ଏଣେ ରାଜନୀତିକ ପ୍ରତିଯୋଗିତା, ତେଣେ ମୁଣ୍ଡରେ ହାତ ଦେଇ ମଣ୍ଡିରେ ବସିଛନ୍ତି ଚାଷୀ 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ଚାଷୀଙ୍କ ପାଇଁ ଦିଲ୍ଲୀ ଦଉଡ଼, ଭୁବନେଶ୍ୱରରେ ପ୍ରତିବାଦ। ହେଲେ ସେହି ଅନ୍ନଦାତା ଏବେ ପେଷି ହେଉଛି ସମସ୍ୟା ଘେରରେ। ଉଣା ଅଧିକେ ପ୍ରାୟ ସବୁ ସ୍ଥାନରେ ଧାନ ବିକିବାକୁ ନାକେଦମ ହେଉଛନ୍ତି ଚାଷୀ। ଧାନର ସହାୟକ ମୂଲ୍ୟ ତ ଦୂରର କଥା, ମଣ୍ଡି ନ ଖୋଲିବାରୁ ଦିନରାତି ମଣ୍ଡିରେ ପଡ଼ି ରହୁଛନ୍ତି ଚାଷୀ। ସରକାରଙ୍କ ତାଗିଦ ସତ୍ତ୍ୱେ ସ୍ଥିତି ସୁଧୁରୁନି। ଏପଟେ ଚାଷୀଙ୍କୁ ନେଇ ରାଜ୍ୟରେ ଚାଲିଛି ପ୍ରତିଯୋଗିତା ଓ କାଦୁଅଫିଙ୍ଗା ରାଜନୀତି। […]

mandi

Rakesh Mallick
  • Published: Wednesday, 09 January 2019
  • , Updated: 09 January 2019, 09:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ଚାଷୀଙ୍କ ପାଇଁ ଦିଲ୍ଲୀ ଦଉଡ଼, ଭୁବନେଶ୍ୱରରେ ପ୍ରତିବାଦ। ହେଲେ ସେହି ଅନ୍ନଦାତା ଏବେ ପେଷି ହେଉଛି ସମସ୍ୟା ଘେରରେ। ଉଣା ଅଧିକେ ପ୍ରାୟ ସବୁ ସ୍ଥାନରେ ଧାନ ବିକିବାକୁ ନାକେଦମ ହେଉଛନ୍ତି ଚାଷୀ। ଧାନର ସହାୟକ ମୂଲ୍ୟ ତ ଦୂରର କଥା, ମଣ୍ଡି ନ ଖୋଲିବାରୁ ଦିନରାତି ମଣ୍ଡିରେ ପଡ଼ି ରହୁଛନ୍ତି ଚାଷୀ। ସରକାରଙ୍କ ତାଗିଦ ସତ୍ତ୍ୱେ ସ୍ଥିତି ସୁଧୁରୁନି। ଏପଟେ ଚାଷୀଙ୍କୁ ନେଇ ରାଜ୍ୟରେ ଚାଲିଛି ପ୍ରତିଯୋଗିତା ଓ କାଦୁଅଫିଙ୍ଗା ରାଜନୀତି।

ମଣ୍ଡିରେ ଧାନ କିଣାଯାଉ ନଥିବାରୁ ରାତି ଅନିଦ୍ରା ହୋଇ ଖୋଲା ଆକାଶ ତଳେ ଜଗି ରହୁଛନ୍ତି ଚାଷୀ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣପୁର ହିଲୁଙ୍ଗ ପ୍ରାଥମିକ କୃଷି ସମବାୟ ସମିତିରେ। ଦିନେ କି ଦୁଇ ଦିନ ନୁହେଁ, ପ୍ରାୟ ୧୫ ଦିନ ହେଲା ଶୀତ କାକରରେ ଚାଷୀର ରାତି କଟୁଛି ଏହି ମଣ୍ଡିରେ। ଧାନ କିଣିବା ପାଇଁ ମିଲର ଆସୁ ନ ଥିବାରୁ ପଡ଼ିରହିଛି ୧୩ ହଜାର ବସ୍ତା ଧାନ। କେବଳ ସୁବର୍ଣପୁରର ଏ ଗୋଟିଏ ମଣ୍ଡି ନୁହେଁ, ଅଧିକାଂଶ ସ୍ଥାନରେ ସମାନ ସମସ୍ୟା।

ତିତ୍‌ଲିରେ ସବୁଠୁ ଅଧିକ ପ୍ରଭାବିତ ଗଜପତିରେ ଚାଷୀର ଦୁର୍ଦ୍ଦଶା ନକହିବା ଭଲ। ଲଗାଣ ବର୍ଷା ଯୋଗୁ ବେରଙ୍ଗ ହୋଇଯାଇଥିବା ଧାନକୁ ଜିଲ୍ଲା ପ୍ରଶାସନ କିଣିବାକୁ କହିଥିଲେ। ହେଲେ ପ୍ରଶାସନ ଏବେ ଧାନ କିଣୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି। ଫଳରେ ବାଧ୍ୟ ହୋଇ ଶାଗମାଛ ଦରରେ ପଡୋଶୀ ଆନ୍ଧ୍ର ବେପାରୀଙ୍କୁ ଧାନ ବିକୁଛନ୍ତି ଚାଷୀ।

ସରକାରୀ ତଥ୍ୟ କହୁଛି, ଧାନ କିଣିବା ପାଇଁ ଏବର୍ଷ ଅଂଶଗ୍ରହଣ କରିଥିବା ୨୫୮୮ଟି ପାକ୍ସ ମଧ୍ୟରୁ  ଜାନୁଆରୀ ୫ ସୁଦ୍ଧା ୨୪୨୬ଟିରେ ମଣ୍ଡି ଖୋଲିଛି। ୩ ଲକ୍ଷ ୩୯ ହଜାର ଚାଷୀ ୧୯ ଲକ୍ଷ ୬୯ ହଜାର ମେଟ୍ରିକ ଟନ ଧାନ ବିକିଲେଣି।

୨୪ରୁ ୭୨ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଦେବାକୁ ନିର୍ଦ୍ଦେଶ ଥିଲା। ହେଲେ ବିଭାଗର ତଥ୍ୟ ଅନୁସାରେ ଚାଷୀଙ୍କୁ ଆହୁରି ୫୮୭ କୋଟି ଟଙ୍କା ଦେବାକୁ ବାକି ଅଛି।

ଚାଷୀ ଧାନ ବିକିପାରୁନି, ଦଲାଲଙ୍କ ଜାଲରେ ପଡ଼ି ଶୋଷିତ ହେଉଛି। ମଣ୍ଡିରେ ଶୀତକାକରରେ ପଡ଼ି ଯାହା ବିକୁଛି ସେ ଟଙ୍କା ବି ଠିକ ସମୟରେ ପାଉନି। ଅନ୍ୟପଟେ ନିଜ ଦାୟିତ୍ୱ ନତୁଲାଇ ଦିଲ୍ଲୀରେ ଶାସକ ଦଳ ପ୍ରତିବାଦ କରିଫେରିଥିବା ସରକାରଙ୍କୁ ଘେରିଛନ୍ତି ବିରୋଧୀ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ମଣ୍ଡି ଖୋଲିନାହିଁ। ଚଳିତବର୍ଷ ନିର୍ବାଚନ ଥିବାରୁ ଶାସକ ଦଳ ମିଲର୍ସଙ୍କ ସହ ମେଣ୍ଟ କରିଛନ୍ତି ନିର୍ବାଚନ ପାଣ୍ଠି ହାତେଇବାକୁ। ଓଡ଼ିଶାର ଚାଷୀ ଧାନ କୁଇଣ୍ଟାଲକୁ ୧୨ ଶହ ଟଙ୍କାରେ ବିକ୍ରି କରୁଛି।”

ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତ ରାୟ କହିଛନ୍ତି, “କୌଣସି ମଣ୍ଡିରେ ଧାନ କିଣା ହୋଇପାରୁନାହିଁ। ଖାଲି ଧୂଆଁବାଣ। ଚାଷୀଙ୍କ ପାଇଁ ହୃଦୟ ଫାଟି ଯାଉଛି ତାଙ୍କର, ସେଥିପାଇଁ ଦିଲ୍ଲୀ ଯାଇଥିଲେ। ଟୁରିଷ୍ଟ ଭଳି ଯାଇ ଖାଇପିଇ, ବୁଲାବୁଲି କରି ଫେରିଲେ।

Related story