ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ଡେଡ୍ବଡିକୁ ସ୍କୁଟିରେ ବୋହିଥିବା ରାକେଶ ସ୍ୱାଇଁଙ୍କ ସାଙ୍ଗ ଶେଖର ଗଲା କୁଆଡ଼େ? ପୁଲିସ ତାଙ୍କ ଠିକଣା ପାଇଥିଲେ ମଧ୍ୟ ତାଙ୍କୁ କାହିଁକି ଗିରଫ କରିପାରୁ ନାହିଁ? ଏତେ ବିବାଦ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ସେ କାହିଁକି ମୁହଁ ଖୋଲୁନାହିଁ ? ଝରାଫୁଲଙ୍କ ଡେଡ୍ବଡ଼ି ମିଳିବା ପରେ ଏମିତି ଅନେକ ଅସମାହିତ ପ୍ରଶ୍ନ ପୁଲିସ ମନରେ ଉଙ୍କି ମାରୁଛି। ହେଲେ ପୁଲିସ ଏହି ପ୍ରଶ୍ନର ବୁଢ଼ିଆଣି ଜାଲରୁ ବାହାରି ପାରୁନାହିଁ। ଯାଜପୁର ପୁଲିସ ଶେଖରଙ୍କୁ ଧରିପାରୁ ନାହିଁ କି ଡେଡବଡି ବୁହା ଯାଇଥିବା ସ୍କୁଟିକୁ ଖୋଜି ପାଉନି।
ଝରାଫୁଲ ନାୟକ ତାଙ୍କ ଧରମବାପା ଚକ୍ରଧର ବେହେରାଙ୍କ ଘରେ ଭୁବନେଶ୍ୱରରେ ରହି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। ମହାମାରୀ କରୋନା ପାଇଁ କଲେଜ ବନ୍ଦ ଥିବାରୁ ଝରାଫୁଲ ଗାଁକୁ ଫେରି ଯାଇଥିଲେ। ଗତ ୨୫ ତାରିଖରେ ଚକ୍ରଧରଙ୍କ ଝିଅର ଜନ୍ମ ଦିନ ଥିବାରୁ ଝରା ଗାଁକୁ ଭୁବନେଶ୍ୱର ଆସିଥିଲେ। ଜାନୁଆରୀ ୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍ରେ ବସାଇଥିଲେ ଚକ୍ରଧର। କିନ୍ତୁ ଅସୁସ୍ଥ ଦର୍ଶାଇ ଝରାଫୁଲ ବାଣୀବିହାର ଷ୍ଟପେଜ୍ରୁ ଓହ୍ଲାଇ ଥିଲେ। ଝରାଫୁଲ ବସ୍ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍ କରିଥିଲେ। ଝରାଫୁଲ ଫୋନ୍ ରିସିଭ୍ କରି ଦେହ ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ। ଏମିତିକି ତାଙ୍କ ଭାଇ ମଧ୍ୟ ଝରାଫୁଲଙ୍କ ପାଖକୁ ବାରମ୍ବାର ଫୋନ୍ କରିଥିଲେ। ସେ ଫୋନ୍ ନ ଉଠାଇବାରୁ ହ୍ୱାଟସ୍ଆପ୍ରେ ମେସେଜ୍ କରିଥିଲେ। ରାକେଶ, ସୋନାଲୀ ନାଁରେ ମୋବାଇଲ୍ରେ ଚାଟିଂ କରିଥିଲେ।
୨୬ ତାରିଖରେ ଝରାଫୁଲ ବାଣୀବିହାର ଷ୍ଟପେଜରେ ବସରୁ ଓହ୍ଲାଇ ଚାଲି ଚାଲି ରୂପିଲି ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ଉଭୟ ସ୍କୁଟିରେ ଭୁବନେଶ୍ୱରରେ ବୁଲାବୁଲି କରିବା ପରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ବିରିଆନି ଖାଇଥିଲେ। ସନ୍ଧ୍ୟାରେ ଉଭୟ ଧର୍ମ ବିହାରରେ ଥିବା ଏକ ଗେଷ୍ଟ ହାଉସକୁ ଯାଇଥିଲେ। ସେଠାରେ ଉଭୟ ରାତ୍ର ଯାପନ କରିଥିଲେ। କିନ୍ତୁ ରାତିରେ ଝରାଫୁଲ ଅସୁସ୍ଥ ହୋଇ ପଡ଼ିଥିବା ଆଲୋଚନା ହେଉଛି।
ଅଭିଯୋଗରୁ ପ୍ରକାଶ, ୨୭ ତାରିଖ ସକାଳେ ଝରାଫୁଲ ସଜ୍ଞା ହରାଇ ତଳେ ପଡ଼ିଯାଇଥିଲେ। ଯେଉଁଥିପାଇଁ ରାକେଶ ଭୟଭୀତ ହୋଇଯାଇଥିଲେ। ପରେ ରାକେଶ ତାଙ୍କ ସାଙ୍ଗ ଶେଖରକୁ ଫୋନ୍ କରି ଡାକିଥିଲେ। ଏହା ପରେ ଶେଖର ଓ ରାକେଶ ସ୍କୁଟିରେ ଝରାଫୁଲକୁ ବସାଇ କଟକ ମେଡିକାଲ୍ରେ ନେଉଥିଲେ। ହେଲେ ରାସ୍ତାରେ ଝରାଫୁଲଙ୍କ ମୃତ୍ୟୁ ଘଟିଥିବା ଆଲୋଚନା ହେଉଛି। ଏହା ପରେ ଉଭୟ ଝରଫୁଲଙ୍କ ମୃତଦେହକୁ ମୟୂରଭଞ୍ଜ ଜିଲ୍ଲାରେ ଫିଙ୍ଗି ଦେବା ପାଇଁ ଯୋଜନା କରିଥିଲେ। ହେଲେ ଜାତୀୟ ରାଜପଥରେ ଝରାଫୁଲଙ୍କ ପାଦ ରାସ୍ତାରେ ଘୁଷୁରୁଥିବା ଦେଖି କେତେକ ଲୋକ ସେମାନଙ୍କୁ କହିଥିଲେ। ଏହା ପରେ ଶେଖର ଓ ରାକେଶ ମୃତଦେହକୁ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲା। ଯାହା ସିସିଟିଭିରେ କଏଦ ହୋଇଥିଲା।
ଏହା ପରେ ପୁଲିସ ମାମଲା ରୁଜୁ କରି ଝରାଫୁଲଙ୍କ ପ୍ରେମିକ ରାକେଶଙ୍କୁ ଗିରଫ କରିଥିଲା। ଡେଡ୍ବସି ବୋହିଥିବା ସ୍କୁଟି ଚାଳକ ଶେଖରକୁ ଚିହ୍ନଟ କରିଥିଲା ପୁଲିସ। ଶେଖର ହେଉଛନ୍ତି ରାକେଶଙ୍କ ସାଙ୍ଗ। ତାଙ୍କ ଘର ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ। ହେଲେ ଆଜି ପର୍ଯ୍ୟନ୍ତ ପୁଲିସ ଶେଖରଙ୍କୁ ଗିରଫ କରିପାରି ନାହିଁ। ଏପରିକି ଡେଡ୍ବଡି ବୋହାଯାଇଥିବା ସ୍କୁଟିକୁ ପୁଲିସ ଜବତ କରିପାରି ନାହିଁ।