Nuapada debacle has brutally exposed the limits of the ‘Pandian model'
ନୂଆପଡ଼ା ଉପନିର୍ବାଚନରେ ବିଜେପିର ଏକପାଖିଆ ବିଜୟ ସହ କଂଗ୍ରେସର କଡ଼ା ଟକ୍କର ବିଜେଡିକୁ ତୃତୀୟ ସ୍ଥାନକୁ ଠେଲି ଦେଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଓ ନବୀନ ନିବାସର ଛାୟା ନେତୃତ୍ୱ, ତୀବ୍ର ଗୋଷ୍ଠୀକନ୍ଦଳ ଓ ଉତ୍ତରାଧିକାରୀ ପାଇଁ ଛକାପଞ୍ଝା ମଧ୍ୟରେ ନୂଆପଡ଼ାବାସୀଙ୍କ ଜନାଦେଶ ସିଧାସଳଖ ଦଳର ନେତୃତ୍ୱ, ରଣନୀତି ଓ ଭବିଷ୍ୟତ ଉପରେ ଜନମତ ସଂଗ୍ରହ ସଦୃଶ ଥିଲା । ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ସଂଗଠନ ଉପରେ ଏକାଧିପତ୍ୟ ଓ ନିୟନ୍ତ୍ରଣ ଏବଂ ଦଳରେ ଆତ୍ମସମୀକ୍ଷାର ଅଭାବ ଯୋଗୁ ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି ଯାହାକି ବିଜେଡିକୁ ପତନାଭିମୁଖୀ କରାଇଛି । ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ରର ପ୍ରତିଷ୍ଠା, ବିଚାରଗତ ମୂଲ୍ୟବୋଧରେ ସ୍ପଷ୍ଟତା ଆଣିବା ଏବଂ ସାଧାରଣ ଲୋକଙ୍କ ସହ ଯୋଡ଼ି ହେବାର ପ୍ରୟାସ ନହେବା ପର୍ଯ୍ୟନ୍ତ ଦଳର ପତନ ଜାରି ରହିବ । ନୂଆପଡ଼ାର ଜନାଦେଶ ଏହି ସନ୍ଦେଶ ଅତ୍ୟନ୍ତ ସ୍ପଷ୍ଟ ଭାବେ ଦେଇଛି ।
ବିଜେଡି ବିପର୍ଯ୍ୟୟର ୧୦ ପ୍ରମୁଖ କାରଣ
ବିଜେଡିର ଦିବଂଗତ ବିଧାୟକ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ୮୩୭୪୮ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮୪୦୮ ଖଣ୍ଡ ଭୋଟ୍ ପାଇଁ ନୂଆପଡ଼ା ଉପନିର୍ବାଚନରେ ତୃତୀୟ ସ୍ଥାନରେ ରହିଛନ୍ତି । କଡ଼ା ଟକ୍କର ଦେଇ ବିଜେଡିକୁ କଂଗ୍ରେସ ଦ୍ୱତୀୟ ସ୍ଥାନକୁ ଛଡ଼ାଇ ନେଇଛି । ଏହି ( Nuapada) ଉପନିର୍ବାଚନର ଜନାଦେଶ ବିଜେଡି ପାଇଁ ସର୍ବାଧିକ ଗୁରୁତ୍ୱ ବହନ କରୁଛି । ତେବେ ୨୦୨୪ ସାଧାରଣ ନିର୍ବାଚନ ପରେ ନୂଆପଡ଼ାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ନିମନ୍ତେ ଦଳର ଆଗଧାଡ଼ିର ନେତାମାନେ ଦିନରାତି ଏକ କରିଥିଲେ ମଧ୍ୟ କାହିଁକି ତୃତୀୟ ସ୍ଥାନରେ ରହିଲା, ତା’ର ୧୦ଟି ପ୍ରମୁଖ କାରଣ?
୧- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ(BJD Naveen Patnaik)ର ଆକର୍ଷଣ କମିଛି । କ୍ଷମତା ହରାଇବା ପରେ ବିରୋଧୀ ନେତା ଭାବରେ ନବୀନଙ୍କର ପ୍ରାସଙ୍ଗିକତା ଓ ଆକର୍ଷଣ ରାଜ୍ୟବାସୀଙ୍କୁ ବିଜେଡି ସହ ବାନ୍ଧି ରଖିବାରେ ସକ୍ଷମ ହୋଇପାରିନି । ନବୀନ ‘ବିଜେଡିର ବ୍ରାଣ୍ଡ’ ଓ ନିର୍ବାଚନୀ ସଫଳତାର ମୁଖ୍ୟ ଆୟୁଧ ବୋଲି ଥିବା ଦଳୀୟ ନେତାଙ୍କ ଦମ୍ଭ ଭାଙ୍ଗିଛି । ସାଂଗଠନିକ ଓ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଅନ୍ୟ ଉପରେ ମାତ୍ରାଧିକ ନିର୍ଭରଶୀଳତା ଓ ୨୦୨୪ ନିର୍ବାଚନ ବିପର୍ଯ୍ୟୟର ମୁଖ୍ୟ ପାଣ୍ଡିଆନଙ୍କୁ ନିଜଠୁ ନଦୂରେଇବା ଦଳକୁ ମହଙ୍ଗା ପଡ଼ିଛି । ପାଣ୍ଡିଆନ ନହଟିବା ପର୍ଯ୍ୟନ୍ତ ଲୋକଙ୍କ ଭରସା ଜିତିବାରେ ବିଜେଡି ସକ୍ଷମ ହେବନି, ତାହା ପ୍ରମାଣିତ ହୋଇଛି ।
୨- ନୂଆପଡ଼ାରେ ପ୍ରଚାରବେଳେ ନବୀନ ‘ବେଇମାନ’ ଓ ‘ପ୍ରାର୍ଥୀ ଚୋରି’ ଶବ୍ଦ ଉପଯୋଗ କରିବାକୁ ନୂଆପଡ଼ାବାସୀ ସହଜରେ ଗ୍ରହଣ କରିନାହାନ୍ତି । ବିଜେପି ଓ ଢ଼ୋଲକିଆ ପରିବାରକୁ ଏଭଳି ଶବ୍ଦ ପ୍ରୟୋଗକୁ ଭୋଟର ନାପସନ୍ଦ କଲେ। ଦୀର୍ଘ ପ୍ରାୟ ୧୩ବର୍ଷ ପରେ ଓ ନିଜ ଜୀବଦଶାରେ ଦ୍ୱିତୀୟଥର ପାଇଁ ‘ବେଇମାନ’ ଶବ୍ଦକୁ ସାର୍ବଜନୀନ ଭାବେ ଉପଯୋଗ କରିଥିଲେ ନବୀନ । ପୂର୍ବରୁ ନିଜ ରାଜନୀତିକ ଗୁରୁ ପ୍ୟାରୀ ମହାପାତ୍ରଙ୍କ ପାଇଁ ସମାନ ଶବ୍ଦ ପ୍ରୟୋଗ କରିଥିଲେ ।
୩- ବିଜେଡି ନେତା ପ୍ରତାପ ଜେନାଙ୍କ ଦ୍ୱାରା ଦିବଂଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ‘ଜୟ’ଙ୍କୁ ପୋଷ୍ୟ ପୁତ୍ର କହିବା ସହ ରକ୍ତର ନୁହେଁ କହି କଟାକ୍ଷ କରିବାର ମୁହଁତୋଡ଼ ଜବାବ ନୂଆପଡ଼ା ଭୋଟର ଦେଇଛନ୍ତି । ଏହା ବିଜେଡିର ନୈତିକତା ଉପରେ ପ୍ରଶ୍ନବାଚୀ ଉଠାଇବା ସହ ଢ଼ୋଲକିଆ ପରିବାର ପ୍ରତି ସହାନୁଭୂତି ବଢ଼ାଇଛି ।
୪- ଶାସକ ବିଜେପି ନିଜର ରଣନୀତିରେ ବିଜେଡିର ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନଙ୍କୁ ନିଜ ସହ ସାମିଲ କରାଇଲା । ଦିବଂଗତ ରାଜେନ୍ଦ୍ରଙ୍କ ଅନୁଗତମାନେ ଅଧିକ ସକ୍ରିୟ ହେଲେ ଓ ଜୟଙ୍କ ବିଜୟରେ ପ୍ରମୁଖ ଭୂମିକା ତୁଲାଇଲେ । ବିଜେଡି ନିଜର ଅପକର୍ମ ପାଇଁ ପଂଚାୟତ ଓ ଗାଁରେ ବିଶ୍ୱସ୍ତ ଏଜେନ୍ସୀ ମଧ୍ୟ ପାଇଲା ନାହିଁ । ଦଳର ଶତାଧିକ ରାଜ୍ୟସ୍ତରୀୟ ନେତା ନୂଆପଡ଼ାରେ ନିଜ ଖର୍ଚ୍ଚରେ ଡେରା ପକାଇଲେ । ସର୍ବାଧିକ ଧନୀ ପାର୍ଟି ବିଜେଡି ନେତୃତ୍ୱ ନୂଆପଡ଼ାରେ ଆବଶ୍ୟକ ଖର୍ଚ୍ଚ ମଧ୍ୟ ଠିକ୍ ସମୟରେ ଦେବାରେ ଟାଳଟୂଳ ନୀତି ଅବଲମ୍ବନ କଲେ । ଯାହା ଉଭୟ ନେତା-କର୍ମୀଙ୍କୁ ବି କ୍ଷୁବ୍ଧ କଲା ।
୫- ନିଜ ସହକର୍ମୀ ତଥା ଦିବଂଗତ ରାଜେନ୍ଦ୍ର ଢ଼ୋଲକିଆଙ୍କ ଅନ୍ତେଷ୍ଟି କ୍ରିୟା ହେଉ ଅବା ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହେଲେନି ନବୀନ । ମାତ୍ର ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ପ୍ରଚାରରେ ଦୁଇ ଦୁଇଥର ନୂଆପଡ଼ା ଗଲେ । ଯାହାକୁ ନୂଆପଡ଼ାବାସୀଙ୍କ ଭାବନାକୁ ଆଘାତ ଦେଲା ଓ ବିଜେଡିଠୁ ଭାବନାତ୍ମକ ଦୂରତ୍ୱ ସୃଷ୍ଟି କଲା । ରାଜ୍ୟର ଅନ୍ୟ ଭାଗରୁ ପ୍ରଚାର ପାଇଁ ଯାଇଥିବା ନେତାମାନେ ସ୍ଥାନୀୟ ଭୋଟରଙ୍କ ଭାଷା ଓ ମାନସିକତାକୁ ବୁଝିବାରେ ବିଫଳ ହେଲେ ।
୬- ଦୁଇ ଦୁଇଥର ଦିଲ୍ଲୀ ଗସ୍ତରେ ଯାଇ ମଧ୍ୟ ‘ଜୟ’ଙ୍କ ଟିକେଟକୁ ଝୁଲାଇ ରଖିଥିଲା ବିଜେଡି । ନୂଆପଡ଼ାର ସ୍ଥାନୀୟ ନେତୃତ୍ୱଙ୍କୁ ବିଶ୍ୱାସକୁ ନନେଇ ପ୍ରତ୍ୟାଖ୍ୟାତ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବାହାର ଜିଲ୍ଲାରୁ ଆଣି ଦଳୀୟ ପ୍ରାର୍ଥୀ ଭାବେ ଲଦି ଦେବାର ନିଷ୍ପତ୍ତି ମଧ୍ୟ ଅଘୋଷିତ ସର୍ବେସର୍ବା ନେଲେ । ଯାହାକୁ ଯଥାର୍ଥ ଦର୍ଶାଇବାକୁ ବିଜେଡିର ବରିଷ୍ଠ ନେତାମାନଙ୍କ ଟିମ୍ ପୁରା ଦମରେ ଲାଗି ପଡ଼ିଲା । ଏହା ମଧ୍ୟ ନୂଆପଡ଼ାର ସ୍ଥାନୀୟ ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷର କାରଣ ହେଲା । ଢୋଲକିଆଙ୍କ ପରିବାରକୁ ହତାଦର ଓ ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରି ବିଜେଡି ନିଜର ପାରମ୍ପରିକ ଭୋଟ୍ ହାତଛଡ଼ା କଲା ।
୭- ନୂଆପଡ଼ାରେ ଦଳର ସବୁ ଆଗଧାଡ଼ିର ନେତା ଡେରା ପକାଇଲେ । କିନ୍ତୁ କୌଣସି ବିଶ୍ୱସନୀୟ ଚେହେରା ବା ଦ୍ୱିତୀୟ ଧାଡ଼ିର ନେତାଙ୍କୁ ଦଳ ଆଗକୁ ଆଣିଲା ନାହିଁ । ଦେବୀ ମିଶ୍ରଙ୍କ ଭଳି ନେତାଙ୍କୁ ଆଗରେ ରଖି ମୋହରା ଭାବେ ଉପଯୋଗ କଲା । କିନ୍ତୁ ପ୍ରକୃତ କ୍ଷମତା ସେହି ପୁରୁଣା ଯୋଡ଼ି ପାଣ୍ଡିଆନ ଓ ତାଙ୍କ ଖାସ୍ ପ୍ରଣବପ୍ରକାଶ ଦାସ(ବବି)ଙ୍କ ପାଖରେ ରହିଲା । ଯାହାର ପ୍ରମାଣ ମଧ୍ୟ ଦଳୀୟ କର୍ମୀ-ନେତାମାନେ ନୂଆପଡ଼ା ନିର୍ବାଚନରେ ପୁଣିଥରେ ଦେଖିବାକୁ ପାଇଲେ ।
୮- ନବୀନଙ୍କ ନିଷ୍କ୍ରିୟତା ଓ ନିର୍ଭରଶୀଳତାର ଫାଇଦା ଉଠାଇ ତାଙ୍କୁ ବାଧ୍ୟ କରି ନୂଆପଡ଼ା ଉପନିର୍ବାଚନ ପ୍ରଚାରକୁ ନିଆଗଲା । ଯଦିଓ ବିମାନ ବନ୍ଦରର ଭିଡିଓ ଭାଇରାଲ ହେଲା ପରେ ତାଙ୍କର ଶାରୀରିକ ଅକ୍ଷମତା ପଦାରେ ପଡ଼ିଥିଲା । ସାଧାରଣ ନିର୍ବାଚନରେ ନବୀନଙ୍କୁ ଦୂରେଇ ରଖିଥିବା ପାଣ୍ଡିଆନ ତାଙ୍କୁ ଦୁଇ ଦୁଇଥର ଦୟନୀୟ ସ୍ଥିତିରେ ନୂଆପଡ଼ା ପଠାଇ ରାଜ୍ୟବାସୀଙ୍କ ଆଗରେ ନବୀନଙ୍କ ଅସୁସ୍ଥତାର ବାସ୍ତବତାକୁ ରଖିଲେ । ନବୀନଙ୍କ ପ୍ରତି ଏଭଳି ଆଚରଣକୁ ରାଜ୍ୟବାସୀ ନିନ୍ଦା କଲେ ଓ ନୂଆପଡ଼ାବାସୀ ମଧ୍ୟ ପ୍ରତ୍ୟାଖ୍ୟାନ କଲେ । ନବୀନ ନିବାସର ମାତ୍ରାଧିକ ହସ୍ତକ୍ଷେପ ଓ ପରଦା ପଛରେ ରହି ପାଣ୍ଡିଆନ (ଛାୟା ନେତୃତ୍ୱ) ନିର୍ବାଚନକୁ ପରିଚାଳନା କଲେ । ସନ୍ତୃପ୍ତ ମିଶ୍ରଙ୍କୁ ନବୀନଙ୍କ ରୋଡ ଶୋ’ବେଳେ ବସରେ ବୁଲାଇ ପାଣ୍ଡିଆନ ନିଜର ହାକିମାତି ଜାହିର ମଧ୍ୟ କରାଇବାକୁ ପଛାଇ ନଥିଲେ ।
୯- ନୂଆପଡ଼ା ନିର୍ବାଚନ ପ୍ରଚାରରେ ବିଜେପିର ଓଡ଼ିଶା ଓ ଛତିଶଗଡ଼ କ୍ୟାଡ଼ରମାନେ ସଂଘବଦ୍ଧ ଭାବେ କାର୍ଯ୍ୟ କଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାରମ୍ବାର ନୂଆପଡ଼ା ଗସ୍ତରେ ଯାଇ ବିକାଶମୂଳକ ଯୋଜନା ଘୋଷଣା କଲେ । ବିଭିନ୍ନ ସରକାରୀ ଯୋଜନାର ସର୍ବାଧିକ ଫାଇଦା ବିଭିନ୍ନ ଢଙ୍ଗରେ ନୂଆପଡ଼ା ଭୋଟରଙ୍କ ନିକଟରେ ପହଂଚାଗଲା । ବିଜେପିର ଏଭଳି ନିର୍ବାଚନୀ ଫର୍ମୂଲାକୁ ଲୋକେ ଗ୍ରହଣ କଲେ ଓ ବିଜେଡିଠୁ ମୁହଁ ଫେରାଇଲେ ।
୧୦- ନୂଆପଡ଼ାରେ ତ୍ରିକୋଣୀୟ ଲଢ଼େଇରେ କଂଗ୍ରେସ ନିଜର ପ୍ରାର୍ଥୀ ଘାସିରାମ ମାଝୀ ୪୦ହଜାରରୁ ଅଧିକ ଭୋଟ୍ ପାଇଲେ । ବିଜେଡି ପ୍ରତି ଥିବା ଅସନ୍ତୋଷର ଫାଇଦା କଂଗ୍ରେସ ଓ ବିଜେପିକୁ ମିଳିଲା । ଗ୍ରାମାଂଚଳ ବିଶେଷକରି ଆଦିବାସୀ ବହୁଳ ଅଂଚଳରେ ବିଜେଡିର ପାରମ୍ପରିକ ଭୋଟ୍ ବିଜେପି ଓ କଂଗ୍ରେସକୁ ସ୍ଥାନାନ୍ତର ହେଲା । ଆଉ ବିଜେପିର ବିଜୟ ପଥକୁ ସୁଗମ କଲା ଏବଂ ବିଜେଡିକୁ ତୃତୀୟ ସ୍ଥାନକୁ ଠେଲି ଦେଲା ।
ନବୀନଙ୍କ ଟ୍ୱିଟ୍: ଲଢ଼େଇ ଜାରି ରହିବ
ନୂଆପଡ଼ାରେ ଦଳ ତୃତୀୟ ସ୍ଥାନରେ ରହିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ପରାଜୟ ସତ୍ତ୍ୱେ ଲଢ଼େଇ ଜାରି ରହିବ ଓ ଲୋକଙ୍କ ବିଶ୍ୱାସ ଆମ ପାଇଁ ପ୍ରଥମ ବୋଲି କହିଛନ୍ତି । ନିର୍ବାଚନରେ ଏକଜୁଟ୍ ହୋଇ ଅକ୍ଳାନ୍ତ ପରିଶ୍ରମ କରିଥିବା ଦଳର ପ୍ରତ୍ୟେକ ନେତା, କର୍ମୀ ଏବଂ ସମର୍ଥକଙ୍କୁ କୃତଜ୍ଞତା ଜଣାଇବା ସହ ସେମାନଙ୍କର ପ୍ରତିବଦ୍ଧତା ହିଁ ଦଳର ପ୍ରକୃତ ଶକ୍ତି ବୋଲି କହିଛନ୍ତି । ବିଜୟୀ ବିଜେପି ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ନୂଆପଡ଼ାରେ ଅର୍ଥପୂର୍ଣ୍ଣ ବିକାଶ ଆଣିବା ପାଇଁ ସେ ଜନମତକୁ ସମ୍ମାନ ଦେବେ ବୋଲି କହିଛନ୍ତି । ନିର୍ବାଚନ ଆସେ ଓ ଯାଏ, କିନ୍ତୁ ଆମର ମୂଲ୍ୟବୋଧ ଏବଂ ଲୋକଙ୍କ ବିଶ୍ୱାସ ସର୍ବଦା ଆମ ପାଇଁ ପ୍ରଥମେ ରହିବ । ବହୁ ଉତଥାନ-ପତନ ଦେଇ ଗତି କରିଥିଲେ ମଧ୍ୟ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶାର ଲୋକଙ୍କ ଅଧିକାର ପାଇଁ ବିଜେଡିର ଲଢ଼େଇ ନିରନ୍ତର ଜାରି ରହିବ ବୋଲି ନବୀନ କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us