
ଆସନ୍ତା ୨୦ତାରିଖରୁ ରାଜ୍ୟରେ ପ୍ରାୟ ୭୦ହଜାର ଠିକାଦାର ନିର୍ମାଣ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ରାଜ୍ୟର ୩ଟି ପ୍ରମୁଖ ଠିକାଦାର ସଂଘ ମିଳିତ ଭାବେ ଏହି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଥିବାରୁ ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।
ଓଡ଼ିଶା ଠିକାଦାର ମହାସଂଘର ମିଳିତ ମଂଚ ପକ୍ଷରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମଂଚର ଆବାହକ ଅନୀଲ କୁମାର ମହାଲିକ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିକଟରେ ୮ଦଫା ସମ୍ବଳିତ ଦାବି ଉପସ୍ଥାପନ କରାଯାଇଛି। ଯଦି ଏହି ସବୁ ଦାବି ଆସନ୍ତା ୧୮ତାରିଖ ସୁଦ୍ଧା ପୂରଣ ନହୁଏ ତା’ହେଲେ ୨୦ତାରିଖରୁ ରାଜ୍ୟର ତିନୋଟି ପ୍ରମୁଖ ଠିକାଦାର ସଂଘର ପ୍ରାୟ ୭୦ ହଜାର ଠିକାଦାର ଏକଜୁଟ ହୋଇ ନିଜର ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇବେ । ସମସ୍ତ ସରକାରୀ ନିର୍ମାଣ କାର୍ଯ୍ୟକୁ ଠପ୍ କରିଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଯଦି ଏହି କାର୍ଯ୍ୟବନ୍ଦ ଯୋଗୁଁ ସାଧାରଣ ଲୋକେ ହଇରାଣ ହୁଅନ୍ତି, ତେବେ ସେଥିପାଇଁ ସରକାରଙ୍କ ଅବହେଳା ହିଁ ସଂପୂର୍ଣ୍ଣ ଦାୟୀ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଶ୍ରୀ ମହାଲିକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବି ଉପସ୍ଥାପନ କରାଯାଇଛି । ଏହି ଦାବିଗୁଡ଼ିକ ମଧ୍ୟରେ ପୂର୍ତ୍ତ ବିଭାଗର ସର୍କୁଲାର ରଦ୍ଦ କରି ଟେଣ୍ଡର ମୂଲ୍ୟକୁ ୦.୦୦% ରୁ କମ୍ ନକରିବା ପାଇଁ ନୂଆ ନିୟମ ଆଣିବା, ଏସଓଆର ସ୍ଥିରୀକରଣ, ଟେଣ୍ଡର ସୀମା ବୃଦ୍ଧି ଓ ସମଗ୍ର ରାଜ୍ୟ ପାଇଁ ସମାନ ଆଇନ ପ୍ରଣୟନ କରିବା ଅନ୍ତର୍ଭୁକ୍ତ । ଏହାବ୍ୟତୀତ ଖଣିଜ ଦ୍ରବ୍ୟ ସମସ୍ୟାର ସମାଧାନ, ଅଯଥା ଜରିମାନାକୁ ଛାଡ କରିବା ଓ ବର୍ଦ୍ଧିତ ଦରଦାମ ଅନୁଯାୟୀ ଡବ୍ଲ୍ୟୁଏଏମଆଇଏସରେ ଉପଯୁକ୍ତ ପରିବର୍ତ୍ତନ କରିବାକୁ ମହାସଂଘ ଦାବି ଜଣାଇଛି ।
ଠିକାଦାର ମହାସଂଘର ଏହି ଆନ୍ଦୋଳନ ଯୋଗୁଁ କେବଳ ରାସ୍ତାଘାଟ ବା କୋଠାବାଡ଼ି ନିର୍ମାଣ ନୁହେଁ, ବରଂ ଜନସାଧାରଣଙ୍କ ଦୈନନ୍ଦିନ ଅତ୍ୟାବଶ୍ୟକ ସେବାଗୁଡ଼ିକ ସମେତ ସହରାଂଚଳ ଓ ଗ୍ରାମାଂଚଳରେ ଚାଲିଥିବା ଆଲୋକୀକରଣ କାର୍ଯ୍ୟ, ପାନୀୟ ଜଳ ପ୍ରକଳ୍ପ ଓ ସ୍ୱେରଜ୍ ବା ଡ୍ରେନେଜ୍ କାମ ସଂପୂର୍ଣ୍ଣ ଠପ୍ ହେବାର ଆଶଙ୍କା ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟର ୱେଲଫେୟାର ଆସୋସିଏସନର ଅଧ୍ୟକ୍ଷ ଜଗଦିଶ ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
