ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସ୍ଥଳ ଭାଗକୁ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ୟାସ୍ । ଆଜି ଅପରାହ୍ନରେ ଭେରି ସିଭିୟର୍ ସାଇକେ୍ଲାନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ଅଛି। ଏହା ଅତି ଭୀଷଣକାୟ ରୂପ ଧରି ୨୬ ତାରିଖ ସକାଳେ ଚାନ୍ଦବାଲି ଓ ଧାମରା ବନ୍ଦର ନିକଟରେ ପହଞ୍ଚିବ । ମଧ୍ୟାହ୍ନ ସୁଦ୍ଧା ବାତ୍ୟା ଏହି ଅଂଚଳ ଅତିକ୍ରମ କରିବ। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ବୁଲେଟନ୍ ଅନୁସାରେ ଏହା ପାରାଦୀପରୁ ୩୬୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏବଂ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି । ଧାମରା ପାଖରେ ବାତ୍ୟା ୟାସ ସ୍ଥଳଭାଗ ଅତିକ୍ରମ କରିବ। ୨୬ ତାରିଖ ମଧ୍ୟାହ୍ନରେ ୟାସ ସ୍ଥଳଭାଗ ଅତିକ୍ରମ କରିବ। ଏନେଇ IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ବାତ୍ୟା ୟାସ୍ ସମ୍ବନ୍ଧୀୟ ଲାଇଭ୍ ଅପଡେଟ୍ ପାଇଁ କ୍ଲିକ କରନ୍ତୁ
ଗତ ୬ ଘଣ୍ଟାରେ ଧରି ଏହା ୯ କିଲୋମିଟର ବେଗରେ ବଙ୍ଗୋପସାଗରର ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଯଦି ଏହି ଗତି ଜାରି ରହେ, ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବ । ବେଳେ ବେଳେ ସର୍ବାଧିକ ୧୮୫ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।
ବିଶେଷ ଭାବେ ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର ଏବଂ କେନ୍ଦ୍ରାପଡ଼ାରେ ବାତ୍ୟାର ପ୍ରଭାବ ଅଧିକ ପଡ଼ିବ। ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ବର୍ଷା ସହ ପବନ ଜାରି ରହିଛି ଏହି ୪ ଜିଲ୍ଲା ଗୁଡ଼ିକରେ ଆଜି ରାତିରୁ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୬୦ କିଲୋମିଟର, ଖୋର୍ଦ୍ଧା ଓ ପୁରୀରେ ୯୦ରୁ ୧୨୦ କିଲୋମିଟର ଏବଂ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୬୦ରୁ ୮୦ କିଲୋମିଟର ବେଗ ରହିପାରେ ବୋଲି ଅନୁମାନ କରାଯାଉଛି ।
ତାସହ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ୪ ମିଟର ଯାଏଁ ଉଚ୍ଚ ଜୁଆର ମାଡ଼ି ଆସିବାର ସମ୍ଭାବନା ବି ଅଛି । ପ୍ରବଳ ପବନ ଯୋଗୁଁ ବଡ଼ ବଡ଼ ଗଛ ଉପୁଡିପାରେ, କଚ୍ଚା, ଆଜବେଷ୍ଟସ ଛପର ଓ ପୁରୁଣା କୋଠା ଭାଙ୍ଗିଯାଇପାରେ, ଟେଲିଫୋନ୍, ବିଜୁଳି ଖୁଣ୍ଟ ବି ଗୁରୁତର ପ୍ରଭାବିତ ହୋଇପାରେ । ବଙ୍ଗୋପସାଗରରେ ବାତ୍ୟା ବଳ ଗୋଟାଇ ଆଗକୁ ବଢୁଥିବା ବେଳେ ସ୍ଥିତିକୁ ଦେଖି ଆଜି ରାଜ୍ୟର ପାରାଦୀପ ଓ ଧାମରା ବନ୍ଦରରେ ୪ ନମ୍ବର ବିପଦ ସଂକେତ ଜାରି ହୋଇଛି ।