ବେଣୁ ମଉସା ପଛରେ କିଏ ? ରାତାରାତି ବଦଳିଗଲା ଥାଟବାଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବାଲେଶ୍ୱର ସଦର ବିଧାନସଭା ଆସନକୁ ହାତେଇବା ପାଇଁ ଶାସକ ବିଜେଡି ଏବେ ନିଜର ସମସ୍ତ କଳବଳକୌଶଳ ଲଗାଇ ଦେଇଥିବାବେଳେ ବିକାଶ ଓ ଅନୁକମ୍ପା କାର୍ଡ ଖେଳି ନିଜର ଏହି ଆସନକୁ ପୁଣିଥରେ ନିୟନ୍ତ୍ରଣକୁ ନେବାକୁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛି। ବିଜେଡି ଓ ବିଜେପି ମଧ୍ୟରେ ଘମାସନ ଲଢ଼େଇ ମଧ୍ୟରେ କଂଗ୍ରେସ ପଛରେ ରହି ଯାଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ୮୦ବର୍ଷୀୟ ବେଣୁଧର ବାରିକ(ବେଣୁ ମଉସା) ଚଳିତ ଉପନିର୍ବାଚନରେ ରାତାରାତି ‘ଚର୍ଚ୍ଚିତ ହିରୋ’ ପାଲଟିଯାଇଛନ୍ତି। ୩ଜଣ […]

Odisha-44

Odisha-44

Tapas Behera
  • Published: Saturday, 31 October 2020
  • Updated: 02 November 2020, 11:20 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବାଲେଶ୍ୱର ସଦର ବିଧାନସଭା ଆସନକୁ ହାତେଇବା ପାଇଁ ଶାସକ ବିଜେଡି ଏବେ ନିଜର ସମସ୍ତ କଳବଳକୌଶଳ ଲଗାଇ ଦେଇଥିବାବେଳେ ବିକାଶ ଓ ଅନୁକମ୍ପା କାର୍ଡ ଖେଳି ନିଜର ଏହି ଆସନକୁ ପୁଣିଥରେ ନିୟନ୍ତ୍ରଣକୁ ନେବାକୁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛି। ବିଜେଡି ଓ ବିଜେପି ମଧ୍ୟରେ ଘମାସନ ଲଢ଼େଇ ମଧ୍ୟରେ କଂଗ୍ରେସ ପଛରେ ରହି ଯାଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ୮୦ବର୍ଷୀୟ ବେଣୁଧର ବାରିକ(ବେଣୁ ମଉସା) ଚଳିତ ଉପନିର୍ବାଚନରେ ରାତାରାତି ‘ଚର୍ଚ୍ଚିତ ହିରୋ’ ପାଲଟିଯାଇଛନ୍ତି। ୩ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିଲେ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ବେଣୁ ମଉସାଙ୍କର ପ୍ରଚାରର ଆଦବକାଇଦା ହିଁ ରାଜନୀତିର ଅନେକ ଅକୁହା କଥା ଆଡ଼କୁ ଇଙ୍ଗିତ କରୁଥିବା ଚର୍ଚ୍ଚା ହେଉଛି।

ଉପନିର୍ବାଚନ ପାଇଁ ଆସନ୍ତାକାଲି ସନ୍ଧ୍ୟାରେ ପ୍ରଚାର ଶେଷ ହେଉଥିବାବେଳେ ବାଲେଶ୍ୱର ସଦର ଆସନକୁ ହାତେଇବା ଉଭୟ ବିଜେପି ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି। ଦିବଂଗତ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ବିଜେପି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇ ଅନୁକମ୍ପାମୂଳକ କାର୍ଡ ସହ ବାଲେଶ୍ୱରର ବିକାଶକୁ ନିର୍ବାଚନରେ ମୁଖ୍ୟ ଏଜେଣ୍ଡା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଜେପି ସେଠାରେ ନିର୍ବାଚନ ରଣନୀତି କରିଥିବାବେଳେ ଦଳ ସେଠାରେ ନିଜର ସମସ୍ତ ହେଭିୱେଟ୍ ରାଜ୍ୟ ନେତାମାନଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲାଣି। ବାଲେଶ୍ୱର ପୌରାଂଚଳର ସମସ୍ତ ୩୧ଟି ୱାର୍ଡରେ ବିଜେପିର ପ୍ରଭାବ ଅଧିକ ଥିବାବେଳେ ବିଜେଡିର ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ରାଜନୀତି ମଧ୍ୟରେ ଟିକେଟ୍ ବଣ୍ଟନକୁ ନେଇ ରହିଥିବା ଅସନ୍ତୋଷ ଏବେବି ଦଳ ପାଇଁ ଚିନ୍ତାର କାରଣ ହୋଇ ରହିଛି। ବାଲେଶ୍ୱରର ବରିଷ୍ଠ ନେତା ରଘୁନାଥ ମହାନ୍ତି ସକ୍ରିୟ ହୋଇଥିବା ଯୋଗୁ ଗ୍ରାମାଂଚଳର ପ୍ରାୟ ୪-୫ ହଜାର ଭୋଟ୍ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଯିବାର ସମ୍ଭାବନା ଅଧିକ ରହିଛି। ସେପେଟ ଦଳରେ ଚାଲିଥିବା ତୀବ୍ର ଗୋଷ୍ଠୀକନ୍ଦଳ ଓ ଦଳୀୟ ନେତାଙ୍କ ଅର୍ନ୍ତଘାତୀ କାର୍ଯ୍ୟକୁ କାଉଣ୍ଟର କରିବାକୁ ଅନ୍ୟ ଦଳରୁ ନେତାଙ୍କୁ ଆମଦାନୀ ଉପରେ ବିଜେଡି ଅଧିକ ଗୁରୁତ୍ୱ ଦେଇଛି। କୋଭିଡ୍ ଗାଇଡଲାଇନକୁ ଉଲ୍ଲଘଂନ କରି ମେଲୋଡି କାର୍ଯ୍ୟକ୍ରମ କରିବା ଓ ସାମାଜିକ ଦୂରତ୍ୱ ନମାନିବା, ମାଳମାଳ ନେତା-ମନ୍ତ୍ରୀ ପ୍ରଚାର ପାଇଁ ଓହ୍ଲାଇ ଭୋଟରଙ୍କୁ ଆକୃଷ୍ଟ କରୁଥିବାର ଦେଖିବାକୁ ମିଳୁଛି। ଦଳର ବରିଷ୍ଠ ନେତାମାନଙ୍କୁ ଅଣଦେଖା କରି ମମତା କୁଣ୍ଡୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବାରୁ କଂଗ୍ରେସରେ ଅସନ୍ତୋଷ ରହିଛି। ବିଜେଡି ମଧ୍ୟ ଏହାର ଫାଇଦା ନେଇ କଂଗ୍ରେସର କିଛି ନେତାଙ୍କୁ ନିଜ ସହ ସାମିଲ କରିଥିଲେ ବି କଂଗ୍ରେସ ସମର୍ଥକମାନଙ୍କୁ ନେବାରେ ସକ୍ଷମ ହୋଇପାରିନଥିବା ଜଣାପଡ଼ିଛି। ଅବଶ୍ୟ କଂଗ୍ରେସର ସମସ୍ତ ପାରମ୍ପରିକ ଭୋଟ୍ ମମତାଙ୍କ ସପକ୍ଷରେ ବି ପଡ଼ିବାର ସମ୍ଭାବନା କ୍ଷୀଣ।

ସୂତ୍ର ଅନୁସାରେ,  ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ଭୋଟ ପରିମାଣ ପ୍ରାୟ ୧୫ରୁ ୨୦ହଜାର ଥିବାବେଳେ ଏହି ଭୋଟ୍ ଉପରେ ଉଭୟ ବିଜେପି ଓ ବିଜେଡି ନଜର ପକାଇଛନ୍ତି। ଏହି ୧୫-୨୦ହଜାର ଭୋଟ୍ ହିଁ ବିଜୟରେ ନିର୍ଣ୍ଣାୟକ ହେବାକୁ ଯାଉଥିବାବେଳେ ବାଲେଶ୍ୱର ଉପନିର୍ବାଚନ ମଇଦାନରେ ଥିବା ୩ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ, ଭାଗ୍ୟଉଦିତ୍ ଦାସପଟ୍ଟନାୟକ ଓ ମହମ୍ମଦ ନୁମାନ ଖାନଙ୍କ ମାଧ୍ୟମରେ ଭୋଟକୁ ବିଭାଜନ କରିବାକୁ ରଣନୀତି ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି। ମାତ୍ର ଏକ ସପ୍ତାହ ପୂର୍ବରୁ ୪-୫ଜଣ ଲୋକଙ୍କୁ ଧରି ପାଦରେ ଚାଲିଚାଲି ବାଲେଶ୍ୱର ସହର ମଧ୍ୟରେ ଭୋଟ ଭିକ୍ଷା କରୁଥିବା ବେଣୁଧର ବାରିକ ଓରଫ ବେଣୁ ମଉସାଙ୍କୁ ରାତାରାତି ନିଜର ପ୍ରାୟୋଜିତ ଗଣମାଧ୍ୟମରେ ‘ହିରୋ’ କରାଇବାରେ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳ ସକ୍ଷମ ହୋଇଛି। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସବୁପ୍ରକାରର ଫର୍ମୂଲାକୁ ଆପଣାଇଥିବା ଏହି ଦଳ ବେଣୁ ମଉସାଙ୍କ ମାଧ୍ୟମରେ ୧୦ରୁ ୧୨ହଜାର ଅସନ୍ତୁଷ୍ଟ ଭୋଟକୁ ଡାଇର୍ଭଟ୍ କରିବାକୁ ରଣନୀତି ପ୍ରସ୍ତୁତ କରିଛି। ଯେଉଁଥିପାଇଁ ପାଦରେ ଚାଲି ଖୋଲାଖୋଲି ଭାବେ ଅନ୍ୟଠୁ ଆର୍ଥିକ ସହଯୋଗ ଲୋଡ଼ି ନିଜର ପ୍ରଚାର ସମ୍ଭାଳିଥିବା ବେଣୁ ମଉସା ଏବେ ରଥ ଓ ମର୍ସିଡିଜ୍ ଗାଡ଼ିରେ ଥାଟବାଟରେ ପ୍ରଚାର କରୁଛନ୍ତି। ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ଭୋଟ ବିଜେପି ପ୍ରାର୍ଥୀ ଶ୍ରୀ ଦତ୍ତଙ୍କ ଆଡ଼କୁ ଯିବାର ଆଶଙ୍କା ଥିବାରୁ ଏଭଳି ବ୍ଲ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଓ ବେଣୁ ମଉସାଙ୍କୁ ରାତାରାତି ହିରୋ କରାଯାଇଥିବା ଜଣାପଡ଼ିଛି। ବିଜେଡିର ପ୍ରାୟ ୨୦୦ରୁ ଅଧିକ ନେତା ବାଲେଶ୍ୱରରେ ଡେରା ପକାଇଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସ ନିର୍ବାଚନ ବୈତରଣୀ ପାର ହେବା ନେଇ ଏବେ ବି ଆଶା ଓ ଆଶଙ୍କାରେ ରହିଛନ୍ତି।
ରାଜନୀତିକ ବିଶ୍ଲେଷକଙ୍କ ମତରେ, ବାଲେଶ୍ୱର ଉପନିର୍ବାଚନରେ ବେଣୁ ମଉସାଙ୍କ ଭଳି ବ୍ୟକ୍ତିଙ୍କ ପ୍ରତି ଜନସମର୍ଥନ(ସ୍ୱତଃ ହେଉ କି ପ୍ରାୟୋଜିତ) ନିଶ୍ଚିତ ଭାବେ ଆଗାମୀ ଦିନରେ ଶାସକ ଦଳ ପାଇଁ ବୁମେରାଂ ହେବ। ଗଣତନ୍ତ୍ର ପାଇଁ ଏହା ମଧ୍ୟ ଏକ ଭଲ ସନ୍ଦେଶ ଦେଉଛି ଓ ବେଣୁ ମଉସାଙ୍କ ଭଳି ଅଧିକ ସଂଖ୍ୟକ ବ୍ୟକ୍ତିମାନେ ଆଗାମୀ ଦିନରେ ରାଜନୀତିକ ମଇଦାନକୁ ଓହ୍ଲାଇବାକୁ ଆଗ୍ରହ ଦେଖାଇବେ ବୋଲି ଚର୍ଚ୍ଚା।

ଦେଖନ୍ତୁ ଏଥରର ବିତର୍କ : ବେଣୁ ମଉସା ମିଶାଣ ନା ଫେଡ଼ାଣ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos