Advertisment

ନବୀନ ସରକାରକୁ ଜଣେ ବିଧବାଙ୍କ ଗୁହାରୀ; ଆମକୁ ବଞ୍ଚିବା ପାଇଁ ଟିକେ ଧ୍ୟାନ ଦିଅନ୍ତୁ

ଯୌବନରେ ଅଫେରା ପଥରେ ଚାଲିଗଲେ ଶ୍ୟାମ। ଆଉ ଲିଭିଗଲା ଆଲମିଙ୍କ ମଥାର ସିନ୍ଦୂର। ଅସହାୟ ହୋଇପଡ଼ିଲେ ଆଲମି। ଦୁଃଖର ପାହାଡ଼ ଉପରେ ନିଜକୁ ଖୋଜିଲେ ଓ ପିଲାଛୁଆଙ୍କ ଭାଗ୍ୟ ଏବଂ ଭବିଷ୍ୟତ ଗଢ଼ିବା ପାଇଁ ଚାରି କାନ୍ଥ ଭିତରୁ ଗୋଡ଼ କାଢ଼ିଲେ।

ଅଦ୍ୟତନ ହୋଇଛି
Mohana

Mohana

Advertisment

ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା କରୁଥିବା ନବୀନ ସରକାରଙ୍କୁ ଜଣେ ବିଧାବା ଗୁହାରୀ କରୁଛନ୍ତି। ଆଉ କହୁଛନ୍ତି, ଆମକୁ ଘର ଦିଅନ୍ତୁ… ଚାଉଳ ଦିଅନ୍ତୁ… ବଞ୍ଚିବା ପାଇଁ ଟିକେ ଧ୍ୟାନ ଦିଅନ୍ତୁ। ଦାରିଦ୍ର୍ୟର ଏପରି ଦାରୁଣ ଚିତ୍ର ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକରୁ।

Advertisment

ମାଟିଝାଟିର ବଖରାଏ ଘରେ ଜୀବନ ସହ ସଂଘର୍ଷ କରୁଥିଲେ ପାଦ୍ରୀମା ଗାଁର ଶ୍ୟାମ ବେହେରା। କାମଦାମ କରି ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ଯେଉଁ ପରିବାରରେ ପତ୍ନୀ ଆଲମି ବେହେରା, ୩ ପୁଅ ଓ ଝିଅ ଅଛନ୍ତି। ପୁଅ ସବୁଠାରୁ ବଡ଼। ପ୍ରୟା ୧୧ ବର୍ଷ ହେବ। ସେ ଓ ତା’ ତଳ ଭାଇ ଗାଁ ସ୍କୁଲରେ ପାଠ ପଢ଼ୁଛନ୍ତି। ନିଜ ରୋଜଗାରରେ ପରିବାର ଚଳାଇବା ସହ ପିଲାଙ୍କୁ ପାଠ ପଢ଼ାଉଥିଲେ ଶ୍ୟାମ୍‌। ହେଲେ କାହାର ନଜର ଲାଗିଲା ତାଙ୍କ ଉପରେ। ରୋଗରେ ଆକ୍ରାନ୍ତ ହୋଇ ଦୁଇ ମାସ ତଳେ ଆଖି ବୁଜିଲେ ଶ୍ୟାମ।

ଯୌବନରେ ଅଫେରା ପଥରେ ଚାଲିଗଲେ ଶ୍ୟାମ। ଆଉ ଲିଭିଗଲା ଆଲମିଙ୍କ ମଥାର ସିନ୍ଦୂର। ଅସହାୟ ହୋଇପଡ଼ିଲେ ଆଲମି। ଦୁଃଖର ପାହାଡ଼ ଉପରେ ନିଜକୁ ଖୋଜିଲେ ଓ ପିଲାଛୁଆଙ୍କ ଭାଗ୍ୟ ଏବଂ ଭବିଷ୍ୟତ ଗଢ଼ିବା ପାଇଁ ଚାରି କାନ୍ଥ ଭିତରୁ ଗୋଡ଼ କାଢ଼ିଲେ। ପିଲାଙ୍କ ମୁହଁରେ ଦାନା ଦେବା ପାଇଁ କୁଲି ଲାଗିବାକୁ ଗଲେ। ମାଆର ମମତାକୁ କାନିରେ ବାନ୍ଧି ବର୍ଷକର ଝିଅକୁ ଭାଇମାନଙ୍କ କୋଳରେ ଛାଡ଼ି ସଂଘର୍ଷର ନୂଆ କାହାଣୀ ଲେଖିବା ପାଇଁ ଚାଲିଗଲେ ଆଲ୍‌ମି। କାମରେ ମନ ଲାଗୁନଥିଲେ ମଧ୍ୟ ପିଲାଙ୍କ ମୁହଁକୁ ଚାହିଁ ସବୁ କଷ୍ଟ ସହିଯାଉଥିଲେ।

Advertisment

କୁଲି କାମରୁ ଯାହା ରୋଜଗାର କରୁଥିଲେ, ସେଥିରେ ପିଲାଙ୍କ ମୁହଁରେ ଦାନା ଦେଉଥିଲେ ଆଲ୍‌ମି। ଆଉ ଯେଉଁଦିନ କାମ ମିଳୁନଥିଲା, ସେଦିନ କଥା ସରିଲା। ଭୋକିଲା ପେଟରେ ପାଣି ପିଇ ଶୋଇବାକୁ ପଡ଼ୁଥିଲା। ଏପରି ଜଣେ ଅସହାୟ ଓ ଗରିବ ବିଧବାଙ୍କ ପ୍ରତି ସରକାରୀ ଯୋଜନା ଯେପରି ସାତ ସପନ। ଆଜି ପର୍ଯ୍ୟନ୍ତ ଆଲ୍‌ମି ଓ ତାଙ୍କ ପିଲାଙ୍କର ଆଧାରକାର୍ଡ ହୋଇନି। ତେଣୁ ରାସନ୍‌ ସାମଗ୍ରୀ ମିଳୁନି। ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ମିଳିନଥିବାରୁ ଦୟନୀୟ ଜୀବନ ବିତାଉଛନ୍ତି। କୁକୁଡ଼ା ଭାଡ଼ି ପରି ଘର ଭିତରେ ଜୀବନ ଜିଉଁଛନ୍ତି ୫ ପ୍ରାଣୀ କୁଟୁମ୍ୱ।

ଚାଉଳ ଓ ଆବାସ୍‌ ଯୋଜନାରେ ଘର ଖଣ୍ଡିଏ ଦେବା ପାଇଁ ଆଲ୍‌ମି ବହୁବାର ପ୍ରଶାସନକୁ ଗୁହାରୀ କରିଛନ୍ତି। ମାତ୍ର ତାଙ୍କ କଥା କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି। ପ୍ରଶାସନଠାରୁ ନିରାଶ ହୋଇ ଅସହାୟ ଅବସ୍ଥାରେ ନିଜ ଭଙ୍ଗା ଦଦରା ଘରେ କାଳାତିପାତ କରୁଛନ୍ତି ଆଲ୍‌ମି।

ଆଲ୍‌ମି କହିଛନ୍ତି, “ସ୍ୱାମୀ ମରିଗଲା ପରେ ଆମେ ବହୁ କଷ୍ଟରେ ରହୁଛି। ଗୋଟିଏ ଛୁଟିଆ ଘରେ ପାଲ ଟାଣି ରହୁଛୁ। ସେଇଠି ଖାଉଛି, ସେଇଠି ରହୁଛୁ। ଆଧାର କାର୍ଡ଼ ଓ ରାସନ୍‌ କାର୍ଡ଼ ନାହିଁ। ଚାଉଳ ଓ ବିଧବା ଭତ୍ତା ମିଳୁନି।”

ଲୁହାଗୁଡି ପଞ୍ଚାୟତର ସରପଞ୍ଚ କୈଳାସ ବଡରଇତ କହିଛନ୍ତି, ଆଲ୍‌ମିଙ୍କ ଅସହାୟ ଅବସ୍ଥା ଦେଖି ୫୦ କେଜି ଚାଉଳ ଦେବା ସହ ମୁଣ୍ଡ ଗୁଞ୍ଜିବା ପାଇଁ ପଲଥିନ୍‌ ଦେଇଛି। ଆଗକୁ କିଭଳି ରାସନ୍ ଚାଉଳ, ଭତ୍ତା ଓ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ, ସେ ନେଇ ପଦକ୍ଷେପ ଗ୍ରହଣ ନିଆଯିବ ବୋଲି ସରପଞ୍ଚ କହିଛନ୍ତି।

ରିପୋର୍ଟ- ମୋହନାରୁ ମିହିର ଜତି

Odisha Paralakhemundi Gajapati District
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe