ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ତମଣ୍ଡା ଗାଁରେ ଜଣେ ମହିଳାଙ୍କୁ ଦଳି ଦେଇଛି ଗୋଟିଏ ଦନ୍ତା (Elephant)। ମୃତ ମହିଳାଙ୍କ ନାଁ ସୁଷମା ପଧାନ।
ଆଜି ଭୋରରେ ସୁଷମା ତାଙ୍କ ସ୍ୱାମୀ ଗୁରୁବାରି ପଧାନ ଓ ୭ ବର୍ଷର ଝିଅ ସହିତ ଚାଲି ଚାଲି ଖୁଣ୍ଟୁଝରି ଗାଁକୁ ଯାଉଥିଲେ। ବାଟରେ ସେମାନେ ଏକ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ।
ହାତୀଟି ସୁଷମାଙ୍କୁ ଶୁଣ୍ଢରେ ଟାଣି ନେଇ ପାଦରେ ଦଳି ଦେଇଥିଲା। ସେହି ସମୟରେ ଗୁରୁବାରି ଓ ତାଙ୍କ ଝିଅ ଏକ ଗଛରେ ଚଢ଼ି ଯାଇଥିଲେ। ହାତୀ ସୁଷମାଙ୍କୁ ମାରି ସେଠାରୁ ଚାଲି ଯାଇଥିଲା।
ଖବର ପାଇ ଘଟଣାସ୍ଥଳରେ ଭାପୁର ଫାଣ୍ଡି ପୁଲିସ୍ ଓ ବନ କର୍ମଚାରୀ ପହଞ୍ଚିଥିଲେ।
ଫେବ୍ରୁଆରୀ ୨୮ ତାରିଖ ରାତି ପ୍ରାୟ ୧୧ଟା ବେଳେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନର ହୀରାପୁର ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତିଙ୍କ ନାଁ ବାହାଦୁଲା ଓରାମ। ତାଙ୍କ ଘର ମନୋହରପୁର ଗାଁରେ।
ପଶୁ-ମଣିଷ ଲଢ଼େଇରେ ଗଡୁଛି ମୁଣ୍ଡ
ବିଗତ ପାଞ୍ଚ ବର୍ଷରେ ରାଜ୍ୟରେ ମଣିଷ ଓ ପଶୁ ସଂଘର୍ଷରେ ୮୦୮ ଜଣ ମଣିଷଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦୬୦ ଜଣ ମଣିଷ ଆହତ ହୋଇଛନ୍ତି। ୧୬୧୯ ଗୋଟି ଗୃହ ପାଳିତ ପଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ହଜାର ୩୮୨ଟି ଘର ନଷ୍ଟ ହୋଇଛି। ତା’ ସହିତ ୯୩ ହଜାର ୯୯୩.୫୯ ଏକର ଫସଲ ନଷ୍ଟ ହୋଇଛି। ଏଥର ବଜେଟ୍ ଅଧିବେଶନରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ବିଧାନସଭାରେ ଏହି ଲିଖିତ ଉତ୍ତର ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ।
ବର୍ଷକରେ ମରିଛନ୍ତି ୧୧୪ ହାତୀ
ରାଜ୍ୟରେ ହାତୀ ଓ ମଣିଷ ଲଢ଼େଇ ଜାରି ରହିଥିବା ବେଳେ ଗତ ବର୍ଷକ ମଧ୍ୟରେ ମରିଛନ୍ତି ୧୧୪ଟି ହାତୀ। ଏଥର ବଜେଟ୍ ଅଧିବେଶନରେ ବିଧାନସଭାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ତଥ୍ୟ ଦେଇଛନ୍ତି। ସର୍ବାଧିକ ୪୨ଟି ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ବେଳେ ବିଭିନ୍ନ ରୋଗରେ ୨୯ଟି ହାତୀ ମରିଛନ୍ତି। ସେହିପରି ଶିକାରୀଙ୍କ ଦ୍ଵାରା ୬ଟି ହାତୀକୁ ହତ୍ୟା କରାଯାଇଥିବା ବେଳେ ଲୋକଙ୍କ ପ୍ରତିଶୋଧ ପରାୟଣ ପାଇଁ ୩ଟି ହାତୀ ଓ ରେଳ ଦୁର୍ଘଟଣାରେ ୪ଟି ହାତୀ ପ୍ରାଣ ହରାଇଛନ୍ତି। ସେହିପରି ପ୍ରାକୃତିକ କାରଣ ଯୋଗୁ ୧୭ଟି ମୃତ୍ୟୁ ଘଟିଛି। ପାହାଡ଼ରୁ ପଡ଼ି, ନଦୀ ନାଳରେ ପଡ଼ି ଓ ନିଜ ଭିତରେ କଳହ ହୋଇ ୧୩ଟି ହାତୀଙ୍କ ମୃତ୍ୟୁ ଘଟିଛି। ଅପ୍ରାକୃତିକ ହାତୀ ମୃତ୍ୟୁ ପାଇଁ ୯୩ ଜଣ ଲୋକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/03/elephant-2026-03-03-11-22-33.jpg)