Advertisment

ଡିଜିପିଙ୍କୁ ଚିଠି ଲେଖିଲେ ସଚିବ:ମଦୁଆ ଡ୍ରାଇଭରଙ୍କୁ କାହିଁକି ଗିରଫ କରୁନି ପୁଲିସ୍‌

ମଦ ପିଇ ଗାଡ଼ି ଚାଳନାକୁ ହତୋତ୍ସାହିତ କରିବା ନିମନ୍ତେ ସେଭଳି ଡ୍ରାଇଭରଙ୍କୁ ଗିରଫ କରିବା ଦିଗରେ ପଦକ୍ଷେପ ନେବାକୁ ପୁଲିସ ଡିଜିଙ୍କୁ ରାଜ୍ୟ ପରିବହନ ସଚିବ ଉଷା ପାଢ଼ୀ ଚିଠି ଲେଖି ପରାମର୍ଶ ଦେଇଛନ୍ତି।

DGP

DGP

Advertisment

 ମଦ ପିଇ ଗାଡ଼ି ଡ୍ରାଇଭିଂ କରୁଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ସହ ସେମାନଙ୍କୁ ଜେଲ୍ ପଠାଇବାକୁ ମୋଟର ପରିବହନ ଆଇନ-୧୯୮୮ର ଧାରା ୧୮୫ରେ ପ୍ରାବଧାନ ରହିଛି। ଏପରିକି ପ୍ରଥମ ଥର ଏଭଳି ଅପରାଧ କରିଥିବା ଗାଡ଼ିଚାଳକଙ୍କୁ ବି ପୁଲିସ ଗିରଫ କରି ଜେଲ୍ ପଠାଇପାରିବ। କିନ୍ତୁ ପୁଲିସ ମଦ ପିଇ ଗାଡ଼ି ଚାଳନା କରୁଥିବା ଡ୍ରାଇଭରମାନଙ୍କ ବିରୁଦ୍ଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ତେଣୁ ରାଜ୍ୟରେ ମଦ ପିଇ ଗାଡ଼ି ଚାଳନାକୁ ହତୋତ୍ସାହିତ କରିବା ନିମନ୍ତେ ସେଭଳି ଡ୍ରାଇଭରଙ୍କୁ ଗିରଫ କରିବା ଦିଗରେ ପଦକ୍ଷେପ ନେବାକୁ ପୁଲିସ ଡିଜିଙ୍କୁ ରାଜ୍ୟ ପରିବହନ ସଚିବ ଉଷା ପାଢ଼ୀ ଚିଠି ଲେଖି ପରାମର୍ଶ ଦେଇଛନ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟଙ୍କ କମିଟି ଚିନ୍ତା ବ୍ୟକ୍ତ କରିଛନ୍ତି।

Advertisment

ଶ୍ରୀମତୀ ପାଢ଼ୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ମଦ ପିଇ ଗାଡ଼ି ଚଳାଉଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ‘ବ୍ରେଥ୍ ଆନାଲାଇଜର’ ପୁଲିସ ଥାନା ଓ ଆରଟିଓ କାର୍ଯ୍ୟାଳୟକୁ ଦିଆଯାଇଛି । ସଡ଼କ ନିୟମକୁ ଉଲ୍ଲଘଂନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଜିରୋ ଟଲେରାନ୍ସ ନୀତିକୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କୁ ଗିରଫ କରିବା ପାଇଁ ସମସ୍ତ ଥାନାକୁ ନିର୍ଦ୍ଦେଶ ଦେବାକୁ ଶ୍ରୀମତୀ ପାଢ଼ୀ ଚିଠି ମାଧ୍ୟମରେ ପୁଲିସ ଡିଜିଙ୍କୁ ଅବଗତ କରିଛନ୍ତି ।

ସେ କହିଛନ୍ତି ଯେ, ରାଜ୍ୟରେ କ୍ରମାଗତ ସଡ଼କ ଦୁର୍ଘଟଣା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୨୩ ଏପ୍ରିଲ ୧ରୁ ୭ତାରିଖ ପର୍ଯ୍ୟନ୍ତ ‘ଶୂନ ମୃତ୍ୟୁ ସପ୍ତାହ’ ପାଳନ କରିଥିଲେ। ଏହି ସପ୍ତାହକୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହଯୋଗରେ ପାଳନ କରାଯାଇଥିଲା ଓ ଏହାର ପରିଣାମ ମଧ୍ୟ ବେଶ୍ ଭଲ ରହିଛି । ଏହି ଶୂନ ମୃତ୍ୟୁ ସପ୍ତାହର ଠିକ୍ ପୂର୍ବ ସପ୍ତାହ ତୁଳନାରେ ଦୁର୍ଘଟଣା ଓ ମୃତ୍ୟୁ ହାର ଯଥାକ୍ରମେ ୩୯.୯% ଓ ୨୮.୬% ହ୍ରାସ ପାଇଛି। ସେହିପରି ଗତବର୍ଷର ଏହି ଅବଧି ତୁଳନାରେ ଉକ୍ତ ସପ୍ତାହରେ ଦୁର୍ଘଟଣା ଓ ମୃତ୍ୟୁହାରରେ ଯଥାକ୍ରମେ ୩୩% ଓ ୧୫% ହ୍ରାସ ହୋଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହି କଡ଼ାକଡ଼ି ଯାଂଚ ଓ ସଚେତନତା ଯୋଗୁ ସଡ଼କ ଦୁର୍ଘଟଣାରେ କୌଣସି ନାବାଳକ ଅବା କିଶୋର-କିଶୋରୀଙ୍କ ମୃତ୍ୟୁ ହୋଇନାହିଁ।

Advertisment

ରାଜ୍ୟରେ ଦୁର୍ଘଟଣା ବୃଦ୍ଧିର ମୁଖ୍ୟ କାରଣ ହେଉଛି ମଦ ପିଇ ଗାଡ଼ି ଚଳାଇବ । ଆରଟିଓ ଓ ପୁଲିସଠୁ ମିଳିଥିବା ତଥ୍ୟ ଅନୁସାରେ ‘ଶୂନମୃତ୍ୟୁ ସପ୍ତାହ’ ପାଳନ ଅବସରରେ ଆରଟିଓମାନଙ୍କ ଦ୍ୱାରା ମୋଟ ୧୨୫୭ଟି ମଦ ପିଇ ଗାଡ଼ି ଚଳାଇବା ମାମଲା ଚିହ୍ନଟ ହୋଇଥିବାବେଳେ ପୁଲିସ ଦ୍ୱାରା ମାତ୍ର ୧୩୩ଟି ମଦ ପିଇ ଗାଡ଼ି ଡ୍ରାଇଭିଂ କରିବା ମାମଲା ଚିହ୍ନଟ ହୋଇଛି । କିନ୍ତୁ ମଦ ପିଇ ଗାଡ଼ି ଚଳାଇଥିବା ଡ୍ରାଇଭରମାନଙ୍କୁ ଗିରଫ କରାଯାଇ ନଥିଲା । ଯଦିଓ ସଡ଼କ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ କମିଟି ୨୦୧୫ ଅଗଷ୍ଟ ୧୮ତାରିଖରେ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ମୋଟରଯାନ ଆଇନ-୧୯୮୮ର ଧାରା ୧୮୫ ଅନୁସାରେ ମଦ ପିଇ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିବ । ଏହାସହିତ ସମ୍ପୃକ୍ତ ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସକୁ ଅତିକମରେ ୩ମାସ ପାଇଁ ନିଲମ୍ବନ କରାଯିବ । ମଦ ପିଇ ଗାଡ଼ି ଚଳାଉଥିବାର ଡ୍ରାଇଭର ପ୍ରଥମଥର ଚିହ୍ନଟ ହେଲେ ତାଙ୍କ ବିରୁଦ୍ଧରେ ୬ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଅବା ୧୦ହଜାର ଟଙ୍କା ଅବା ଉଭୟ ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିବ । ସେହିପରି ଦ୍ୱିତୀୟ ଥର ଅପରାଧ କଲେ ୨ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଅବା ୧୫ହଜାର ଟଙ୍କା ଅବା ଉଭୟ ଦଣ୍ଡର ପ୍ରାବଧାନ ରହିଛି ।

ତେଣୁ ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ହ୍ରାସ ଓ ମଦ ପିଇ ଗାଡ଼ି ଚଳାଇବାକୁ ହତୋତ୍ସାହିତ କରିବା ନିମନ୍ତେ ସମ୍ପୃକ୍ତ ଡ୍ରାଇଭରମାନଙ୍କୁ ଗିରଫ କରିବା ପାଇଁ ସମସ୍ତ ଥାନାକୁ ନିର୍ଦ୍ଦେଶ ଦେବାକୁ ଶ୍ରୀମତୀ ପାଢ଼ୀ ରାଜ୍ୟ ପୁଲିସ ଡିଜିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

Odisha Police Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe