President Droupadi Murum will address the Odisha Assembly
ଓଡ଼ିଶା ବିଧାନସଭା ଇତିହାସରେ ନଭେମ୍ବର ୨୭ତାରିଖ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବାକୁ ଯାଉଛି । ପ୍ରଥମଥର ପାଇଁ ଦେଶର ରାଷ୍ଟ୍ରପତି ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବେ । ବିଧାନସଭା( Odisha Assembly)ର ଶୀତ ଅଧିବେଶନ ନଭେମ୍ବର ୨୭ରୁ ଆରମ୍ଭ ହୋଇ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ନଭେମ୍ବର ୨୮ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ମଧ୍ୟ ଗୃହରେ ଉପସ୍ଥାପିତ ହେବ । ବିଧାନସଭା ସଚିବାଳୟ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।
ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ୨୯ଦିନିଆ ଶୀତ ଅଧିବେଶନ
ସପ୍ତଦଶ ଓଡ଼ିଶା ବିଧାନସଭାର ପଂଚମ ଅଧିବେଶନ(ଶୀତ ଅଧିବେଶନ) ଆସନ୍ତା ୨୭ତାରିଖରୁ ଆରମ୍ଭ ହେବ । ଏହି ୨୯ଦିନିଆ ଅଧିବେଶନର ପ୍ରଥମ ଦିନରେ(President Droupadi Murmu) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅଭିଭାଷଣ ରଖିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ବିଧାନସଭା ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ଏଭଳି ସୁଯୋଗ ସୃଷ୍ଟି ହେବ । ବିଧାନସଭା ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧିତ କରିବେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ବିଧାନସଭା ଗସ୍ତକୁ ଦୃଷ୍ଟିରେ ରଖି ସେ ରାଜ୍ୟର ମନ୍ତ୍ରୀ ଥିବାବେଳେ ଯେଉଁ ଚାମ୍ବରରେ ବସୁଥିଲେ ତାକୁ ମଧ୍ୟ ସ୍ୱତନ୍ତ୍ର ଭାବେ ସାଜସଜ୍ଜା କରାଯାଉଥିବା ଜଣାପଡ଼ିଛି ।
ନଭେମ୍ବର ୨୮ରେ ପ୍ରଥମ ଅତିରିକ୍ତ ବଜେଟ୍
ଏହି ୨୯ଦିନିଆ ଅଧିବେଶନର ଦ୍ୱିତୀୟ ଦିନରେ ଅର୍ଥାତ୍ ନଭେମ୍ବର ୨୮ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବ । ଡିସେମ୍ବର ୮ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବାର କାର୍ଯ୍ୟକ୍ରମ ରହିଛି। ଡିସେମ୍ବର ୪, ୫ ଓ ୬ ତାରିଖରେ ଏହି ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ (ଅତିରିକ୍ତ ବଜେଟ୍) ଅନୁଦାନ ଦାବିଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ଓ ଭୋଟ୍ ଗ୍ରହଣ କରାଯିବ । ଡିସେମ୍ବର ୮ ତାରିଖରେ ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିବରଣୀ-୨୦୨୫-୨୬ର ବିନିଯୋଗ ବିଲ୍ ପାରିତ ହେବାର କାର୍ଯ୍ୟକ୍ରମ ରହିଛି ।
ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ଶୀତ ଅଧିବେଶନ
ଡିସେମ୍ବର ୮ତାରିଖରେ ଅତିରିକ୍ତ ବଜେଟ୍(ବ୍ୟୟମଞ୍ଜୁରୀ ବିଲ୍) ପାରିତ ହେବାପରେ ଗୃହରେ ସେଭଳି କୌଣସି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ରହିନଥିଲେ ମଧ୍ୟ ୧୫ଟି ଅଫିସିଆଲ ବିଜିନେସ୍ ରହିଛି । ସମ୍ଭବତଃ ସରକାର ଏହି ଅଧିବେଶନର ସରକାରୀ ଦିବସଗୁଡ଼ିକରେ କୌଣସି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯଦିଓ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଶୀତ ଅଧିବେଶନ ଚାଲିବ ବୋଲି କାର୍ଯ୍ୟସୂଚୀରେ ପ୍ରକାଶ ପାଇଛି ତଥାପି ବିରୋଧୀ ଓ ଶାସକ ଦଳ ଶୀତ ଅଧିବେଶନକୁ କେତେଦିନ ପର୍ଯ୍ୟନ୍ତ ଚଳାଇ ରଖିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us