କେନାଲରୁ ମିଳିଛି ଦୁଇ ମୃତଦେହ
କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳରୁ ଗତ ୨୧ ତାରିଖରେ ମା’ପୁଅ ନିଖୋଜ ହେବା ଘଟଣା ଭିନ୍ନ ଏକ ମୋଡ଼ ନେଇଛି। ଗତକାଲି ପୁଅର ମୃତଦେହ ମିଳିଥିବା ବେଳେ ଆଜି ମା’ର ମୃତଦେହ ମିଳିଛି। ମା’ପୁଅଙ୍କ ମୃତଦେହ ମିଳିବା ପରେ ପୁଲିସ୍ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ସନ୍ଦେହ ପରିସରକୁ ଆସିଛନ୍ତି ମୃତ ମହିଳାଙ୍କ ଝିଅ ଓ ତାଙ୍କ ପ୍ରେମିକ।
ମୃତ ମହିଳାଙ୍କ ନାଁ ଅନୁଷ୍କା ପରିଡ଼ା ଓ ତାଙ୍କ ପୁଅଙ୍କ ନାଁ ଏହେମ ପରିଡ଼ା। ଗତକାଲି କୋଟପଡ଼ ଥାନା ଅଞ୍ଚଳରେ ଏକ କେନାଲ ଭିତରୁ ମିଳିଥିଲା ଏହେମଙ୍କ ମୃତଦେହ। କେନାଲରୁ ଏକ ବସ୍ତା ଭିତରୁ ତାଙ୍କ ମୃତଦେହ ମିଳିଥିଲା। ଆଉ ଆଜି ସକାଳେ ଅନୁଷ୍କା ପରିଡ଼ାଙ୍କ ମୃତଦେହ ଜୟନ୍ତଗିରି ନିକଟସ୍ଥ କେନାଲରୁ ମିଳିଛି।
ନିଖୋଜ ମା’ପୁଅଙ୍କ ମୃତଦେହ ମିଳିବା ପରେ ପୁଲିସ ତା’ର ତଦନ୍ତକୁ ବ୍ୟାପକ କରିଛି। ପୁଲିସର ତଦନ୍ତ ପରିସର ଭିତରକୁ ଆସିଛନ୍ତି ମୃତ ମହିଳା ଝିଅ ଓ ତାଙ୍କ ପ୍ରେମିକ।
ପୁଲିସ୍ ଏନେଇ କିଛି ଖୋଲିକି କହି ନଥିବା ବେଳେ ସୂଚନା ଅନୁଯାୟୀ, ଅନୁଷ୍କାଙ୍କ ଝିଅ ଜଣେ ଯୁବକଙ୍କୁ ଭଲ ପାଉଛନ୍ତି। କିନ୍ତୁ ମା’ ଅନୁଷ୍କା ଓ ଭାଇ ଏହେମ ତାଙ୍କର ଏହି ପ୍ରେମ ସଂପର୍କକୁ ବିରୋଧ କରି ଆସୁଥିଲେ। ସେଥିପାଇଁ ପରିବାରରେ ବିବାଦ ଚାଲିଥିଲା। ଏହାକୁ ନେଇ ପ୍ରେମିକଙ୍କ ସହ ମିଶି ଯୁବତୀ ଜଣଙ୍କ ତାଙ୍କ ମା’ ଅନୁଷ୍କା ଓ ଭାଇ ଏହେମଙ୍କୁ ହତ୍ୟା କରି କେନାଲରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୁଲିସ ଉକ୍ତ ଯୁବତୀ ଓ ତାଙ୍କ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଖୁବ୍ଶୀଘ୍ର ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ ହେବ ବୋଲି ପୁଲିସ କହିଛି।
ବୋରିଗୁମ୍ମା ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି, ସେମାନଙ୍କର ପାରିବାରିକ ବିବାଦ ଥିଲା। ମାମଲା ଗୋଟିଏ ଦିଗ ଆଡ଼କୁ ଗତି କରୁଛି। ହତ୍ୟା ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। ତଦନ୍ତ ଶେଷ ହେବା ପରେ ପୂରା ଘଟଣା ଜଣାପଡ଼ିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/24/police-2026-02-24-13-32-26.jpg)