କାହାସ୍ୱାର୍ଥରେ ବଗଲାକୁ ଲଜ୍‌ ମାଲିକଙ୍କୁ ବିକ୍ରି କରାଗଲା?

ପୁରୀ (ଓଡ଼ିଶା ରିପୋର୍ଟର): ଯାତ୍ରୀ ଜାଣିବାକୁ ଚାହୁଁଛି କାହିଁକି ଶାଗ ମାଛ ଦରରେ ବିକୁଛ ବଗଲା ଧର୍ମଶାଳା ଜମି? ବଡ଼ଦାଣ୍ଡରେ ଏକମାତ୍ର ସରକାରୀ ଧର୍ମଶାଳା ନିଶ୍ଚିହ୍ନ ହୋଇଗଲେ, ଆଗକୁ ସ୍ୱଳ୍ପ ମୂଲ୍ୟରେ କେଉଁଠି ରହିବେ ଯାତ୍ରୀ ଓ ଭକ୍ତ? ସହରରେ ବହୁ ସରକାରୀ ଜମି ଥାଇ ଶହେ ବର୍ଷ ତଳୁ ଦାନ ସୂତ୍ରରେ ମିଳିଥିବା ଏହି ପୁରାତନ ଧର୍ମଶାଳା ଜମିକୁ ଖଣ୍ଡ ଖଣ୍ଡ କରି ଲଜ ମାଲିକଙ୍କୁ ଜିଲ୍ଲାପାଳ କାହା ସ୍ୱାର୍ଥରେ ବିକ୍ରି କରୁଛନ୍ତି? ଏମିତି ଅନେକ […]

bagala-dharmasala

bagala-dharmasala

Manoranjan Sial
  • Published: Friday, 21 August 2020
  • Updated: 21 August 2020, 08:01 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଯାତ୍ରୀ ଜାଣିବାକୁ ଚାହୁଁଛି କାହିଁକି ଶାଗ ମାଛ ଦରରେ ବିକୁଛ ବଗଲା ଧର୍ମଶାଳା ଜମି? ବଡ଼ଦାଣ୍ଡରେ ଏକମାତ୍ର ସରକାରୀ ଧର୍ମଶାଳା ନିଶ୍ଚିହ୍ନ ହୋଇଗଲେ, ଆଗକୁ ସ୍ୱଳ୍ପ ମୂଲ୍ୟରେ କେଉଁଠି ରହିବେ ଯାତ୍ରୀ ଓ ଭକ୍ତ? ସହରରେ ବହୁ ସରକାରୀ ଜମି ଥାଇ ଶହେ ବର୍ଷ ତଳୁ ଦାନ ସୂତ୍ରରେ ମିଳିଥିବା ଏହି ପୁରାତନ ଧର୍ମଶାଳା ଜମିକୁ ଖଣ୍ଡ ଖଣ୍ଡ କରି ଲଜ ମାଲିକଙ୍କୁ ଜିଲ୍ଲାପାଳ କାହା ସ୍ୱାର୍ଥରେ ବିକ୍ରି କରୁଛନ୍ତି? ଏମିତି ଅନେକ ପ୍ରଶ୍ନର ଜବାବ ମାଗି ଆଜି ବିକ୍ଷୋଭକୁ ଓହ୍ଲାଇଛି ପୁରୀ ଜିଲ୍ଲା ବିଜେପି।

ଦଳ ଅଭିଯୋଗ କରିଛି, ଶ୍ରୀମନ୍ଦିର ଚୌହଦିର ୭୫ ମିଟର ପରିଧିରେ ଉଚ୍ଛେଦ ବେଳେ ବହୁ ସାଧାରଣ ପରିବାର ଓ କ୍ଷୁଦ୍ର ବ୍ୟବସାୟୀଙ୍କ ବାସ ଏବଂ ବେଉସା ଉଜୁଡିଛି। ହେଲେ ସେମାନଙ୍କ ସ୍ୱାର୍ଥ କଥା ଚିନ୍ତା କରିନି ଜିଲ୍ଲା ପ୍ରଶାସନ। ବରଂ କୋଭିଡ ମହାମାରୀ ଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ଜିଲ୍ଲାପାଳ ୬ ଜଣ ଲଜ ମାଲିକଙ୍କୁ ବଗଲା ଧର୍ମଶାଳା ଜମି ବିକ୍ରି କରିବା ଅତ୍ୟନ୍ତ ନିନ୍ଦନୀୟ। ଏମିତିକି ଶ୍ରୀକ୍ଷେତ୍ରର ଏହି ଅସ୍ମିତାର ସୁରକ୍ଷା ଲାଗି କେନ୍ଦ୍ର ସରକାର ପ୍ରସାଦ ଯୋଜନାରେ ଅନୁଦାନ ଦେଇଥିଲେ ମଧ୍ୟ ତାଙ୍କ ବିନା ଅନୁମତିରେ ବିକ୍ରି କରାଯିବା ସମ୍ପୂର୍ଣ୍ଣ ବେଆଇନ୍ ବୋଲି ଦଳ କହିଛି। ସେହିପରି ବଗଲା ଜମି ବିକ୍ରିକୁ ବିରୋଧ କରି ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ପୁରୀ ଯୁବ ଆଇନଜୀବୀ ସଂଘ ମଧ୍ୟ ଜୋରଦାର ବିକ୍ଷୋଭ କରିଛି। ବିକ୍ରି ଜମିକୁ ତୁରନ୍ତ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ସେପଟେ ୧୯୦୫ ମସିହାରୁ ଜଣେ ବଦାନ୍ୟ ବ୍ୟକ୍ତିଙ୍କଠାରୁ ଦାନ ସୂତ୍ରରେ ମିଳିଥିବା ବଗଲା ଧର୍ମଶାଳା ଜମିକୁ ଜିଲ୍ଲାପାଳ ବିକ୍ରି କରିବା ସମ୍ପୂର୍ଣ୍ଣ ବେଆଇନ ବୋଲି ପୁଣି ଦୋହରାଇଛନ୍ତି ସାମାଜିକକର୍ମୀ ଜଗନ୍ନାଥ ବସ୍ତିଆ। ପୂର୍ବରୁ ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଥିବା ବସ୍ତିଆ ଗତକାଲି ପୁଣି ଏକ ମିସ୍‌କେଶ ଦାଖଲ କରିଛନ୍ତି। ଯେଉଁଥିରେ ମାମଲାର ଶୁଣାଣି ଏକ ଖଣ୍ଡପୀଠରେ କରିବାକୁ ନିବେଦନ କରିବା ସହ ବିଚାର ନସରିବା ଯାଏଁ ଉକ୍ତ ଜମି ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଆବେଦନ କରିଛନ୍ତି। ଯାହା ଫଳରେ ଜିଲ୍ଲାପାଳ ବାକି ପ୍ଲଟ୍‌ ଗୁଡ଼ିକୁ ବିକ୍ରି କରିପାରିବେ ନାହିଁ। ତେଣେ ବଗଲା ମାମଲା ଅଧିକ ବିବାଦୀୟ ହେବା ପରେ ଦୁଇ ଦିନ ତଳେ ପ୍ରତିକ୍ରିୟା ରଖି ପୁରୀ ଏଡିଏମ୍ ବିନୟ କୁମାର ଦାସ କହିଥିଲେ, ଲଜ୍ ମାଲିକଙ୍କୁ ଜିଲ୍ଲାପାଳ କରିଥିବା ବିକ୍ରି କବଲା ରାଜ୍ୟ ସରକାରଙ୍କ ଅନୁମତିରେ ହୋଇଛି। ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକ୍ରମେ ଖୋଦ ଶାସକଦଳର ଟାଣୁଆ ନେତା ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ମଧ୍ୟ ବଗଲା ଜମି ବିକ୍ରି ନିଷ୍ପତ୍ତିର ପୁନର୍ବିଚାର ହେଉ ବୋଲି କହିଥିଲେ।

ପୁରାତନ ବଗଲା ଧର୍ମଶାଳା ଜମି, ଲଜ୍ ମାଲିକଙ୍କୁ ବିକ୍ରି ନେଇ ବଢୁଥିବା ବିବାଦ ଓ ବିକ୍ଷୋଭ ପରେ ଏବେ ଅପେକ୍ଷା-ଆଗକୁ କି ନିଷ୍ପତ୍ତି ନେଉଛନ୍ତି ଉଭୟ ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos