Advertisment

Odisha: ଓଡ଼ିଶା ଅପେକ୍ଷା ଛତିଶଗଡ଼ରେ କାହିଁକି କମ୍ ଆଦିବାସୀ ପିଲା ପାଠ ଛାଡ଼ୁଛନ୍ତି?

ଓଡ଼ିଶା ଓ ଛତିଶଗଡ଼ରେ ଆଦିବାସୀମାନଙ୍କ ମୁଣ୍ଡ ପିଛା ଆୟ ପ୍ରାୟ ସମାନ ଥିବାବେଳେ ଶିକ୍ଷାରେ ଅନେକ ପାର୍ଥକ୍ୟ ରହିଛି। ଛତିଶଗଡ଼ରେ 84 ପ୍ରତିଶତ ଆଦିବାସୀ ଛାତ୍ର ଦଶମରୁ ଏକାଦଶ ଶ୍ରେଣୀକୁ ଯାଉଥିବାବେଳେ ଓଡ଼ିଶାରେ ମାତ୍ର 40 ପ୍ରତିଶତ ଆଦିବାସୀ ଛାତ୍ର ଦଶମରୁ ଏକାଦଶ ଶ୍ରେଣୀକୁ ଯାଇପାରୁଛନ୍ତି।

author-image
OR Desk
Tribal-Students

ଆଦିବାସୀ ଶିକ୍ଷାର୍ଥୀ

ସ୍କୁଲ ଶିକ୍ଷାରେ ଓଡ଼ିଶା(Odisha) ଅପେକ୍ଷା ଛତିଶଗଡ଼ରେ କମ୍ ପିଲା ପାଠ ଛାଡ଼ୁଛନ୍ତି। ଏଭଳି କାହିଁକି ହେଉଛି, ସେ ଉପରେ ଏକ ଗବେଷଣାତ୍ମକ ଲେଖା ବିଶ୍ବର ଅଗ୍ରଣୀ ପ୍ରକାଶକ Springer Natureରେ ପ୍ରକାଶ ପାଇଛି। ଇଣ୍ଡିଆନ୍ ଇନଷ୍ଟିଚୁଟ୍ ଅଫ୍ ମ୍ୟାନେଜମେଣ୍ଟ, ରାଞ୍ଚିର ସହକାରୀ ପ୍ରଫେସର ଜନ୍ କୁଜୁର ଓ ଭୁବନେଶ୍ବର NISERର ସହକାରୀ ପ୍ରଫେସର ଅମରେନ୍ଦ୍ର ଦାସଙ୍କ ଦ୍ବାରା ପ୍ରକାଶିତ ଏହି ଗବେଷଷାତ୍ମକ ଲେଖାରେ ଦର୍ଶାଯାଇଛି- ଓଡ଼ିଶା ଓ ଛତିଶଗଡ଼ରେ ଆଦିବାସୀମାନଙ୍କ ମୁଣ୍ଡ ପିଛା ଆୟ ପ୍ରାୟ ସମାନ ଥିବାବେଳେ ଶିକ୍ଷାରେ ଅନେକ ପାର୍ଥକ୍ୟ ରହିଛି।

Advertisment

ଛତିଶଗଡ଼ରେ 84 ପ୍ରତିଶତ ଆଦିବାସୀ ଛାତ୍ର ଦଶମରୁ ଏକାଦଶ ଶ୍ରେଣୀକୁ ଯାଉଥିବାବେଳେ ଓଡ଼ିଶାରେ ମାତ୍ର 40 ପ୍ରତିଶତ ଆଦିବାସୀ ଛାତ୍ର ଦଶମରୁ ଏକାଦଶ ଶ୍ରେଣୀକୁ ଯାଇପାରୁଛନ୍ତି।

ଛତିଶଗଡ଼ରେ ମାଧ୍ୟମିକ (ନବମ-ଦଶମ) ଓ ଉଚ୍ଚ-ମାଧ୍ୟମିକ (ଏକାଦଶ-ଦ୍ବାଦଶ) ଶ୍ରେଣୀ ଗୋଟିଏ ସ୍କୁଲରେ ଚାଲୁଥିବାବେଳେ ଓଡ଼ିଶାରେ ଏହି ସ୍କୁଲଗୁଡ଼ିକ ପ୍ରାୟତଃ ଅଲଗା ଅଲଗା ଥିବାରୁ ପାଠ ପଢ଼ିବା ଛାଡ଼ିବା ହାର ଅଧିକ ରହୁଥିବା ଦେଖାଯାଇଛି।

Advertisment

ଛତିଶଗଡ଼ରେ ମାଧ୍ୟମିକ (secondary) ଶ୍ରେଣୀରେ ଅର୍ଥାତ୍ ଅଷ୍ଟମ-ନବମ ଶ୍ରେଣୀରେ 68 ପ୍ରତିଶତ ଆଦିବାସୀ ପିଲା ସ୍କୁଲରେ ନାମ ଲେଖାଉଥିବାବେଳେ ଓଡ଼ିଶାରେ ମାତ୍ର 44 ପ୍ରତିଶତ ପିଲା ନାମ ଲେଖାଉଛନ୍ତି। ଅର୍ଥାତ୍ ମାଧ୍ୟମିକ ଶ୍ରେଣୀରେ ଛତିଶଗଡ଼ଠାରୁ ଓଡ଼ିଶାରେ ନାମ ଲେଖା ହାର 24 ପ୍ରତିଶତ କମ ରହିଛି।

ସେହିଭଳି ମାଧ୍ୟମିକ ସ୍ତରରେ ଛତିଶଗଡ଼ରେ ପାଠପଢ଼ା ଛାଡ଼ିବା ହାର (dropout rate) 13 ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ଏହି ହାର 33 ପ୍ରତିଶତ ରହିଛି। ଅର୍ଥାତ୍ ମାଧ୍ୟମିକ ସ୍ତରରେ ଓଡ଼ିଶାରେ ଛତିଶଗଡ଼ଠାରୁ 20 ପ୍ରତିଶତ ଅଧିକ ଆଦିବାସୀ ପିଲା ପାଠ ଛାଡ଼ି ଦେଉଛନ୍ତି।

ଛତିଶଗଡ଼ର ଆଦିବାସୀ ଅଞ୍ଚଳରେ ଛାତ୍ର ଓ ଶିକ୍ଷକ ଅନୁପାତ 16ରେ 1 (16:1) ଥିବାବେଳେ ଓଡ଼ିଶାରେ ଏହା 35ରେ 1 (35:1) ରହିଛି। ଛତିଶଗଡ଼ରେ ଆଦିବାସୀ ଅଞ୍ଚଳରେ ଆଦିବାସୀ ଶିକ୍ଷକଙ୍କ ଅନୁପାତ ଅଧିକ ରହିଥିବାବେଳେ ଓଡ଼ିଶାରେ କମ ରହିଛି। ଅଧିକ ଆଦିବାସୀ ଶିକ୍ଷକ ନିଯୁକ୍ତି ଦ୍ବାରା ଭାଷା ଓ ସଂସ୍କୃତିଜନିତ ପ୍ରତିବନ୍ଧକକୁ କମାଯାଇପାରୁଛି। ଛତିଶଗଡ଼ର ଆଦିବାସୀବହୁଳ ଅଞ୍ଚଳରେ ବିଦ୍ୟୁତ୍, କମ୍ପ୍ୟୁଟର, ରାସ୍ତା ଭଳି ସୁବିଧା ଅଧିକ ଭଲ ଥିବାବେଳେ ଓଡ଼ିଶା ପଛରେ ପଡ଼ିଛି।

ଆଦିବାସୀ ଅଞ୍ଚଳରେ ପାଠ ପଢ଼ୁଥିବା ଓଡ଼ିଶାର ପିଲାମାନେ ଛତିଶଗଡ଼ ତୁଳନାରେ ଗିଣିତ ଓ ଇଂଲିଶରେ ଅଧିକ ଭଲ କରୁଛନ୍ତି। ଆର୍ଥିକ ଦୁର୍ବଳତା ସତ୍ବେ ଓଡ଼ିଶାର ପିଲାମାନେ ଅଧିକ ମାତ୍ରାରେ ଘରୋଇ ଟ୍ୟୁସନ ଯାଉଛନ୍ତି। ସେଥିପାଇଁ ଏଭଳି ଦେଖିବାକୁ ମିଳୁଥିବା ଉଲ୍ଲେଖ କରାଯାଇଛି।
ମିଳିତ ଜାତିସଂଘ ପକ୍ଷରୁ ସତତ ବିକାଶ ଲକ୍ଷ୍ୟ (SDG-4)ରେ 2030 ସୁଦ୍ଧା ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ନୀତି ନିର୍ଦ୍ଧାରକମାନେ ଏ ଉପରେ ଦୃଷ୍ଟି ଦେବା ଉଚିତ ବୋଲି କୁହାଯାଇଛି।

ଏହି ଗବେଷଣା ପାଇଁ ନିଆଯାଇଥିବା ତଥ୍ୟରେ ମୁଖ୍ୟତଃ ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ପ୍ରତିବର୍ଷ ପ୍ରସ୍ତୁତ ହେଉଥିବା Unified District Information System for Education (UDISE) ରିପୋର୍ଟ ଓ `ପ୍ରଥମ’ ଏନଜିଓ ପକ୍ଷରୁ ପ୍ରକାଶ ପାଉଥିବା Annual Status of Education Report (ASER)କୁ ବ୍ୟବହାର କରାଯାଇଛି। 

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ, ଓଡ଼ିଶା ରିପୋର୍ଟର

Odisha