ନାଇଁ ନାଇଁ ମଦ ପିଇବି ନାହିଁ... ପାଇଁ ଚର୍ଚ୍ଚାରେ ଥିବା ଦୁଇ ଭାଇ କେଉଁଠି?

“ଭାଇ…ରେ ମଦ ପିଇବି ନାଇଁ… ନାଇଁ ନାଇଁ ମଦ ପିଇବି ନାହିଁ… ମଦୁଆ ହେବି ନାଇଁ, ମଦୁଆ ହେବି ନାଇଁ… ଚାଳରେ ଛଣ ନାଇଁ… ଚୁଲି ମୁଣ୍ଡେ ଲୁଣ ନାଇଁ… ଚୁଲିରେ ବିଲେ ଶୋଇଛି, ଚାଳ ପଟେ ଯହ୍ନ ଦିଶୁଛି… ଚୁଲିରେ ବିଲେ ଶୋଇଛି, ଚାଳ ପଟେ ଯହ୍ନ ଦିଶୁଛି…ବନ୍ଧୁ ରେ… ମଦ ପିଇବି ନାଇଁ…ନାଇଁ ନାଇଁ ମଦ ପିଇବି ନାଇଁ। ପିଲା ପେଟେ ଦାନା ନାଇଁ… ମାଇକିନା ହାତେ କନା ନାଇଁ… ପିଲା ପେଟେ ଦାନା […]

where-is-two-brother

Manoranjan Sial
  • Published: Tuesday, 21 January 2020
  • , Updated: 21 January 2020, 09:04 PM IST

“ଭାଇ...ରେ ମଦ ପିଇବି ନାଇଁ... ନାଇଁ ନାଇଁ ମଦ ପିଇବି ନାହିଁ... ମଦୁଆ ହେବି ନାଇଁ, ମଦୁଆ ହେବି ନାଇଁ... ଚାଳରେ ଛଣ ନାଇଁ... ଚୁଲି ମୁଣ୍ଡେ ଲୁଣ ନାଇଁ... ଚୁଲିରେ ବିଲେ ଶୋଇଛି, ଚାଳ ପଟେ ଯହ୍ନ ଦିଶୁଛି... ଚୁଲିରେ ବିଲେ ଶୋଇଛି, ଚାଳ ପଟେ ଯହ୍ନ ଦିଶୁଛି...ବନ୍ଧୁ ରେ... ମଦ ପିଇବି ନାଇଁ...ନାଇଁ ନାଇଁ ମଦ ପିଇବି ନାଇଁ। ପିଲା ପେଟେ ଦାନା ନାଇଁ... ମାଇକିନା ହାତେ କନା ନାଇଁ... ପିଲା ପେଟେ ଦାନା ନଇଁ... ମାଇକିନା ହାତେ କନା ନାଇଁ.... ମୋତେ ଭାରି ଲଜ୍ଜା ଲାଗୁଛି....”

ଜୟପୁର(ଟି.ଗୌରୀଶଙ୍କର): ନାଇଁ ନାଇଁ ମଦ ପିଇବି ନାହିଁ...ଏହି ଗୀତର ସ୍ୱର କାନରେ ପଡ଼ିବା କ୍ଷଣି ମନ ଫେରିଯାଉଛି ନବେ ଦଶକକୁ। ମଦ ବିରୋଧରେ ଦୂରଦର୍ଶନରେ ପ୍ରସାରିତ ଏହି ସଚେତନତା ଧର୍ମୀ ଗୀତଟିର ପଂକ୍ତି ସବୁକୁ ଆଜି ବି ଗୁଣୁଗୁଣାନ୍ତି ଅନେକ ଦର୍ଶକ। ହେଲେ ଦୀର୍ଘ ୨୦ ବର୍ଷ ପୁଣି ଥରେ ସେହି ସ୍ୱର ଓ ସେହି ଗୀତ ବିଭିନ୍ନ ସୋଶାଲ ମିଡିଆରେ ଭାଇରାଲ୍ ହେବା ପରେ ମନେ ପଡ଼ିଯାଇଛନ୍ତି ଦୁଇ ଚେହେରା ଶାନ୍ତି ପ୍ରକାଶ ଓ ଜ୍ୟୋତି ପ୍ରକାଶ। ସଂସାର ଓ ସମାଜକୁ ଉଜାଡୁଥିବା ମଦଠାରୁ ମଣିଷକୁ ଅଲଗା କରିବାର ମହତ୍ ଉଦ୍ଦେଶ୍ୟ ନେଇ ୧୯୯୯ ମସିହାରେ ଏକ କାର୍ଯ୍ୟକ୍ରମରେ ସେମାନେ ଗାଇଥିବା ସାଧାରଣ ଗୀତଟି ଯେ ଅସାଧାରଣ ପାଲଟିଯିବ ଓ ଅଜସ୍ର ପ୍ରଶଂସା ସହ ପରିଚିତି ଆଣିଦେବ ତାହା କେବେ ବି ବିଶ୍ୱାସ କରିନଥିଲେ ଯାଆଁଳା ଭାଇ।

ମଦ ପିଇବି ନାହିଁ ଗୀତର ସ୍ରଷ୍ଟା ଶାନ୍ତି ପ୍ରକାଶ ଓ ଜ୍ୟାତିପ୍ରକାଶ ଏବେ କେଉଁଠି ଓ କେମିତି ଅଛନ୍ତି? ସେମାନଙ୍କୁ ଖୋଜି ଖୋଜି ଓଡ଼ିଶା ରିପୋର୍ଟର ସେମାନଙ୍କ ପାଖରେ ପହଞ୍ଚିଥିଲା କୋରାପୁଟ ଜିଲ୍ଲାର ଭେଜାପୁଟରେ। ଦୀର୍ଘ ୨୦ବର୍ଷ ପରେ ଦୁଇ ଭାଇଙ୍କର ଚେହେରା ଓ ଚଳଣିରେ ବିଶେଷ କିଛି ପରିବର୍ତ୍ତନ ହୋଇ ନଥିଲା। ସେହି ମାଟି ରାସ୍ତାର ଗାଁ ଓ ନୂଆଁଣିଆ ଆଜବେଷ୍ଟସ ଘର। ଆଉ ଘର ଆଗରେ ଖଟିଆରେ ବସି ଦୁଇ ଭାଇ କରୁଥିଲେ ଗୀତ ଅଭ୍ୟାସ।

ଦୁଇ ଭାଇ ଦାମନଯୋଡ଼ିସ୍ଥିତ ନାଲକୋରେ ଠିକା ଶ୍ରମିକ ଭାବେ କାମ କରୁଛନ୍ତି। ସେଥିରୁ ଯାହା ମିଳୁଛି, ସେଥିରେ ଚଳୁଛି ପୂରା ପରିବାର। ହେଲେ ସ୍ୱପ୍ନ ସାକାର ହେଉନାହିଁ। ଜନ୍ମ ପରେ ମାଆଙ୍କୁ ହରାଇଥିଲେ ଦୁଇଭାଇ। ବଡ଼ ଭଉଣୀ କୁମୁଦିନି ଅବିବାହିତ ରହି ଦୁଇ ଭାଇଙ୍କୁ ମଣିଷ କରିଛନ୍ତି।

ଏମିତି ତ ଜ୍ୟୋତି ଓ ଶାନ୍ତି ବେଶ୍ ଲୋକପ୍ରିୟ। ହେଲେ ମଦ, ଦୁର୍ନୀତି ଓ ଆଦିବାସୀଙ୍କ ଉନ୍ନତି ପାଇଁ ସେମାନେ ଯେଉଁ ଭଳି ଗୀତ ମାଧ୍ୟମରେ ସଚେତନତା ଜାରି ରଖିଛନ୍ତି ତାକୁ ଯେତେ ବି ପ୍ରଶଂସା କଲେ କମ୍ ହେବ।

Related story