
Bobby Das with Subrat Chhatoi(Left 1st) Chandan mallick with Rabi jena(Middle), Chandan with Bobby Das
ଓଡ଼ିଶା ପୁଲିସ ଏସଆଇ ପରୀକ୍ଷା ନିଯୁକ୍ତି ଦୁର୍ନୀତିରେ କ୍ରାଇମବ୍ରାଂଚର ତଦନ୍ତ ଶୈଳୀକୁ ନେଇ ପ୍ରଶ୍ନ ଉଠିଛି । ଶାସକ ଦଳର ଦମ୍ଭୋକ୍ତି ସତ୍ତ୍ୱେ କ୍ରାଇମବ୍ରାଂଚ ଯେଉଁ ଢଙ୍ଗରେ ତଦନ୍ତ କରୁଛି ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଛାଡ଼ି ଉଦ୍ଦେଶ୍ୟମୂଳକ ଭାବେ ସମୟ ଗଡ଼ାଇବାରେ ଲାଗିଛି ତାହା ଏବେ ତଦନ୍ତକୁ ବାଟବଣା କରିଥିବା ଜଣାପଡ଼ିଛି । ଆନ୍ଧ୍ରପ୍ରଦେଶ ଯାଉଥିବା ଗିରଫ ୧୧୪ଜଣ ପରୀକ୍ଷାର୍ଥୀମାନଙ୍କୁ ଲାଂଚ ଦେବା ପାଇଁ ପ୍ରବର୍ତ୍ତାଇଥିବା ‘ବଣିକ’ ସମେତ ୧୪ଟି କୋଚିଂ ସେଂଟରର ନାଁ ପଦାକୁ ଆସିଛି । ଏପରିକି ସରକାରୀ ଚାକିରି ଅନିୟମିତତାକୁ ନେଇ ପୂର୍ବରୁ ‘ବଣିକ’ ଓ ତା’ର ମାଲିକ ସୁବ୍ରତ ଛାଟୋଇଙ୍କ ନାଁରେ ଏକାଧିକ ଅଭିଯୋଗ ଥିବା ଏବଂ ଏବେ ଗିରଫ ୧୭ଜଣ ପରୀକ୍ଷାର୍ଥୀଙ୍କୁ ‘ବଣିକ’ ପକ୍ଷରୁ ଯୋଗାଯୋଗ କରାଯାଇଥିବାର ପ୍ରମାଣ ରହିଥିଲେ ମଧ୍ୟ କ୍ରାଇମବ୍ରାଂଚ ତାଙ୍କୁ ସାମାନ୍ୟତମ ପଚରାଉଚୁରା ନକରିବା ଏହି ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ସରକାରୀ ଚାକିରି ନିଯୁକ୍ତି ଦୁର୍ନୀତିର ସିଣ୍ଡିକେଟରେ କେବଳ ସୁବ୍ରତ ଛାଟୋଇ ନୁହଁନ୍ତି ଗଞ୍ଜାମର ଶଙ୍କର ପୃଷ୍ଟିଙ୍କଠୁ ବାଲେଶ୍ୱରର ଚନ୍ଦନ ମଲ୍ଲିକଙ୍କ ପର୍ଯ୍ୟନ୍ତ ବହୁ ବିଜେଡି ନେତାଙ୍କ ସମ୍ପୃକ୍ତିର ପ୍ରମାଣ ଏବେ ଧୀରେଧୀରେ ପଦାକୁ ଆସିବାରେ ଲାଗିଥିବା ଜଣାପଡ଼ିଛି ।
‘ବଣିକ’ ସମେତ ୧୪ କୋଚିଂ ସେଂଟର
ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା(Odisha Police SI Scam)ରେ ଲାଂଚ ଦେବା ଅଭିଯୋଗରେ ଗିରଫ ହୋଇଥିବା ୧୧୪ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୬ଜଣଙ୍କୁ ‘ବଣିକ’ ସମେତ ୧୪ଟି କୋଚିଂ ସେଂଟର ଯୋଗାଯୋଗ କରିଥିବା ସେମାନେ କ୍ରାଇମବ୍ରାଂଚକୁ ସୂଚନା ଦେଇଛନ୍ତି । କେବଳ ସୁବ୍ରତ ଛାଟୋଇଙ୍କ ବିଭିନ୍ନ ସ୍ଥାନରେ ଥିବା କୋଚିଂ ସେଂଟର ‘ବଣିକ’ ପକ୍ଷରୁ ୧୭ଜଣ ପରୀକ୍ଷାର୍ଥୀଙ୍କୁ ଯୋଗାଯୋଗ ହୋଇଥିଲା । ରାକେଶ ଗୌଡ଼ା, ତାପସ କୁମାର, ଜଗନ, ଦିବ୍ୟଜ୍ୟୋତି ବେହେରା ଓ ପିଲୁ ନନାଙ୍କ ଭଳି ଦଲାଲମାନେ ‘ବଣିକ’ ପକ୍ଷରୁ ୧୭ଜଣ ପରୀକ୍ଷାର୍ଥୀଙ୍କୁ ଯୋଗାଯୋଗ କରିଥିବା ଜଣାପଡ଼ିଛି । ମାତ୍ର କ୍ରାଇମବ୍ରାଂଚ ଏପର୍ଯ୍ୟନ୍ତ ‘ବଣିକ’ ପାଖରେ ପହଂଚି ପାରିନାହିଁ । କେବଳ ‘ବଣିକ’ ନୁହେଁ, ପରୀକ୍ଷାର୍ଥୀଙ୍କ ସହ ଯୋଗାଯୋଗ କରିଥିବା ଅନ୍ୟ କୋଚିଂ ସେଂଟର ମଧ୍ୟରେ ମହିନ୍ଦ୍ରା କୋଚିଂ, ସାମନ୍ତରାୟ ଏକାଡେମୀ, ଅବିନାଶ ପାଠଶାଳା, ପ୍ରିୟଦମ୍ବା କୋଚିଂ ସେଂଟର, ଆୟନ ଏକାଡେମୀଙ୍କ ନାଁ ରହିଥିବା କ୍ରାଇମବ୍ରାଂଚ ସୂତ୍ରରୁ ସୂଚନା ମିଳିଛି । ଏହି ୧୧୪ଜଣ ପରୀକ୍ଷାର୍ଥୀଙ୍କୁ ଚାକିରି ପାଇଁ ପ୍ରଭାବିତ କରିଥିବା ଦଲାଲଙ୍କ ମଧ୍ୟରେ ରାକେଶ ଗୌଡ଼, ତାପସ କୁମାର, ପିଲୁ ନନା, ଜଗନ, ଦିବ୍ୟଜ୍ୟୋତି ବେହେରା, ମୁନା ଭାଇ, ମୁନା ମହାନ୍ତି, ଅଭିଷେକ, ବିବେକ ସାହୁ, ପ୍ରକାଶ ଦାସ, ଶାନ୍ତନୁ ଓ ସରୋଜ ପ୍ରମୁଖ ରହିଛନ୍ତି।
‘ବଣିକ’ର ସ୍ଲୋଗାନ, ଦିନରେ ଲଣ୍ଠନ ଦେଖାଇବା ସଦୃଶ
ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ମାଲିକାନାରେ ଥିବା କୋଚିଂ ସେଂଟର ‘ବଣିକ’ର ଏକ ଅଜବ ସ୍ଲୋଗାନ ଏବେ ଚର୍ଚ୍ଚାକୁ ଆସିଛି । ବିଜେଡି ଶାସନ କାଳରେ ଏହି ‘ବଣିକ’ ରାଜ୍ୟରେ ବିଭିନ୍ନ ଭାଗରେ ଏକାଧିକ ଶାଖା ଖୋଲିବା ସହ “ବଣିକରେ ପଢ଼ନ୍ତୁ, ସରକାରୀ ଚାକିରି ପାଆନ୍ତୁ” ଭଳି ସ୍ଲୋଗାନ ଦେଇ କୋମଳମତି ପିଲାମାନଙ୍କୁ ଖୋଲାଖୋଲି ଭ୍ରମିତ କରୁଥିଲା । ରାଜ୍ୟର ଅନ୍ୟ କୋଚିଂ ସେଂଟରଗୁଡ଼ିକ ତୁଳନାରେ ‘ବଣିକ’ର ଏହି ସ୍ଲୋଗାନର ଯଥାର୍ଥତା ମଧ୍ୟ ବିଜେଡି ଶାସନ ସମୟରେ ପରିଲକ୍ଷିତ ହୋଇଥିଲା । ବିଜେଡି ଶାସନ କାଳରେ ଆସିଷ୍ଟାଂଟ ସେକ୍ସନ ଅଫିସର(ଏଏସଓ) ନିଯୁକ୍ତିରେ ଦୁର୍ନୀତିର ଅଭିଯୋଗ ‘ବଣିକ’ ବିରୁଦ୍ଧରେ ଆସିଥିଲେ ମଧ୍ୟ କିଛି ପ୍ରଭାବ ପଡ଼ିନଥିଲା। ଏବେ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷାରେ ଗିରଫ ୧୭ଜଣ ପରୀକ୍ଷାର୍ଥୀ ସିଧାସଳଖ ‘ବଣିକ’ର ନାଁ ନେବା ପରେ ସେ ଦେଉଥିବା ‘ସରକାରୀ ଚାକିରିର ଗ୍ୟାରେଂଟି’ର ଅସଲ ସୂତ୍ର ପଦାକୁ ଆସିଛି । ‘ବଣିକ’ର ଲକ୍ଷାଧିକ ଟଙ୍କା ଟିକସ ଫାଙ୍କି ହେଉ ଅବା କଳାଟଙ୍କା ରଖିବା ଅଭିଯୋଗରେ ୨୦୨୩ ମାର୍ଚ୍ଚରେ କେନ୍ଦ୍ରୀୟ ଜିଏସଟି ଏବଂ ୨୦୨୪ ଏପ୍ରିଲରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ହୋଇଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ସେସବୁ ଚପାଇ ଦିଆଯାଇଥିଲା । କେହି କିଛି ଟେର ପାଇନଥିଲେ। ବିଜେଡିର ପ୍ରଭାବଶାଳୀ ନେତା ପ୍ରଣବପ୍ରକାଶ ଦାସଙ୍କ ସହ ସୁବ୍ରତ ଛାଟୋଇଙ୍କର ସିଧାସଳଖ ବ୍ୟବସାୟିକ ସମ୍ପର୍କ ରହିଛି । ଏବେ ସମ୍ଭବତଃ ସୁବ୍ରତ ଛାଟୋଇଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ କ୍ରାଇମବ୍ରାଂଚ(Crime Branch Investigation) ତାଙ୍କୁ କିମ୍ବା ତାଙ୍କର ସଂସ୍ଥାର କୌଣସି ପଦାଧିକାରୀଙ୍କୁ ଛୁଉଁନଥିବା ଚର୍ଚ୍ଚା ହେଉଛି ।
ପରୀକ୍ଷା ନିଯୁକ୍ତି ଦୁର୍ନୀତି ସିଣ୍ଡିକେଟରେ ଏକାଧିକ ବିଜେଡି ନେତା
ପୁଲିସ ଏସଆଇ ପରୀକ୍ଷା ନିଯୁକ୍ତି ଅନିୟମିତତାରେ ଫେରାର ଥିବା ଶଙ୍କର ପୃଷ୍ଟି ଗତ ଏକ ଦଶନ୍ଧି (୨୦୧୩ରୁ ୨୦୨୪ ମସିହା )ଧରି ସିଧାସଳଖ ବିଜେଡିର ରାଜନୀତିକ ସୁରକ୍ଷା ବଳୟ ମଧ୍ୟରେ ରହିଥିଲା । ଗଞ୍ଜାମ ବିଜେଡି ରାଜନୀତି ସହ ଜଡ଼ିତ ନେତାମାନଙ୍କ ଛତ୍ରଛାୟାରେ ରହି ଗଜପତି ଚାକିରି ଦୁର୍ନୀତି (୨୦୧୩ ମସିହା), ହିଞ୍ଜିଳି ହତ୍ୟା ମାମଲା (୨୦୧୭) ଏବଂ ଜାଲ୍ ପ୍ରମାଣପତ୍ର ଠକେଇ (୨୦୨୩) ଭଳି ତିନୋଟି ଗୁରୁତର ମାମଲାରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ବରଂ ତାଙ୍କ ମାମଲାକୁ ରଫାଦଫା କରିବା ପାଇଁ କୋର୍ଟରେ କମ୍ପରମାଇଜିଂ ପିଟିସନ ଦାଖଲ ହେଉଥିଲା ତ ସାକ୍ଷୀମାନଙ୍କୁ ପ୍ରଭାବିତ କରାଯାଉଥିଲା । ବିଜେଡି ସରକାର ଦ୍ୱାରା ଶ୍ରୀ ପୃଷ୍ଟିଙ୍କୁ ଏକ ଦଶନ୍ଧି ଧରି ସୁରକ୍ଷା ହିଁ ଓଡ଼ିଶାରେ ନିଯୁକ୍ତି ମାଫିଆ ସିଣ୍ଡିକେଟଙ୍କ ଇକୋସିଷ୍ଟମକୁ ବଢ଼ିବାରେ ସହାୟତା କରିଥିଲା।
ଗିରଫ ହୋଇଥିବା ଦଲାଲ ଓ ଏଜେଂଟମାନଙ୍କ ମଧ୍ୟରେ ବିଜେଡି ସହ ସିଧାସଳଖ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ରହିଛନ୍ତି । ପରୀକ୍ଷାର୍ଥୀ ଭାବେ ଗିରଫ ହୋଇଥିବା ପ୍ରହଲ୍ଲାଦ ନାଗ ଓ ତାଙ୍କ ପତ୍ନୀ ମୁନକି ରାଜପାଲିଆଙ୍କର ବିଜେଡି ସହ ସମ୍ପର୍କ ରହିଛି। ମୁନକି ହେଉଛନ୍ତି ବଲାଙ୍ଗୀର ବିଜେଡିର ଜଣେ ଆଗଧାଡ଼ିର ନେତ୍ରୀ ଓ ଏବେ ସେ ବିଜେଡି ସମର୍ଥିତ ସମିତି ସଭ୍ୟ ମଧ୍ୟ ଅଛନ୍ତି।
ସେହିପରି ନୟାଗଡ଼ର ଖଣ୍ଡପଡ଼ା ଏନଏସିର ବିଜେଡି କାଉନସିଲର ଯତୀନ କୁମାର ଦଳାଇଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।
ଆଉ ଆଜି ବାଲେଶ୍ୱରର ବିଜେଡି ନେତା ଚନ୍ଦନ ମଲ୍ଲିକଙ୍କୁ କ୍ରାଇମବ୍ରାଂଚ ଉଠାଇ ନେଇଛି। ୨୦୨୪ ସାଧାରଣ ନିର୍ବାଚନରେ ସେ ରେମୁଣା ବିଧାନସଭା ଆସନରୁ ବିଜେଡି ଟିକେଟ୍ ପାଇଁ ଲବି କରୁଥିଲେ । ତାଙ୍କର ଘନିଷ୍ଠତା ବିଜେଡିର ପ୍ରଭାବଶାଳୀ ନେତା ପ୍ରଣବପ୍ରକାଶ ଦାସ(ବବି), ରବି ଜେନା ଓ ଅନ୍ୟମାନଙ୍କ ସହ ରହିଥିବା ଜଣାପଡ଼ିଛି । ସୋସିଆଲ ମିଡିଆରେ ତାଙ୍କର ଫଟୋ ମଧ୍ୟ ଏସବୁର ପ୍ରମାଣ ଦେଉଛି।
କେବଳ ସେତିକି ନୁହେଁ ଗତ ଦୁଇଦିନ ତଳେ କ୍ରାଇମବ୍ରାଂଚ ଗିରଫ କରିଥିବା ଅନ୍ୟଜଣେ ଦଲାଲ ଏସଏସବି ଯବାନ ବିଶ୍ୱରଞ୍ଜନ ବେହେରା ଦୀର୍ଘବର୍ଷ ଧରି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷାରେ ମୁତୟନ ହେଉଥିଲେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଓ କଂଗ୍ରେସ ଛାତ୍ର ନେତା ବିଭୂତିଭୂଷଣ ମହାପାତ୍ର ସିଧାସଳଖ ‘ବଣିକ’ ଓ ସୁବ୍ରତ ଛାଟୋଇଙ୍କ ନାଁ ନେଇ ବିଜେଡିକୁ ସମାଲୋଚନା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
