/odisha-reporter/media/post_attachments/uploads/2020/07/khurdh-33777.jpg)
khurdh
ଖୋର୍ଦ୍ଧା(ବଳରାମ ଲେଙ୍କା): ଡାକ୍ତରଖାନା ଭିତରେ ଜଣେ ନିଶାସକ୍ତ ଯୁବକଙ୍କ ଦାଦାଗିରି ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ରାତିରେ ଏପରି ଘଟଣା ଘଟିଥିବା ବେଳେ ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ଶଲ୍ୟ ବିଭାଗ ଡାକ୍ତର ଶ୍ୟାମା ପ୍ରସନ୍ନ ମିତ୍ର, ଡାକ୍ତର ଶୁଭ୍ରାଶୁଂ କୁମାର ସାହୁ ଏବଂ ଡାକ୍ତର ଶୁକ୍ଲା ଡ୍ୟୁଟିରେ ଥିଲେ। ଏହି ସମୟରେ ଜଣେ ନିଶାଶକ୍ତ ଯୁବକ ଏକ ପାଇପ ଧରି ସେମାନଙ୍କୁ ଆକ୍ରମଣ ଉଦ୍ୟମ କରିବା ସହିତ ଅସଭ୍ୟ ଭାଷାରେ ଗାଲିଗୁଲଜ କରିଥିଲେ। ଜଣେ ସମ୍ପର୍କୀୟଙ୍କୁ ଠିକ୍ ଭାବେ ଚିକିତ୍ସା କରାଯାଉ ନଥିବା ଅଭିଯୋଗ କରି ସେ ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ ।
ଯୁବକଙ୍କ ଏଭଳି ଆଚରଣ ଯୋଗୁ ଡାକ୍ତରଖାନା ପରିସରରେ କିଛି ସମୟ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା। ଏନେଇ ଡାକ୍ତର ଶ୍ୟାମା ପ୍ରସନ୍ନ ମିତ୍ର ଓ ଡାକ୍ତର ଶୁଭ୍ରାଶୁଂ କୁମାର ସାହୁ ଖୋର୍ଦ୍ଧା ଟାଉନ ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଖାନାରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ଯୁବକଙ୍କୁ ଚିହ୍ନଟ କରିଛି। ତାଙ୍କ ନାଁ ଶେଖ୍ ଅମିନ୍ । ପୁଲିସ୍ ତାଙ୍କୁ ଗିରଫ କରିଛି।
ଏନେଇ ଡାକ୍ତର ଶୁଭ୍ରାଶୁଂ କୁମାର ସାହୁ କହିଛନ୍ତି,“ ରାତି ପ୍ରାୟ ସାଢ଼େ ୩ଟାରେ ଜଣେ ଯୁବକ ନିଶାଗ୍ରସ୍ତ ଥାଇ ଏକ ବାଡ଼ି ଧରି ଆମକୁ ହଠାତ୍ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏନେଇ ଆମେ ପୁଲିସ୍ର ସାହାଯ୍ୟ ନେଲୁ। ପୁଲିସ୍ ଆମକୁ ତତ୍କାଳ ସୁରକ୍ଷା ଦେଲା। ଏବେ ସେହି ଯୁବକ ଗିରଫ ହୋଇଛନ୍ତି। ଏହି କୋଭିଡ୍ ସମୟରେ ଆମେ ଜୀବନକୁ ପାଣି ଛଡ଼ାଇ ରୋଗୀଙ୍କ ସେବା କରୁଛୁ, କିନ୍ତୁ ଆମର ସୁରକ୍ଷା ବୋଲି କିଛି ରହୁନି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
