Advertisment

ଫସଲ କ୍ଷତି ତାଲିକା: କାହିଁକି ନାହିଁ ‘ମାଙ୍କଡ଼’?

ହାତୀ ବାରହା ଯୋଗୁଁ ଫସଲ କ୍ଷତି ହେଲେ କ୍ଷତିପୂରଣ ମିଳୁଛି, ମାଙ୍କଡ଼ ପାଇଁ କାହିଁକି ନୁହେଁ ବୋଲି ଚାଷୀମାନେ ପ୍ରଶ୍ନ କରୁଛନ୍ତି।

monkey menace

monkey menace

Advertisment

ଫସଲ ଓ ପନିପରିବା ନଷ୍ଟ କରିଚାଲିଛନ୍ତି ମାଙ୍କଡ଼। ମାଙ୍କଡ଼ ପଲ ଚାଷୀଙ୍କ ନିଦ ହଜାଇ ଦେଉଛନ୍ତି। କ୍ଷତି ହେଉଛି ଚାଷ ଓ ଫସଲ। ମାଙ୍କଡ଼ ପଲ ଜଗିବା ପାଇଁ ବିଲ ବାଡ଼ିରେ ଦିନ ରାତି ପଡ଼ି ରହିବା କଷ୍ଟକର ହୋଇଛି। ଏପରିକି କିଛି ଚାଷୀ ବନ୍ଧୁବାନ୍ଧବ ଘରକୁ ବି ଯାଇପାରୁନାହାନ୍ତି। ଗଞ୍ଜାମ ଆସିକା ଅଂଚଳରେ ଲୋକେ ଠେଙ୍ଗା, ବାଟୁଳି ଧରି ମାଙ୍କଡ଼ଙ୍କୁ ବାରମ୍ବାର ଗୋଡ଼ାଇଲେ ବି କିଛି ଲାଭ ହେଉ ନାହିଁ। ମାଙ୍କଡ଼ ପଲ ଗାଁ ଗାଁରେ ପଶି ପୋଟଳ, ଆୁଳ, ପିଆଜ, କଦଳୀ, ମୁଗ, ବିରି ଓ କଲରା ମଧ୍ୟ ଖାଇଯାଉଛନ୍ତି। ହାତୀ ବାରହା ଯୋଗୁଁ ଫସଲ କ୍ଷତି ହେଲେ କ୍ଷତିପୂରଣ ମିଳୁଛି, ମାଙ୍କଡ଼ ପାଇଁ କାହିଁକି ନୁହେଁ ବୋଲି ଚାଷୀମାନେ ପ୍ରଶ୍ନ କରୁଛନ୍ତି। ଏମିତି ହେଲେ କାହିଁକି ଚାଷ କରିବୁ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ। ସାରା ଓଡ଼ିଶାରେ ଏଭଳି ଅବସ୍ଥା ଦେଖାଦେଇଛି।

Advertisment

ଜଙ୍ଗଲୀ ଓ ବୁଲା ପଶୁଙ୍କୁ ନିୟନ୍ତ୍ରଣ କରି ଫସଲ ହାନି କମାଇବା ରାଜ୍ୟ ସରକାରଙ୍କ ଦାୟିତ୍ବ। ସଂସଦରେ ଏକଥା କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଫେବ୍ରୁଆରୀ ୩ ତାରିଖରେ ରାଜ୍ୟସଭାରେ ଉତ୍ତର ଦେଇ ତୋମାର କହିଛନ୍ତି- ଜଙ୍ଗଲୀ ପଶୁଙ୍କ ଦାଉରୁ ଫସଲ ରକ୍ଷା କରିବା ଓ କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାରମାନେ ଯୋଜନା ତିଆରି କରିଥାନ୍ତି। ଏଥିପାଇଁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ବି ପରିବେଶ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟକୁ ଆର୍ଥିକ ସହାୟତା ଦେଇଥାଏ।

ରାଜ୍ୟ ସରକାରମାନେ କେବଳ ତାରବାଡ଼ ବା ଟ୍ରେଞ୍ଚ ନ କରି ହାତୀ, ବାରହା ଭଳି ଜୀବଜନ୍ତୁଙ୍କୁ ପାଇଁ ପ୍ରାକୃତିକ ଓ କୃତ୍ରିମ ଜଳାଶୟ ତିଆରି କରିବା, ବିଭିନ୍ନ ସ୍ଥାନରେ ଅତିରିକ୍ତ ଖାଦ୍ୟ ବ୍ୟବସ୍ଥା ବି କରିଥାନ୍ତି। ଫସଲ ହାନି ହେଉ କି ଜୀବନ ହାନି ଅନୁକମ୍ପାମୂଳକ ସହାୟତା ବି ଦିଅନ୍ତି। ରାଜ୍ୟ ସରକାର ଫସଲ କ୍ଷତିକରୁଥିବା ଜୀବଜନ୍ତୁଙ୍କୁ ବିଜ୍ଞପିତ ଜଙ୍ଗଲୀ ଜନ୍ତୁ ତାଲିକାରେ ଯୋଡ଼ିପାରିବେ ଓ ସେମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କ୍ଷତିପୂରଣ ପାଇପାରିବେ। ଦେଖାଯାଉଛି, ତେଲେଙ୍ଗାନା ଭଳି କିଛି ରାଜ୍ୟ ମାଙ୍କଡ଼କୁ ବି ତାଲିକାରେ ଯୋଡ଼ିଛନ୍ତି। ମାତ୍ର ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ କିଛି ନକରିବାରକୁ କ୍ଷୋଭ ପ୍ରକାଶ କରିଛନ୍ତି କୃଷକ ନେତା ଶେଷଦେବ ନନ୍ଦ। ଏ ନେଇ ଆମେ କୃଷି ଓ ଜଙ୍ଗଲ ମନ୍ତ୍ରୀଙ୍କଠାରୁ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ମିଳିପାରିନଥିଲା।

Advertisment

ରିପୋର୍ଟ: ଆସିକାରୁ ମନୋଜ ମୁନି ଓ ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋ

Odisha Agriculture
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe