Advertisment

Police Job Scam : ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିଲା କି ସିଲିକନ୍‌, ସନ୍ଦେହଘେରରେ ଅଫିସର ଓ ତଦନ୍ତ ପ୍ରକ୍ରିୟା

ଯଦି ପୁଲିସ ଏସଆଇ ପରୀକ୍ଷାର ପ୍ରଶ୍ନପତ୍ର ପ୍ରସ୍ତୁତିରେ ‘ସିଲିକନ ଟେକଲାବ’ର କିଛି ଭୂମିକା ନଥିଲା ତା’ହେଲେ କୋଲକାତାରୁ କଟକ ପର୍ଯ୍ୟନ୍ତ ସେହି ସଂସ୍ଥାର ଗାଡ଼ି କାହିଁକି ଓ କାହା ନିର୍ଦ୍ଦେଶରେ ପ୍ରଶ୍ନପତ୍ର ଆଣୁଥିବା ପୁଲିସ ଗାଡ଼ିକୁ ଏସକର୍ଟ କରୁଥିଲା ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବା ଜରୁରୀ ।

police-job-scam-01

PnachSoft and STL office at DLF Cybercity

Advertisment

ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଅନିୟମିତତା ମାମଲାରେ ଏବେ ନୂଆ ନୂଆ ଚାଂଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି । ଏହି ପରୀକ୍ଷା ପରିଚାଳନାକୁ ସମ୍ପୂର୍ଣ୍ଣ ଭାବେ ଘରୋଇ ସଂସ୍ଥା ‘ସିଲିକନ୍ ଟେକଲାବ ପ୍ରାଇଭେଟ୍ ଲିମିଟେଡ’ ଉପରେ ଛାଡ଼ି ଦେଇଥିଲା ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି)। ଯାହାକି ଏବେ ଉଭୟ ଓଡ଼ିଶା ପୁଲିସ ଓ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛି। ଏହି ଘରୋଇ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦେବା ପଛରେ ରାଜ୍ୟ ସରକାରଙ୍କ ଶୀର୍ଷ ପାହ୍ୟାର ଜଣେ ଆଇଏଏସ୍ ଅଫିସରଙ୍କ ଭୂମିକା ଥିବା ସନ୍ଦେହ କରାଯାଉ ଥିବାବେଳେ ଓପିଆରବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କ ସମ୍ପୃକ୍ତିର ଅଭିଯୋଗ ଆଣିଛି ‘ଷ୍ଟୁଡେଣ୍ଟସ୍ ଏଗେନଷ୍ଟ କରପସନ୍ ନାମକ ସଂସ୍ଥା। ପ୍ରାୟ ୧୫୦କୋଟି ଟଙ୍କାର ଏହି ପରୀକ୍ଷା ଅନିୟମିତତା ଘଟଣାରେ କ୍ରାଇମବ୍ରାଂଚ ଓ ଓପିଆରବି ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଉ ନଥିବାବେଳେ ବିରୋଧୀ ଓ ଶାସକ ଦଳର ଆରୋପ-ପ୍ରତ୍ୟାରୋପ ମଧ୍ୟରେ ଅସଲ କାର୍ପେଟଦାର ଓ ମାଷ୍ଟରମାଇଣ୍ଡଙ୍କୁ ଖସାଇ ଦେବାକୁ ଷଡ଼ଯନ୍ତ୍ର ଚାଲିଥିବା ଚର୍ଚ୍ଚା ହେଉଛି ।

Advertisment


ଓପିଆରବି ଅଧ୍ୟକ୍ଷଙ୍କୁ ଦାୟୀ କଲା ଷ୍ଟୁଡେଣ୍ଟସ୍ ଏଗେନଷ୍ଟ କରପସନ୍


ଓଡ଼ିଶା ପୁଲିସ ଏସଆଇ ପରୀକ୍ଷା ଅନିୟମିତତାରେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି) ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କ ସମ୍ପୃକ୍ତି ଅଛି ବୋଲି ସିଧାସଳଖ ଅଭିଯୋଗ କରିଛି ଷ୍ଟୁଡେଣ୍ଟସ୍ ଏଗେନଷ୍ଟ କରପସନ ନାମକ ସଂସ୍ଥା । ଏହାର ଆବାହକ ବିଭୂତି ଭୂଷଣ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି  ଏହି ଅନିୟମିତତା ପାଇଁ ସୁଶାନ୍ତ ନାଥଙ୍କୁ ଦାୟୀ କରିବା ସହ ଆହୁରି କିଛି ବଡ଼ବଡ଼ିଆ ଅଫିସର ଏଥିରେ ସମ୍ପୃକ୍ତି ଥିବାରୁ ଏହାର ତଦନ୍ତ ସିବିଆଇ କିମ୍ବା ବିଚାରପତିଙ୍କ ଦ୍ୱାରା କରାଇବାକୁ ଦାବି ରଖିଛନ୍ତି । ଗିରଫ ୧୧୪ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅବସରପ୍ରାପ୍ତ ଜେଲ ଡିଆଇଜି କୁଳମଣୀ ବେହେରାଙ୍କ ପୁଅ ଅମୀୟ ବେହେରା ରହିଥିବା ସେ କହିଛନ୍ତି । ସେପଟେ ବିରୋଧୀ ବିଜେଡି ମଧ୍ୟ ଓପିଆରବି ଅଧ୍ୟକ୍ଷ ସୁଶାନ୍ତ ନାଥଙ୍କୁ ଟାର୍ଗେଟ୍ କରି କ୍ରାଇମବ୍ରାଂଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ ସିବିଆଇ ତଦନ୍ତ ଦାବି କରିଛି । ଗୃହ ବିଭାଗର ୨୦୨୫ ମେ’ ୧୩ତାରିଖର ବିଜ୍ଞପ୍ତି ଅନୁସାରେ ସୁଶାନ୍ତ କୁମାର ନାଥଙ୍କୁ ଓପିଆରବି ଅଧ୍ୟକ୍ଷ ଓ ସଦସ୍ୟ ଭାବେ ଏସଏପି ଆଇଜି ଅବିନାଶ କୁମାର ଓ ଏଚଆରପିସି ଏସପି ରାଜେନ୍ଦ୍ର କୁମାର ସେନାପତି ରହିଛନ୍ତି ।
  
ପରୀକ୍ଷା ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିଲା କି ସିଲିକନ୍ ?


ସୂତ୍ର ଅନୁସାରେ, ଓଡ଼ିଶା ପୁଲିସର ୯୩୩ଟି ଏସଆଇ ପାହ୍ୟା ପଦବୀରେ ନିଯୁକ୍ତି ପାଇଁ  ଅକ୍ଟୋବର ୫ ଓ ୬ତାରିଖରେ ଯେଉଁ ପରୀକ୍ଷା ହେବାକୁ ନିଷ୍ପତ୍ତି ହୋଇଥିଲା ତା’ର ପ୍ରଶ୍ନପତ୍ର ପ୍ରସ୍ତୁତ ଦାୟିତ୍ୱ ଘରୋଇ ସଂସ୍ଥା ଉପରେ ଛାଡ଼ି ଦିଆଯାଇଥିଲା ।
 

Advertisment

ଚର୍ଚ୍ଚା ହେଉଛି, ସେପ୍ଟେମ୍ବର ୨୯ତାରିଖରେ ଏହି ପ୍ରଶ୍ନପତ୍ରକୁ ପୁଲିସ ଗାଡ଼ିରେ କୋଲକାତାରୁ କଟକସ୍ଥିତ ଓଏସଏପି ଷଷ୍ଠ ବାଟାଲିୟନ ପରିସରକୁ ଅଣାଯିବା ସମୟରେ ‘ସିଲିକନ୍ ଟେକଲାବ’ର ଏକ ଧଳା ଇନୋଭା ଗାଡ଼ି ମଧ୍ୟ ସାଙ୍ଗରେ ରହିଥିଲା । ପ୍ରଶ୍ନପତ୍ର ଆଣୁଥିବା ପୁଲିସ ଗାଡ଼ିକୁ ‘ସିଲିକନ୍ ଟେକଲାବ’ର ପଦାଧିକାରୀମାନେ ଏସକର୍ଟ କରି ଆଣୁଥିବାରୁ ତାହା ଏବେ ରାଜ୍ୟ ପ୍ରଶାସନର ନିର୍ଦ୍ଦିଷ୍ଟ ଅଫିସରମାନଙ୍କ ଅସଲମୁଖାକୁ ଉଜାଗର କରିଥିବା ଅଭିଯୋଗ ହେଉଛି । କେବଳ ସେତିକି ନୁହେଁ, ଏହି ପ୍ରଶ୍ନପତ୍ରକୁ ରିସିଭ୍ କରିବା ପାଇଁ ଯେଉଁ ଆଇଜି ପାହ୍ୟାର ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଥିଲା, ସେ ପ୍ରଶ୍ନପତ୍ର ବାକ୍ସର ସିଲ୍ ସହ ଟାମ୍ପରିଂ ହୋଇଥିବା ଦର୍ଶାଇ ତାକୁ ରିସିଭ୍ କରିନଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । 


 ତେବେ ଏଠାରେ ପ୍ରଶ୍ନ ଉଠୁଛି , ଯଦି ପୁଲିସ ଏସଆଇ ପରୀକ୍ଷାର ପ୍ରଶ୍ନପତ୍ର ପ୍ରସ୍ତୁତିରେ ‘ସିଲିକନ ଟେକଲାବ’ର କିଛି ଭୂମିକା ନଥିଲା ତା’ହେଲେ କୋଲକାତାରୁ କଟକ ପର୍ଯ୍ୟନ୍ତ ସେହି ସଂସ୍ଥାର ଗାଡ଼ି କାହିଁକି ଓ କାହା ନିର୍ଦ୍ଦେଶରେ ଏସକର୍ଟ କରୁଥିଲା ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବା ଜରୁରୀ ।


କାହାକୁ ଜେରା କରୁଛି କ୍ରାଇମବ୍ରାଂଚ?


ଆନ୍ଧ୍ରପ୍ରଦେଶ ଯାଉଥିବା ୧୧୪ଜଣ ପରୀକ୍ଷାର୍ଥୀଙ୍କ ସମେତ ମୋଟ ୧୧୭ଜଣଙ୍କୁ ଗିରଫ କରିଥିବା ଓଡ଼ିଶା ପୁଲିସ ଏପର୍ଯ୍ୟନ୍ତ ମୁଖ୍ୟ କିଙ୍ଗପିନ୍ ବା ମାଷ୍ଟରମାଇଣ୍ଡମାନଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ଏହି ଅନିୟମିତତା କିଭଳି ହେଲା ଓ ଏହାର ଉତ୍ସ କ’ଣ ତାକୁ ମଧ୍ୟ ଜାଣିଶୁଣି ଅଣଦେଖା କରୁଥିବା ଅଭିଯୋଗ ହେଉଛି । ଦୁଇ ଦଲାଲ ପଂଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କର ପୃଷ୍ଟି ଓ ଅନ୍ୟଜଣେ ମୁନ୍ନା ମହାନ୍ତିଙ୍କୁ ମଧ୍ୟ ୪ଦିନ ପରେ ମଧ୍ୟ ଧରିବାରେ ସକ୍ଷମ ହୋଇନି କ୍ରାଇମବ୍ରାଂଚ । ଆଜି ନିଜ କଟକସ୍ଥିତ କାର୍ଯ୍ୟାଳୟରେ ସିଲିକନ୍ ଟେକଲାବ ନିର୍ଦ୍ଦେଶକ ସୁରେଶ କୁମାର ନାୟକଙ୍କୁ କ୍ରାଇମବ୍ରାଂଚ ପଚରାଉଚୁରା କରିଥିବା ସୂଚନା ମିଳିଛି । ପଂଚସଫ୍ଟ ସହ କୌଣସି ପ୍ରକାରର ଆନୁଷ୍ଠାନିକ ବୁଝାମଣା ନଥାଇ ମଧ୍ୟ ସେହି ସଂସ୍ଥା କିଭଳି ଏହି ପରୀକ୍ଷା ପରିଚାଳନା ପ୍ରକ୍ରିୟାରେ ଏଂଟ୍ରି ମାରିଲା  ସେ ନେଇ ସିଲିକନ୍ ପକ୍ଷରୁ ନିରବତା ଅବଲମ୍ବନ କରାଯାଉଛି ।


ତେବେ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଓପିଆରବିଠାରୁ ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା କେନ୍ଦ୍ରୀୟ ଉଦ୍ୟୋଗ ‘ଆଇଟିଆଇ ଲିମିଟେଡ’ କାହିଁକି ୫ଦିନ ଧରି ନିରବ ରହିଛି ଓ ଏହାର ପଦାଧିକାରୀଙ୍କୁ କାହିଁକି ଜେରା କରାଯାଇ ନାହିଁ ତାହା ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । ତା’ଛଡ଼ା ବାରମ୍ବାର ନିଜ ପାର୍ଟନର ବଦଳାଇବା ପାଇଁ ଆଇଟିଆଇ ଲିମିଟେଡକୁ ରାଜ୍ୟ ଗୃହ ବିଭାଗର କିଏ କେଉଁସ୍ତରରେ ଅନୁମତି ଦେଇଥିଲେ ତା’ର ଖୋଳତାଡ଼ କ୍ରାଇମବ୍ରାଂଚ ଜାଣିଶୁଣି କରୁନଥିବା ଚର୍ଚ୍ଚା ହେଉଛି ।


ଚଳିତବର୍ଷ ମାର୍ଚ୍ଚ ୮ ଓ ୯ତାରିଖରେ ପ୍ରସ୍ତାବିତ ପୁଲିସ ଏସଆଇ ପରୀକ୍ଷା ବାତିଲ କରାଯିବା ଓ ସିଲିକନ୍ ଟେକଲାବ ପ୍ରାଇଭେଟ୍ ଲିମିଟେଡର ଏଂଟ୍ରି ପଛରେ ଗୃହ ବିଭାଗର ଜଣେ ଶୀର୍ଷସ୍ତରର ଅଫିସରଙ୍କ ପ୍ରତ୍ୟକ୍ଷ ଭୂମିକା ରହିଥିବା ଅଭିଯୋଗ ହେଉଛି । ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ପ୍ରକ୍ରିୟାରେ ସାମିଲ ୪ଟି ସଂସ୍ଥା-କେନ୍ଦ୍ରୀୟ ଉଦ୍ୟୋଗ ଆଇଟିଆଇ ଲିମିଟେଡ୍ ସହ ଘରୋଇ ସଂସ୍ଥା ଗୁଜୁରାଟର ରିଚମାଇଣ୍ଡସ୍ ଡିଜିଟାଲ ଲିମିଟେଡ୍,ଭୁବନେଶ୍ୱରର ସିଲିକନ୍ ଟେକଲାବ ପ୍ରାଇଭେଟ୍ ଲିମିଟେଡ୍ ଓ ବ୍ରହ୍ମପୁରର ପଂଚସଫ୍ଟ  ମଧ୍ୟରେ ଥିବା ସମ୍ପର୍କ ଏବଂ ରାଜ୍ୟ ଗୃହ ବିଭାଗ-ଓପିଆରବିର ସେମାନଙ୍କର ସହ ସମ୍ପର୍କକୁ କାହିଁକିି ଏପର୍ଯ୍ୟନ୍ତ କ୍ରାଇମବ୍ରାଂଚ ଖୋଳତାଡ଼ କରୁନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଭୁବନେଶ୍ୱରର ଡିଏଲଏଫ୍ ସାଇବର ସିଟିରେ ଥିବା ‘ପଂଚସପ୍ଟ’ କମ୍ପାନୀକୁ କ୍ରାଇମବ୍ରାଂଚ ସିଲ୍ କରିଥିବାବେଳେ ସେହି କୋଠାରେ ଥିବା ‘ସିଲିକନ୍‌’ର ଅଫିସକୁ ସେମିତି ଛାଡ଼ିଦେଇଥିବା ଜଣାପଡ଼ିଛି ।

 କ୍ରାଇମବ୍ରାଂଚ ଏହି ଅନିୟମିତତାର ମୂଳକୁ ନଖୋଜି ଉପରେ ଉପରେ ତଦନ୍ତ କରିବାରେ ଲାଗିଥିବାବେଳେ ଘଟଣାକୁ ରାଜନୀତିକ ରୂପ ଦିଆଯାଇ ନିର୍ଦ୍ଦିଷ୍ଟ ବଡ଼ମୁଣ୍ଡ ବା ଅଫିସରଙ୍କୁ ଖସାଇ ଦେବାକୁ ପ୍ରୟାସ ହେଉଥିବା ସାଧାରଣରେ ଚର୍ଚ୍ଚା । 


ପରୀକ୍ଷାର୍ଥୀଙ୍କୁ ‘ଅଭିଯୁକ୍ତ’ କରି ବାହାବା ନେଉଛି କ୍ରାଇମବ୍ରାଂଚ


Odisha Job Scam ପରୀକ୍ଷା ଜାଲିଆତିରେ ସମ୍ପୃକ୍ତ ବଡ଼ ମୁଣ୍ଡମାନଙ୍କ ପାଖ ମାଡ଼ିବାରେ ସକ୍ଷମ ହୋଇନଥିବା କ୍ରାଇମବ୍ରାଂଚ କିନ୍ତୁ ଆନ୍ଧ୍ରପ୍ରଦେଶ ଯାଉଥିବା ୧୧୪ ପରୀକ୍ଷାର୍ଥୀ(୮ଜଣ ଯୁବତୀଙ୍କ ସମେତ)ଙ୍କୁ ଆଇନର ଆଳ ଦେଖାଇ ‘ଅଭିଯୁକ୍ତ’ ଦର୍ଶାଇବାକୁ ପଛାଇ ନାହିଁ ଓଡ଼ିଶା ପୁଲିସ। ଏହି ଅନିୟମିତତାକୁ ବିରୋଧ କରି ଆଜି ଭୁବନେଶ୍ୱରରେ ଚାକିରି ଆଶାୟୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ବ୍ରହ୍ମପୁରରେ ଜେଲ୍ ବାହାରେ ଗିରଫ ପରୀକ୍ଷାର୍ଥୀଙ୍କ ଅଭିଭାବକମାନେ ମଧ୍ୟ ପ୍ରତିବାଦ କରିଛନ୍ତି। ୨୦୨୫ ଜାନୁୟାରୀ ୧୮ତାରିଖରେ ଓଡ଼ିଶା ପୁଲିସ ୯୩୩ଟି ଏସଆଇ ପାହ୍ୟାର(Police SI) ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ଦେଇଥିଲା। ପ୍ରାୟ ୧.୫୩ଲକ୍ଷ ପରୀକ୍ଷାର୍ଥୀ ଆବେଦନ କରିଥିଲେ । Odisha Police Exam ଦୁଇଥର ପରୀକ୍ଷା ବାତିଲ ହେବା ସହ ବଡ଼ଧରଣର ଜାଲିଆତି ପଦାକୁ ଆସିଛି।

Odisha Job Scam Police Si Odisha Police Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe