ୟାସ୍ : ପ୍ରଭାବିତ ହେବ ୧୫ ଜିଲ୍ଲା, ଟୁଇନସିଟିରେ ବୋହିବ ୧୧୦କିମି ବେଗରେ ପବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ୍‌’ ଅତି ଉଗ୍ର ରୂପ ଧରି ସ୍ଥଳଭାଗ ଆଡ଼େ ମୁହାଁଇଥିବାବେଳେ ଏହା ରାଜ୍ୟର ୧୫ଟି ଜିଲ୍ଲାକୁ ପ୍ରଭାବିତ କରିବ। ଅବଶ୍ୟ ଉତ୍ତର ଓଡ଼ିଶାରେ ଏହା ସ୍ଥଳଭାଗ ଛୁଇଁବ ଓ ସେଠାରେ ଏହାର ପ୍ରଭାବ ବେଶୀ ରହିବ, କିନ୍ତୁ ବାତ୍ୟା ‘ୟାସ’ର ପ୍ରଭାବରେ ରାଜ୍ୟର ୧୫ଟି ଜିଲ୍ଲାରେ ପବନ ଓ ବର୍ଷାର ଆଶଙ୍କା ରହିଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ସର୍ବାଧିକ ଘଣ୍ଟା ପ୍ରତି ୧୧୦କିମି ବେଗରେ ପବନ […]

Cyclone

Cyclone

Tapas Behera
  • Published: Monday, 24 May 2021
  • Updated: 25 May 2021, 01:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ୍‌’ ଅତି ଉଗ୍ର ରୂପ ଧରି ସ୍ଥଳଭାଗ ଆଡ଼େ ମୁହାଁଇଥିବାବେଳେ ଏହା ରାଜ୍ୟର ୧୫ଟି ଜିଲ୍ଲାକୁ ପ୍ରଭାବିତ କରିବ। ଅବଶ୍ୟ ଉତ୍ତର ଓଡ଼ିଶାରେ ଏହା ସ୍ଥଳଭାଗ ଛୁଇଁବ ଓ ସେଠାରେ ଏହାର ପ୍ରଭାବ ବେଶୀ ରହିବ, କିନ୍ତୁ ବାତ୍ୟା ‘ୟାସ’ର ପ୍ରଭାବରେ ରାଜ୍ୟର ୧୫ଟି ଜିଲ୍ଲାରେ ପବନ ଓ ବର୍ଷାର ଆଶଙ୍କା ରହିଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ସର୍ବାଧିକ ଘଣ୍ଟା ପ୍ରତି ୧୧୦କିମି ବେଗରେ ପବନ ବୋହିବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଭାଗର ପ୍ରେସ୍ ରିଲିଜ୍ ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ପ୍ରଭାବରେ ରାଜ୍ୟର ୧୫ଟି ଜିଲ୍ଲା ଯଥା- ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼ ଅନୁଗୁଳ ଓ ଢେଙ୍କାନାଳରେ ପବନର ଗତି ଅଧିକ ରହିବ। ୨୫ତାରିଖ ଅପରାହ୍ନରେ ପବନର ଗତି ଘଣ୍ଟା ପ୍ରତି ୯୦ରୁ ୧୦୦କିମି ବେଗରେ ବୋହିବ।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

 

ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ପୁରୀ ଜିଳ୍ଲାରେ ୨୫ତାରିଖ ଅପରାହ୍ନରୁ ପବନର ଗତି ୬୦ରୁ ୯୦କିମି ବା ତା’ଠୁ ଅଧିକ ରହିବ। ଏହି ସମୟରେ ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ପବନର ଗତି ୪୦ରୁ ୬୦କିମି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ସେହିପରି, ୨୫ତାରିଖ ସନ୍ଧ୍ୟାବେଳକୁ ପବନର ଗତି ଧୀରେଧୀରେ ବୃଦ୍ଧି ପାଇଁ ରାତିରେ ଓ ୨୬ତାରିଖ ଭୋର ସମୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ଘଣ୍ଟା ପ୍ରତି ୧୨୦କିମି ରୁ ୧୮୫କିମି ପର୍ଯ୍ୟନ୍ତ ପବନ ବୋହିବାର ସମ୍ଭାବନା ରହିଛି।  ସେହିପରି ମୟୂରଭଞ୍ଜ ଜିଲ୍ଲାରେ ୧୦୦ରୁ ୧୪୫କିମି ବେଗରେ ପବନ ବୋହିବ। ଏହି ଅବଧିରେ ଖୋର୍ଦ୍ଧା, କଟକ, ପୁରୀ ଓ ଯାଜପୁର ଜିଲ୍ଲାରେ ମଧ୍ୟ ପବନର ଗତି ଘଣ୍ଟା ପ୍ରତି ୮୦ରୁ ୧୧୦କିମି ରହିବ।
୨୬ତାରିଖ ସକାଳୁ ଗଞ୍ଜାମ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ମଧ୍ୟ ପବନର ଗତି ଘଣ୍ଟାପ୍ରତି ୬୦ରୁ ୮୦କିମି ବେଗରେ ପ୍ରବାହିତ ହେବ। ଏହି ସମୟରେ ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ପବନର ଗତି ୫୦ରୁ ୭୦କିମି ରହିବ ବୋଲି ପାଣିପାଗ ବିଭାଗ କହିଛି।
ତେବେ ୨୬ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମଧ୍ୟ ୨୭ତାରିଖରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ପବନର ଗତି ଘଣ୍ଟା ପ୍ରତି ୫୦ରୁ ୭୦କିମି ବେଗରେ ପ୍ରବାହିତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବାତ୍ୟା ପ୍ରଭାବରେ ଏହି ସମସ୍ତ ୧୫ଟି ଜିଲ୍ଲାରେ ବର୍ଷା ହେବାର ଥିବାବେଳେ ୨୬ ତାରିଖ ସକାଳରୁ ୨୭ତାରିଖ ସକାଳ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos