Advertisment

ଭବାନୀପାଟଣାରେ ନରମିଲେ, ଖୋର୍ଦ୍ଧାରେ ଗର୍ଜିଲେ ଯୋଗୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିରେ ହିନ୍ଦୁତ୍ୱର ଚେହେରା କୁହାଯାଉଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଓଡ଼ିଶା ଗସ୍ତରେ ଆସିଥିଲେ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ମୁହଁ ଖୋଲିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସେ ଭବାନୀପାଟଣା ସଭାରେ ନବୀନ ସରକାରଙ୍କ ପ୍ରତି ନରମ ଆଭିମୁଖ୍ୟ ଦେଖାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀରେ ଆୟୋଜିତ ସଭାରେ ଗର୍ଜିଥିଲେ। କେନ୍ଦ୍ର ସରକାରଙ୍କ ବିକାଶର କାର୍ଡ଼ ଖେଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଭବାନୀପାଟଣାରେ ନରମିଲେ, ଖୋର୍ଦ୍ଧାରେ ଗର୍ଜିଲେ ଯୋଗୀ

bjp

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିରେ ହିନ୍ଦୁତ୍ୱର ଚେହେରା କୁହାଯାଉଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଓଡ଼ିଶା ଗସ୍ତରେ ଆସିଥିଲେ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ମୁହଁ ଖୋଲିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସେ ଭବାନୀପାଟଣା ସଭାରେ ନବୀନ ସରକାରଙ୍କ ପ୍ରତି ନରମ ଆଭିମୁଖ୍ୟ ଦେଖାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀରେ ଆୟୋଜିତ ସଭାରେ ଗର୍ଜିଥିଲେ। କେନ୍ଦ୍ର ସରକାରଙ୍କ ବିକାଶର କାର୍ଡ଼ ଖେଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ।

Advertisment

ନାଚୁଣୀରେ ଆୟୋଜିତ ସଭାରେ ସେ କହିଥିଲେ-“ମହାପୁରୁଷଙ୍କ ସମ୍ମାନ ପ୍ରତି ନବୀନ ସରକାରଙ୍କ ନିଘା ନାହିଁ। ପାଇକ ବିଦ୍ରୋହ ୨ଶହ ବର୍ଷ ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ପ୍ରସ୍ତୁତ ଥିବା ବେଳେ ଓଡ଼ିଶା ସରକାର ଜମି ଦେଉନାହାନ୍ତି। ଓଡ଼ିଶାର ଏହି ସରକାରଙ୍କ ମୁଖା ଖୋଲିବାକୁ ପଡ଼ିବ।”

‘ଆୟୁଷ୍ମାନ ଭାରତ’ ଓ ‘ପିଏମ୍-କିଷାନ’ ଭଳି କେନ୍ଦ୍ରୀୟ ଯୋଜନା କଥା ଉଠାଇ ନବୀନ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ ଯୋଗୀ। ଗରିବ ଓ ଅନଗ୍ରସରଙ୍କ ପ୍ରତି ନବୀନ ସରକାରଙ୍କର ଆଦୌ ଦରଦ ନାହିଁ। ନବୀନ ଏଠି ନିଜସ୍ୱ ଏଜେଣ୍ଡାରେ ସରକାର ଚଳାଇ ଓଡ଼ିଶାର ଲୋକଙ୍କ ସହ ଧୋକା କରୁଛନ୍ତି ବୋଲି ଯୋଗୀ ଅଭିଯୋଗ କରିଛନ୍ତି। ଓଡ଼ିଶାରେ ବିଜେପି ଏହାର ମିଶନ୍ ୧୨୦ରେ ସଫଳ ହେବ ସେ ଦମ୍ଭୋକ୍ତି କରିଛନ୍ତି।

Advertisment

ଆଜି ସକାଳେ ଯୋଗୀ ଭବାନୀପାଟଣାରେ ଆୟୋଜିତ ସଭାରେ ଯୋଗଦେଇଥିଲେ। ସେ ପ୍ରଥମେ କଳାହାଣ୍ଡିର ରାଜପରିବାର ସଦସ୍ୟଙ୍କ ସହ ଯାଇ ମାଆ ମାଣିକେଶ୍ୱରଙ୍କୁ ପୂଜାର୍ଚ୍ଚନା କରିଥିଲେ। ପରେ ସେ ଆୟୋଜିତ ସଭାରେ ଯୋଗଦେଇ କହିଥିଲେ-“୨୦୨୨ ପୂର୍ବରୁ ସମଗ୍ର ଦେଶର ପ୍ରତ୍ୟେକ ଗରିବଙ୍କ ମୁଣ୍ଡ ଉପରେ ପକ୍କା ଛାତ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବର୍ତ୍ତମାନ ସେହି ଦିଗରେ କେନ୍ଦ୍ର ସରକାର କାମ କରୁଛନ୍ତି। ହେଲେ ନବୀନ ପଟ୍ଟନାୟକଙ୍କ ସରକାର ଦୀର୍ଘ ୧୯ ବର୍ଷରେ ମାତ୍ର ୧୭ ଲକ୍ଷ ଗରିବଙ୍କୁ ଘର ଯୋଗାଇ ପାରିଛନ୍ତି। ମୁଁ ଗତ ଦୁଇବର୍ଷରେ ୨୦ ଲକ୍ଷ ଘର କରିପାରିଛି। ଆଜି ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଯୋଗାଉଛନ୍ତି ବୋଲି ଗାଇ ବୋଲୁଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ଏହି ଚାଉଳ କିଲୋ ପ୍ରତି ୩୧ ଟଙ୍କାରେ କିଣାଯାଉଛି। ସେଥିରୁ ୨୯ ଟଙ୍କା କେନ୍ଦ୍ର ସରକାର ଦେଉଥିବା ବେଳେ ରାଜ୍ୟ ସରକାର ମାତ୍ର ଏକଟଙ୍କା ଦେଇ ବାହାବା ନେଉଛନ୍ତି।”

ଯୋଗୀ କହିଛନ୍ତି, “ଆୟୁଷ୍ମାନ ଭାରତ ଯୋଜନାରେ ସମଗ୍ର ଦେଶରେ ୫୦ କୋଟି ଲୋକ ଫାଇଦା ନେଉଛନ୍ତି। ଏଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ମିଳିପାରୁଛି। ସେହିପରି ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ ପ୍ରତ୍ୟେକ ଚାଷୀଙ୍କ ଖାତାକୁ କେନ୍ଦ୍ର ସରକାର ୬୦୦୦ ଟଙ୍କା ଲେଖାଏଁ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ଏହା ମାଧ୍ୟମରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବ। ଚାଷୀଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆସିବ। ହେଲେ ରାଜ୍ୟ ସରକାର ଯେଉଁ ଯୋଜନା ଚଳାଉଛନ୍ତି, ସେଥିରେ ସ୍ଥାୟିତ୍ୱ ନାହିଁ। ଏହି ଯୋଜନା ଆରମ୍ଭରୁ ବିବାଦ ଭିତରେ ଫସିଗଲାଣି।”

ସେ କହିଛନ୍ତି, “୨୦ ବର୍ଷ ତଳେ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ବିଷୟରେ ଶୁଣିବାକୁ ପାଇଥିଲି। ସେଥିପାଇଁ ଏଠାକୁ ଆସିବାକୁ ମନ କରୁଥିଲି। ଆଜି ଏହି ସୁଯୋଗ ମିଳିଥିବାରୁ ମୁଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଉଛି। ଏହି ଜିଲ୍ଲାରେ କଂଗ୍ରେସମୁକ୍ତ ଭାରତ ଗଠନ ପାଇଁ ରାଜ-ପରିବାର ସଂଗ୍ରାମ କରି ଏକ ନୂଆ ପରମ୍ପରା ସୃଷ୍ଟି କରିପାରିଛନ୍ତି। ସେଥିପାଇଁ ରାଜପରିବାର ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନା ଭେଦଭାବରେ ସରକାର ଚଳାଇଛନ୍ତି।”

ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କନକବର୍ଦ୍ଧନ ସିଂହଦେଓ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ପ୍ରମୁଖ ଯୋଗଦେଇଥିଲେ।