ବୈଶାଖ ମାସର ପୂର୍ଣ୍ଣିମା ତିଥିରେ ସିଦ୍ଧାର୍ଥ ଗୌତମ ବୁଦ୍ଧ ଜନ୍ମ ହୋଇଥିଲେ। ତେଣୁ ଏହି ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା କୁହାଯାଏ। ବୌଦ୍ଧ ଧର୍ମାବଲମ୍ବୀ ଏବଂ ହିନ୍ଦୁ ଧର୍ମର ଲୋକମାନେ ବୁଦ୍ଧ ପୂର୍ଣ୍ଣିମାଙ୍କୁ ଅତି ଭକ୍ତିର ସହିତ ପାଳନ କରନ୍ତି। ପୁରାଣ ଅନୁସାରେ ମହାତ୍ମା ଗୌତମ ବୁଦ୍ଧ ଭଗବାନ ବିଷ୍ଣୁଙ୍କ ନବମ ଅବତାର ବୋଲି ବିବେଚନା କରାଯାଏ। ଲୋକମାନେ ଏହି ଦିନ ଭଗବାନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ଉପବାସ ରଖନ୍ତି।
ବୁଦ୍ଧ ଜୟନ୍ତୀ ଦିବସର ତାତ୍ପର୍ଯ୍ୟ ହେଲା ଏହି ଦିନ ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ ଏବଂ ବୁଦ୍ଧତ୍ୱ ପ୍ରାପ୍ତ ଓ ମୋକ୍ଷ ପ୍ରାପ୍ତ ହୋଇଥିଲେ। ଗୌତମ ବୁଦ୍ଧଙ୍କ ଶାନ୍ତି, ସତ୍ୟ, ଅହିଂସା ଓ କରୁଣାର ବାଣୀ ରାଷ୍ଟ୍ର, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛି।
ଐତିହାସିକଙ୍କ ମତରେ ଗୌତମ ବୁଦ୍ଧଙ୍କ ଜନ୍ମ ଖ୍ରୀଷ୍ଟପୂର୍ବ ୫୬୭-୪୮୦ ମସିହାର ମଧ୍ୟଭାଗରେ ହିମାଳୟର ପାଦଦେଶରେ ଅବସ୍ଥିତ କପିଳବାସ୍ତୁ ନିକଟବର୍ତ୍ତୀ ଲୁମ୍ବିନିରେ ଜନ୍ମ ଗ୍ରହଣ କରିଥିଲେ। ଯାହା ବର୍ତ୍ତମାନ ନେପାଳରେ ଅବସ୍ଥିତ। ଗୌତମଙ୍କର ପିତା ଶୁଦ୍ଧୋଦନ ଶାକ୍ୟ ଦେଶର ରାଜା ଥିଲେ। ତାଙ୍କର ମାତାଙ୍କ ନାମ ଥିଲା ମାୟାଦେବୀ।
କିମ୍ବଦନ୍ତି ଅନୁସାରେ ସିଦ୍ଧାର୍ଥ ଗୌତମଙ୍କ ଜନ୍ମ ଉପରେ ପୂର୍ବାନୁମାନ କରାଯାଇଥିଲା ଯେ ବଡ଼ ହେବା ପରେ ସେ ଜଣେ ଚକ୍ରବର୍ତ୍ତୀ ସମ୍ରାଟ ବା ବିଶ୍ୱ ପ୍ରସିଦ୍ଧ ଧର୍ମଗୁରୁ ହେବେ। ଏହା ଜାଣି ପୁଅକୁ ହରାଇବା ଭୟରେ ଗୌତମ ବୁଦ୍ଧଙ୍କ ପିତା ତାଙ୍କୁ ୨୯ ବର୍ଷ ବୟସ ପର୍ଯ୍ୟନ୍ତ ଜଗତର ବାସ୍ତବତାଠାରୁ ଦୂରରେ ରଖିଥିଲେ। ଶେଷରେ ପ୍ରଥମ ଥର ପାଇଁ ତାଙ୍କ ରାଜ ପ୍ରାସାଦରୁ ବାହାରିବା ସମୟରେ ଗୌତମ ବୁଦ୍ଧ ଜଣେ ବୃଦ୍ଧ, ଅସୁସ୍ଥ ବ୍ୟକ୍ତି ଏବଂ ଜଣେ ମୃତ ବ୍ୟକ୍ତିଙ୍କୁ ଦେଖିଲେ। ଏହା ଦେଖି ଗୌତମ ବୁଦ୍ଧ ଜୀବନର ଦୁଖ ଓ ଯନ୍ତ୍ରଣା ବୁଝିପାରି ସାଂସାରିକ ମାୟାବନ୍ଧନ ଛିନ୍ନକରି ଜ୍ଞାନ ଆହରଣ କରିବାକୁ ଧ୍ୟାନ କରିବାକୁ ବାହାରିଗଲେ।
ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବୌଦ୍ଧ ଧର୍ମାବଲମ୍ବୀମାନେ ବୁଦ୍ଧ ପୂର୍ଣ୍ଣିମାରେ ଧଉଳିଗିରି ଓ ଭୁବନେଶ୍ୱରର ବୌଦ୍ଧ ବିହାରଠାରେ ବୁଦ୍ଧ ଜୟନ୍ତୀ ପାଳନ ପାଇଁ ଏକତ୍ରିତ ହୁଅନ୍ତି। ବୌଦ୍ଧ ଧର୍ମର ନିର୍ବାଣ ବା ମୋକ୍ଷରେ ଚିର ଶାନ୍ତି ଓ ପରମ ଆନନ୍ଦ ପାଏ ଜଣେ ସାଧକ।
ଭାରତ ବ୍ୟତୀତ ବିଭିନ୍ନ ଦେଶରେ ମଧ୍ୟ ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯାଏ। ଚୀନ୍, ନେପାଳ, ସିଙ୍ଗାପୁର, ଭିଏତନାମ, ଥାଇଲ୍ୟାଣ୍ଡ, ଜାପାନ, କାମ୍ବୋଡିଆ, ମାଲେସିଆ, ଶ୍ରୀଲଙ୍କା, ମିଆଁମାର, ଇଣ୍ଡୋନେସିଆ ପ୍ରମୁଖ ଦେଶରେ ଖୁବ୍ ଧୁମଧାମରେ ପାଳିତ ହୁଏ ବୁଦ୍ଧ ପୂର୍ଣ୍ଣିମା। ବୁଦ୍ଧ ପୂର୍ଣ୍ଣିମାକୁ ମଧ୍ୟ ଚନ୍ଦନ ପୂର୍ଣ୍ଣିମା କୁହାଯାଏ।