Advertisment

ଋଣ ପାଇଁ ମରୁଛି କି ଓଡ଼ିଶା ଚାଷୀ?

ଗତ ଦଶ ବର୍ଷରେ ଏଭଳି ୭୯ଟି ଆତ୍ମହତ୍ୟା ଖବର ଆସିଛି। ହେଲେ ରାଜ୍ୟ ସରକାର କୌଣସି ସମୟରେ ଋଣ ବୋଝ ବା ଫସଲହାନୀ କାରଣରୁ ବିଚଳିତ ହୋଇ ଚାଷୀଟି ଆତ୍ମହତ୍ୟା କରୁଥିବା ସ୍ୱୀକାର କରୁନାହାନ୍ତି।

ଅଦ୍ୟତନ ହୋଇଛି
farmers

farmers

Advertisment

ଓଡ଼ିଶାର ଯାଜପୁର ହେଉ କି ଖୋର୍ଦ୍ଧା। ବରଗଡ଼ ହେଉ କି ବଲାଙ୍ଗୀର। ପ୍ରତିବର୍ଷ ଅନେକ ସ୍ଥାନରୁ ଚାଷୀ ଆତ୍ମହତ୍ୟା ଖବର ଆସୁଛି। ଗତ ଦଶ ବର୍ଷରେ ଏଭଳି ୭୯ଟି ଆତ୍ମହତ୍ୟା ଖବର ଆସିଛି। ହେଲେ ରାଜ୍ୟ ସରକାର କୌଣସି ସମୟରେ ଋଣ ବୋଝ ବା ଫସଲହାନୀ କାରଣରୁ ବିଚଳିତ ହୋଇ ଚାଷୀଟି ଆତ୍ମହତ୍ୟା କରୁଥିବା ସ୍ୱୀକାର କରୁନାହାନ୍ତି। ସର୍ବଭାରତୀୟ ସ୍ତରରେ ଚାଷୀ ପରିବାରର ଋଣ ହାରାହାରି ୭୪,୧୨୧ ଟଙ୍କା ଥିବା ବେଳେ ଓଡ଼ିଶାରେ ଚାଷୀ ପରିବାରର ଋଣ ହାରାହାରି ୩୨, ୭୬୧ ଟଙ୍କା ରହିଥିବା ଦେଖାଯାଇଛି। କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଡ. ଭଗବତ କରାଡ ଫେବ୍ରୁଆରୀ ୧୩ ତାରିଖରେ ଲୋକସଭାରେ ଏହି ତଥ୍ୟ ପ୍ରଦାନ କରିଛନ୍ତି। ପରିସଂଖ୍ୟାନ ମନ୍ତ୍ରଣାଳୟ ଦ୍ୱାରା ୨୦୧୯ରେ ପ୍ରସ୍ତୁତ ଘରଓ୍ୱାରୀ ସର୍ଭେ ଆଧାରରେ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି ରିପୋର୍ଟ ଦେଖିଲେ ଓଡ଼ିଶାରେ ୨୦୧୪ରୁ ୨୦୧୬ ଭିତରେ ୪୮ଜଣ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ୨୦୧୭ ପରଠାରୁ ଆଉ କୌଣସି ଚାଷୀ ଆତ୍ମହତ୍ୟା କରିବା କଥା ସ୍ୱୀକାର କରୁନାହାନ୍ତି ରାଜ୍ୟ ସରକାର।

Advertisment

ଚାଷୀ ନେତା ଶେଷଦେବ ନନ୍ଦ କହିଛନ୍ତି: ଚାଷୀ ଋଣ ବୋଝରେ ଓ ଫସଲହାନିରେ ଆତ୍ମହତ୍ୟା କରୁଛି। ମୃତ ଚାଷୀର ପରିବାରକୁ ଅନୁକମ୍ପା ରାଶି ଭାବେ ମହାରାଷ୍ଟ୍ର ୧ ଲକ୍ଷ, ତେଲେଙ୍ଗାନା ୬ ଲକ୍ଷ ଓ ଆନ୍ଧ୍ରପ୍ରଦେଶ ୭ ଲକ୍ଷ ଟଙ୍କା ଦେଉଛି। ମାତ୍ର ମୃତ୍ୟୁ ପରେ ବି ଓଡ଼ିଶା ସରକାର ଚାଷୀ ପରିବାରକୁ ଅସମ୍ମାନିତ କରୁଛି।

କୃଷି ଏକ ରାଜ୍ୟ ପ୍ରସଙ୍ଗ। ଓଡ଼ିଶାରେ ପୂର୍ବରୁ ଚାଷୀମାନେ ଋଣ ଭାର, ଫସଲ ହାନୀ, ପାରିବାରିକ କଳହ ଭଳି କାରଣ ପାଇଁ ଆତ୍ମହତ୍ୟା କରୁଥିବାବେଳେ ଗତ ୫ ବର୍ଷ ହେଲା କିଭଳି ଚାଷୀ ଆତ୍ମହତ୍ୟା ବନ୍ଦ ହୋଇଗଲା ବୁଝାପଡ଼ୁନାହିଁ। ଅନ୍ୟପଟରେ ଫସଲ ହାନି ଓ ଋଣ ଭାର ପାଇଁ ଆତ୍ମହତ୍ୟା କରୁଥିବା ଚାଷୀ ପରିବାରକୁ ପଡ଼ୋଶୀ ତେଲେଙ୍ଗାନା ସରକାର ୬ ଲକ୍ଷ, ଆନ୍ଧ୍ରପ୍ରଦେଶ ସରକାର ୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେଉଥିବାବେଳେ ଓଡ଼ିଶା ସରକାର ଚୁପ ରହୁଛନ୍ତି। ଜାତୀୟ ସ୍ତର ତୁଳନାରେ ଓଡ଼ିଶା ଚାଷୀର ଆୟ ବିଶେଷ ବଢ଼ୁନାହିଁ। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ ୨୦୧୨-୧୩ରେ ହୋଇଥିବା ସର୍ଭେକୁ ୨୦୧୮-୧୯ ସର୍ଭେ ସହ ତୁଳନା କଲେ, ଦେଶରେ ଚାଷୀ ପରିବାରର ମାସିକ ଆୟ ୬ ବର୍ଷରେ ୬,୪୨୬ଟଙ୍କାରୁ ୧୦,୨୧୮ ଟଙ୍କାରେ ପହଁଚିଛି। ଅର୍ଥାତ୍ ଚାଷୀ ପରିବାରର ମାସିକ ଆୟ ୫୯% ବଢ଼ିଛି। ହେଲେ ସେହି ୬ ବର୍ଷରେ ଓଡ଼ିଶା ଚାଷୀ ପରିବାରର ମାସିକ ଆୟ ୪,୯୭୬ଟଙ୍କାରୁ ୫,୧୧୨ଟଙ୍କାରେ ପହଁଚିଛି, ଯାହାକି ମାତ୍ର ୩% ବଢ଼ିଛି। ଓଡ଼ିଶା ଚାଷୀର ଆୟ ସେଭଳି ବଢ଼ୁନଥିବାବେଳେ ଋଣଭାର ବଢ଼ିଚାଲିଛି।

Advertisment

ବରିଷ୍ଠ ସମ୍ବାଦିକ ରବି ଦାସ କହିଛନ୍ତି: ଅନେକ ରାଜ୍ୟ ଚାଷୀ ଆତ୍ମହତ୍ୟାକୁ ସ୍ବୀକାର କରୁଛନ୍ତି। ଚାଷୀ ଋଣ ବୋଝରେ ପଡ଼ିଲା ପରେ ଘରେ କଳହ ହେଉଛି ଆଉ ସେ ଆତ୍ମହତ୍ୟା କରୁଛି। ସରକାର ଏହାକୁ ମାନିଲେ ଯେଭଳି ସରକାର ଭାଙ୍ଗିଯିବ ବୋଲି ଭାବୁଛନ୍ତି। ଲୋକେ କହିବେ ସରକାର ଚାଷୀଙ୍କ ପାଇଁ କ’ଣ କରୁଥିଲେ? ଏଥିରେ ପରିବର୍ତ୍ତନ ଆସିବା ଉଚିତ।

ରିପୋର୍ଟ ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନ୍‌ଗୋଙ୍କ ରିପୋର୍ଟ

Farmer Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe