ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ନାହାନ୍ତି ଯୁବ,ଦୁଃସାହସୀ ସାମ୍ବାଦିକ ତଥା ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ। ଆଜି କଟକ ମୁଣ୍ଡଳିରେ ହୋଇଥିବା ବୋଟ୍ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ନେଇ ଏସ୍‌ସିବି ବଡ଼ ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଘୋଷଣା କରିଛନ୍ତି। ସେ କହିଛନ୍ତି, ଅରିନ୍ଦମ ଦାସ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ତଥାପି ଏକ ଡାକ୍ତରୀ […]

Late Arindam Das

Late Arindam Das

Jitendra Garnayak
  • Published: Friday, 24 September 2021
  • Updated: 24 September 2021, 07:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ନାହାନ୍ତି ଯୁବ,ଦୁଃସାହସୀ ସାମ୍ବାଦିକ ତଥା ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ। ଆଜି କଟକ ମୁଣ୍ଡଳିରେ ହୋଇଥିବା ବୋଟ୍ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ନେଇ ଏସ୍‌ସିବି ବଡ଼ ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଘୋଷଣା କରିଛନ୍ତି।

ସେ କହିଛନ୍ତି, ଅରିନ୍ଦମ ଦାସ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ତଥାପି ଏକ ଡାକ୍ତରୀ ଟିମ୍ ଠିକ୍ ଭାବେ ତାଙ୍କ ଯାଞ୍ଚ କରିଥିଲା। ତାଙ୍କର ଆଉ ଜଣେ ସହଯୋଗୀ ପ୍ରଭାତ ସିହ୍ନା (କ୍ୟାମେରା ପର୍ସନ)ଙ୍କ ଅବସ୍ଥା ମଧ୍ୟ ଭଲ ନାହିଁ। ତାଙ୍କୁ ମେଡିସିନ୍ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଛି। ସେହିପରି ଓଡ୍ରାଫ୍‌ର ତିନି ଜଣ କର୍ମଚାରୀ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମହାନଦୀରେ କଟକ ମୁଣ୍ଡଳି ବ୍ରିଜ୍‌ରେ ଆଜି ଏକ ଦନ୍ତା ହାତୀ ଫସି ଯାଇଛି। ତାକୁ ଉଦ୍ଧାର କରିବା ପାଇଁ ଅପରେସନ୍ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହାର ରିପୋର୍ଟିଂ କରିବାକୁ ଅରିନ୍ଦମ ଦାସ ଓ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ସେଠାକୁ ଯାଇଥିଲେ।

ପ୍ରଶାସନ ପକ୍ଷରୁ ଦୀର୍ଘ ସମୟ ଧରି ଅପରେସନ୍ ପରେ ହାତୀଟି ନଦୀ କୂଳ ପାଖାପାଖି ପଳାଇ ଆସିଥିଲା। କିନ୍ତୁ ବୋଧହୁଏ ଅତ୍ୟଧିକ ସଂଖ୍ୟକ ଲୋକଙ୍କୁ ବ୍ୟାରେଜ୍ ପାଖାପାଖି ଦେଖି ହାତୀଟି ପୁଣି ନଦୀ ଭିତରକୁ ଚାଲି ଯାଇଥିଲା ଓ ମୁଣ୍ଡଳି ବ୍ୟାରେଜ ପାଖାପାଖି ଛିଡ଼ା ହୋଇଥିଲା। ହାତୀଟି ସ୍ଥିର ରହୁ ନଥିବାରୁ ତାକୁ କ୍ରେନ୍ ସାହାଯ୍ୟରେ ବି ଟଣା ଯିବା ସମ୍ଭବ ହୋଇପାରି ନଥିଲା।

ଅନ୍ୟ କୌଣସି ଉପାୟ ନ ପାଇଁ ଶେଷରେ ଓଡ୍ରାଫ୍ ଟିମ୍‌କୁ ରୋବର ବୋଟ୍‌ରେ ସେଠାକୁ ଯାଇଥିଲା ହାତୀଟିକୁ ଘଉଡ଼ାଇବାକୁ। ଆଉ ଦୁଃସାହାସୀ ତଥା ପ୍ରାଣୀ ଧନଙ୍କ ଉପରେ ରୁଚି ରଖୁଥିବା ଅରିନ୍ଦମ ତାଙ୍କ କ୍ୟାମେରା ପର୍ସନ ପ୍ରଭାତ ସିହ୍ନାଙ୍କ ସହିତ ଓଡ୍ରାଫ୍ ଟିମ୍‌ ସହିତ ବୋଟ୍‌ରେ ସେଠାକୁ ଯିବାକୁ ଯାଇଥିଲେ। ଆଉ ହାତୀ ପାଖାପାଖି ବୋଟ୍‌ଟି ପହଞ୍ଚିବା ପରେ ହଠାତ୍ ନିୟନ୍ତ୍ରଣ ହରାଇ ସେଠାରେ ଓଲଟି ପଡ଼ିଥିଲା।

ବୋଟ୍‌ଟି ଓଲଟି ପଡ଼ିବା ପରେ ଦୀର୍ଘ ସମୟ ଧରି ଅରିନ୍ଦମ ପାଣି ଭିତରେ ସଂଘର୍ଷ କରିଥିଲେ। ଶେଷରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଯିବା ପରେ ତାଙ୍କର ସମସ୍ତ ସହଯୋଗୀ ଆଶ୍ୱସ୍ତ ହୋଇଥିଲେ। କିନ୍ତୁ ଦଇବ କିଛି ଅଲଗା ଲେଖି ରଖିଥିଲା। କଟକ ବଡ଼ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।  ସେହିପରି ଓଟିଭିର ପରିଚାଳନା ନିର୍ଦ୍ଦେଶକ ଜଗି ମଙ୍ଗତ ପଣ୍ଡା ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଅରିନ୍ଦମ ଥିଲେ ସାହସୀ ସାମ୍ବାଦିକ

ପ୍ରାୟ ୧୫ ବର୍ଷର ସାମ୍ବାଦିକତା ଜୀବନରେ ଅରିନ୍ଦମ ଥିଲେ ଖୁବ୍ ସାହସୀ। ସେ କ୍ରାଇମ୍ ରିପୋର୍ଟଂ ହେଉ କି  ବାତ୍ୟା କିମ୍ବା ବନ୍ୟା ବେଳେ ଅନ୍‌ ଦ ସ୍ପଟରୁ ତାଙ୍କର ରିପୋର୍ଟିଂ ବେଶ୍ ଈର୍ଷଣୀୟ ଥିଲା। ଢେଙ୍କାନାଳ ସ୍ଥିତ ଆଇଆଇଏମ୍‌ସିରୁ ସାମ୍ବାଦିକତା ପାଠ୍ୟକ୍ରମରେ ଡିପ୍ଲୋମା କରିବା ପରେ ସେ ଦୈନିକ ଖବର କାଗଜ ‘ଧରିତ୍ରୀ’ରୁ କ୍ରାଇମ୍ ରିପୋର୍ଟର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। କ୍ରାଇମ୍ ରିପୋର୍ଟର ଭାବେ ତାଙ୍କ ପାଖରେ ବହୁତ ତଥ୍ୟ ରହୁଥିଲା। ସେଠାରୁ ଛାଡ଼ିବା ପରେ ସେ ଓଟିଭିକୁ ଆସିଥିଲେ। ପ୍ରାୟ ୧୦ ବର୍ଷ ଧରି ସେ ଓଟିଭିରେ ବିଭିନ୍ନ ବିଟ୍‌ରେ ରିପୋର୍ଟିଂ କରିଛନ୍ତି। ବିଶେଷ କରି ବନ୍ୟା ଓ ବାତ୍ୟା ସମୟରେ ଘଟଣାସ୍ଥଳରୁ ତାଙ୍କ ରିପୋର୍ଟିଂ ଖୁବ୍ ପ୍ରଶଂସନୀୟ ଥିଲା। ବାତ୍ୟା ବେଳେ ପବନରେ ଲୋକେ ଛିଡ଼ା ହେବାକୁ ସାହାସ ପାଉ ନଥିବା ବେଳେ ସେ ବୁମ୍ ଧରି ଲାଇଭ୍ କରୁଥିଲେ।

କେବଳ ବନ୍ୟା, ବାତ୍ୟା ନୁହେଁ, ରାଜନୀତି ଓ କ୍ରାଇମ୍ ରିପୋର୍ଟିଂରେ ବି ସେ ଅନନ୍ୟ ଥିଲେ। ବନ୍ୟପ୍ରାଣୀଙ୍କ ସଂପର୍କରେ ତାଙ୍କର ଖୁବ୍ ରୁଚି ଥିଲା। ସେଥିପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କିଛି ଘଟିଲେ ତାଙ୍କ ପାଖରେ ସଙ୍ଗେ ସଙ୍ଗେ ଖବର ପହଞ୍ଚି ଯାଏ।

ଖାଲି ଏତିକି ନୁହେଁ। ସେ ମାଲକାନଗିରି ହେଉ କି କେନ୍ଦୁଝର, ବାଲେଶ୍ୱର ହେଉ କି ନୟାଗଡ଼ ସବୁ ସ୍ଥାନକୁ ଯାଇ ବିଭିନ୍ନ ପ୍ରସଙ୍ଗରେ ଗ୍ରାଉଣ୍ଡ ରିପୋର୍ଟିଂ କରିବାରେ ସେ ଖୁବ୍ ମାହିର ଥିଲେ।

ତାଙ୍କର ସେ ତଥ୍ୟ ଯୁକ୍ତ ସୁନ୍ଦର ରିପୋର୍ଟିଂ ଆଉ ଟେଲିଭିଜନରେ ଦେଖିବାକୁ ମିଳବନି। ‘ଓଟିଭି’ ତା’ର ଜଣେ ଅନନ୍ୟ ରିପୋର୍ଟରଙ୍କୁ ହରାଇଥିବା ବେଳେ ଏହା ରାଜ୍ୟର ସାମ୍ବାଦିକତା ଜଗତ ପାଇଁ ମଧ୍ୟ ଏକ ବଡ଼ କ୍ଷତି, ଯାହା ସର୍ବଦା ଅପୂରଣୀୟ ହୋଇ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos