ଘ ୩ରୁ ଊର୍ଦ୍ଧ୍ୱ ବର୍ଷ ହେଲା ଖରା ଓ ଶୀତ କାକରରେ ଏଭଳି ଦୟନୀୟ ଅବସ୍ଥାରେ ପାଠ ପଢ଼ୁଛନ୍ତି। ଯଦି ବର୍ଷା ହେଲା କଥା ସରିଲା। ଗୋଟିଏ ଶ୍ରେଣୀ ଗୃହରେ ଖୁନ୍ଦାଖୁନ୍ଦି ହୋଇ ବସିବାକୁ ବାଧ୍ୟ ହେଉଛନ୍ତି। ସେ ପରିସ୍ଥିତିରେ କେମିତି ପାଠ ପଢ଼ା ହେଉଥିବ, ତାହା ମାଆ ଗଙ୍ଗେଇଙ୍କୁ ଜଣା। 

Advertisment

ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଛନ୍ତି ସରକାର। ହେଲେ ରୋଷେଇ ପାଇଁ ଘର ନିର୍ମାଣ କରିବାକୁ ଭୁଲିଗଲେ। ତେଣୁ ଭଙ୍ଗା ଦଦରା ଅବସ୍ଥାରେ ଥିବା ଘରେ ବିପଦସଙ୍କୁଳ ଅବସ୍ଥାରେ ରୋଷେଇ କରାଯାଇ ପିଲାମାନଙ୍କୁ ଖାଇବାକୁ ଦିଆଯାଉଛି। ପାନୀୟ ଜଳର ଅଭାବ ଦୂର କରିବା ପାଇଁ ବିଦ୍ୟାଳୟରେ ଗୋଟିଏ ନଳକୂପ ପ୍ରତିଷ୍ଠା କରାଯାଇଥିଲା। ମାତ୍ର ତାହା ଖରାପ ହୋଇଯାଇଥିଲା। ଏନେଇ ବହୁ ଅଭିଯୋଗ କରିବା ପରେ ଗୋଟିଏ ନୂଆ ନଳକୂପ ବସିଲା। ହେଲେ ସେଥିରୁ ଆଇରନ୍‌ ପାଣି ବାହାରୁଛି। ପାଣିର ବ୍ୟବସ୍ଥା ନଥିବାରୁ ପିଲାମାନେ ବାଧ୍ୟହୋଇ ସେହି ପାଣି ପିଉଛନ୍ତି ବୋଲି ଅଭିଭାବକମାନେ କହିଛନ୍ତି।

Schoolସ୍କୁଲ ବାହାରେ ଚାଲିଛି ପାଠପଢ଼ା

ଅଭିଭାବକ ବସନ୍ତ ଜାନି କହିଛନ୍ତି, “ବିଦ୍ୟାଳୟରେ ୧୦୦ ପାଖାପାଖି ପିଲା ପଢ଼ୁଛନ୍ତି। ହେଲେ ୫ଟି ଶ୍ରେଣୀ ଚାଲିଲା ଭଳି କୋଠରୀ ନାହିଁ। ଗୋଟିଏ ଘରେ ସବୁ ପିଲାଙ୍କୁ ଜାଗା ହେଉନାହିଁ। ତେଣୁ ବହୁ ପିଲା ବାହାରେ ବସି ପାଠ ପଢ଼ୁଛନ୍ତି। ବର୍ଷା ହେଲେ ପିଲାମାନେ ଘରକୁ ପଳାଇ ଯାଉଛନ୍ତି। ନୂଆ ଘର ନିର୍ମାଣ ହେବ ବୋଲି ସମସ୍ତେ କହୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଶ୍ରେଣୀ ଗୃହ ନିର୍ମାଣ ହୋଇପାରୁ ନାହିଁ।” 

ନାନା ସମସ୍ୟା ଭିତରେ ଘାଣ୍ଟି ହେଉଛି ବେଲଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ। ଶ୍ରେଣୀ ଗୃହ, ରୋଷେଇ ଘର ଓ ପାନୀୟ ଜଳ ସମସ୍ୟା ନେଇ ଅଭିଭାବକମାନେ ସ୍ଥାନୀୟ ବିଧାୟକ, ସାଂସଦ ଓ ବିଭାଗୀୟ ଅଧିକାରୀଙ୍କ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ। ପୂର୍ବ ପରି ଏବେ ମଧ୍ୟ ପିଲାମାନେ ଖୋଲା ଆକାଶ ତଳେ ବସି ପାଠ ପଢ଼ୁଛନ୍ତି। 

ବିଦ୍ୟାଳୟର ସମସ୍ୟା ନେଇ ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ବିଡିଓଙ୍କୁ ଯୋଗାଯୋଗ କରାଯାଇଥିଲା। ସମସ୍ୟାର ସମାଧାନ କରାଯିବ ବୋଲି ଉଭୟ କହିଥିବା ଜଣାପଡ଼ିଛି। ତେବେ କେବେ ସମସ୍ୟା ସମାଧାନ ହେବ, ତାହା ସମୟ କହିବ।

(ଉମରକୋଟରୁ କାର୍ତ୍ତିକ ମଲ୍ଲିକଙ୍କ ରିପୋର୍ଟ)

Odisha Odisha Education School